ପୁରୀ: ମହାପ୍ରଭୁ ସବୁଠୁ ଊର୍ଦ୍ଧ୍ବରେ। ସେ ମନ ଓ ହୃଦୟର ଠାକୁର, କିନ୍ତୁ ତାଙ୍କୁ ଏବେ ଡ୍ରେସ ଓ ଶାଢ଼ିରେ ଆଙ୍କି ପିନ୍ଧା ବସ୍ତ୍ର କରିସାରିଲେଣି। ମହାପ୍ରଭୁଙ୍କୁ ଦେଖିବା ମାତ୍ରେ ମୁଣ୍ଡ ନଇଁଯାଏ, କିନ୍ତୁ ମହାପ୍ରଭୁଙ୍କୁ ବିଜ୍ଞପିତ କରି ଅନେକ ବ୍ୟବସାୟର ମାଧ୍ୟମ କରି ଅପମାନ ଦେବାକୁ ପଛାଇନାହାନ୍ତି। କିଛିଦିନ ତଳେ ମଧୁବନୀ ଶାଢ଼ି ଧଡ଼ିରେ ମହାପ୍ରଭୁଙ୍କ ଚିତ୍ର ଦେଖିବାକୁ ମିଳିଥିଲା। ଏହି ହ୍ୟାଣ୍ଡମେଡ୍ ମଧୁବନୀ ପ୍ରିଣ୍ଟରେ ମହାପ୍ରଭୁଙ୍କ ଚିତ୍ର ଥିବା ଶାଢ଼ିର ଧଡ଼ି ଝୁଲିବା ଅବସ୍ଥାରେ ଦେଖିବା ପରେ ଏନେଇ ଜଗନ୍ନାଥପ୍ରେମୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲେ। ମାତ୍ର ଏହା କେବଳ ଗୋଟିଏରେ ସୀମିତ ନାହିଁ, ଅନେକ ଡ୍ରେସ୍ ଓ ଶାଢ଼ି ଡିଜାଇନର ଏବେ ମହାପ୍ରଭୁଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ବିଜ୍ଞାପିତ କରି ବିକ୍ରି କରିବାକୁ ଉଦ୍ୟମ ଚଳାଇଛନ୍ତି।
ଗ୍ରାଫିକ୍ସ ସୂତ୍ର ଡଟ୍ କମ୍ ନାମକ ଏକ ୱେବ୍ସାଇଟ୍ରେ ଡ୍ରେସ୍ର ତଳ ଭାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ରହିଥିବା ଦେଖିବାକୁ ମିଳିଛି। ସେହିଭଳି ଆଉଏକ ୱେବସାଇଟ୍ରେ ଟସର ସିଲ୍କ ଶାଢ଼ିରେ ମଧ୍ୟ ମହାପ୍ରଭୁଙ୍କ ଚିତ୍ର ରହିଥିବା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ନାମ ଓ ଚିତ୍ରକୁ ନେଇ ମୋଟା ଅଙ୍କର ଅର୍ଥ ରୋଜଗାର କରିବାକୁ କିଛି ବ୍ୟକ୍ତିବିଶେଷ ମହାପ୍ରଭୁଙ୍କୁ ପିନ୍ଧା ବସ୍ତ୍ରରେ ବି ବିକ୍ରି କରିବାକୁ ପଛାଉନାହାନ୍ତି। ଏନେଇ ସେବାୟତ ଓ ଭକ୍ତ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିଶେଷକରି ସୋସିଆଲ ମିଡିଆରେ ଏଭଳି ଶାଢ଼ି ଓ ଡ୍ରେସ ଘୂରି ବୁଲୁଛି। ଏନେଇ ଅନେକ ଶ୍ରୀଜଗନ୍ନାଥ ଭକ୍ତ ଡିଜାଇନର ସଂସ୍ଥା ଉପରକୁ ଆଙ୍ଗୁଠି ଉଠାଇଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଯାଏ ଶ୍ରୀମନ୍ଦିର ଶବ୍ଦ ଓ ମହାପ୍ରଭୁଙ୍କ ସମ୍ପର୍କିତ ବିଷୟକୁ ନେଇ ପେଟେଣ୍ଟ କରାଯାଇନଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଯାଇପାରିନାହିଁ।
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିଶ୍ବାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁ ପଣ୍ୟ ଦ୍ରବ୍ୟ ନୁହନ୍ତି, ସେ ଆମ ସମସ୍ତଙ୍କ ହୃଦୟର ଠାକୁର। ତାଙ୍କୁ ମାଧ୍ୟମ କରି, ବିଜ୍ଞପିତ କରି ରୋଜଗାର କରିବାକୁ ଅଧିକାର କିଏ ଦେଲା? ମହାପ୍ରଭୁଙ୍କ ଚିତ୍ର ଥିବା କପଡ଼ାଟିଏ ପୂଜା ପାଇଲେ ଚଳିବ, କିନ୍ତୁ କେହି ଏହାକୁ ଦେହରେ ପିନ୍ଧିବ, ତାହା ଆଦୌ ଗ୍ରହଣୀୟ ନୁହେଁ। ଏପରି କରି ସେମାନେ ଯଦି ପ୍ରଚାର କରୁଛନ୍ତି ବୋଲି ଭାବୁଛନ୍ତି, ତେବେ ଏହା ତାଙ୍କର ଭୁଲ ଧାରଣା। ବରଂ ମହାପ୍ରଭୁଙ୍କୁ ମନଇଚ୍ଛା ପିନ୍ଧା ବସ୍ତ୍ରରେ ଆଙ୍କି ବିକ୍ରି କରି ସେମାନେ ପାପ କରୁଛନ୍ତି। ଯଥାସମ୍ଭବ ସେମାନେ ଏଥିରୁ ବିରତ ରୁହନ୍ତୁ। ମହାପ୍ରଭୁଙ୍କର ଭକ୍ତ ହୋଇଥିଲେ, ତୁରନ୍ତ ଚେତିଯାଆନ୍ତୁ। ମହାପ୍ରଭୁଙ୍କୁ ଆଉ ପଣ୍ୟଦ୍ରବ୍ୟ ଭଳି ବ୍ୟବହାର କରନ୍ତୁ ନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/new-project-2-2025-10-29-11-08-44.jpg)