ପୁଣି ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ବିବାଦ: ହାଇକୋର୍ଟ ରାୟକୁ ସରକାରଙ୍କ ଚାଲେଞ୍ଜ

କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା ପୁଣି ହାଇକୋର୍ଟରେ ପହଞ୍ଚିଛି। କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରି ହାଇକୋର୍ଟ ପ୍ରଦାନ କରିଥିବା ରାୟ ବିରୋଧରେ ରାଜ୍ୟ ସରକାର ଦାଖଲ କରିଥିବା ରିଟ୍ ଅପିଲର ଆଜି ପ୍ରାରମ୍ଭିକ ଶୁଣାଣି ହୋଇଛି। ଏଥିସହିତ ପୂର୍ବର ମେଧା ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀଙ୍କ ତରଫରୁ ଦାଖଲ ରିଟ୍ ଅପିଲ୍‌ର ମଧ୍ୟ ଶୁଣାଣି ହୋଇଛି। ନିଯୁକ୍ତି ନିୟମାବଳୀ ଅନୁସାରେ ପୂର୍ବରୁ ମେଧା ତାଲିକା ପ୍ରକାଶ କରାଯାଇଥିଲା। ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ପକ୍ଷଭୁକ୍ତ ନ କରି ଓ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ମାର୍ଚ୍ଚ ୧୨ରେ ରାୟ ପ୍ରକାଶ କରାଯାଇଥିଲା। ଏଭଳି ସ୍ଥିତିରେ ଜଣିକିଆ ବିଚାରପତିଙ୍କ ରାୟକୁ ରଦ୍ଦ କରାଯାଉ ବୋଲି ରିଟ୍ ଅପିଲ ଗୁଡ଼ିକର ଶୁଣାଣି ବେଳେ ଆବେଦନକାରୀମାନଙ୍କ ତରଫରୁ ଦର୍ଶାଯାଇଥିଲା। ଶୁଣାଣି ସମୟରେ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ଉପସ୍ଥିତ ଥିଲେ। ଏହି ସବୁ ମାମଲାର ଆସନ୍ତା ୨୯ ତାରିଖରେ ପୂର୍ଣ୍ଣାଙ୍ଗ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ‌ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର, ଜୟମାରଥି ସେନାପତି, ସୋମନାଥ ମଣ୍ଡଳ, ବିକାଶ ବେ‌ହେରା ଓ ଅନ୍ୟମାନଙ୍କ ତରଫରୁ ଦାୟର ରିଟ୍ ଅପିଲ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩ ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଜାନୁଆରି ୧୫ରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ତରଫରୁ କନିଷ୍ଠ ଶିକ୍ଷକ ପଦ ପାଇଁ ଚିଠା ମେଧା ତାଲିକା (ଡ୍ରାଫ୍ଟ ମେରିଟ ଲିଷ୍ଟ) ପ୍ରକାଶ ପାଇଥିଲା। କିନ୍ତୁ ନିୟମ ଉଲ୍ଲଂଘନ କରି ଚିଠା ମେଧା ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ଏନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ମାର୍ଚ୍ଚ ୧୨ରେ ହାଇକୋର୍ଟ କନିଷ୍ଠ ଶିକ୍ଷକ ନିଯୁକ୍ତି ସଂପର୍କିତ ମାମଲାଗୁଡ଼ିକର ଏକତ୍ର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏଥିସହିତ ନିଯୁକ୍ତି ନିୟମାବଳୀ ଅନୁସାରେ ଜିଲ୍ଲାୱାରୀ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ୨୦୨୩ ଜାନୁଆରି ୧୫ରେ ପ୍ରକାଶିତ ଚିଠା ମେଧା ତାଲିକା (ଡ୍ରାଫ୍ଟ ମେରିଟ ଲିଷ୍ଟ) ଓ ପରବର୍ତ୍ତୀ ସମୟରେ ମୁଦା ଲଫାପାରେ ସରକାର ହାଇକୋର୍ଟରେ ଦାଖଲ କରିଥିବା ଜିଲ୍ଲାୱାରୀ ମେଧା ତାଲିକା ଗ୍ରହଣୀୟ ହୋଇ ନଥିଲା। ଏଭଳି ସ୍ଥିତିରେ ପୂର୍ବରୁ ପ୍ରସ୍ତୁତ ମେଧା ତାଲିକାକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହିତ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରହିଥିବା ନିୟମାବଳୀ ଅନୁସାରେ ଜିଲ୍ଲାୱାରୀ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ‌ପ୍ରାର୍ଥୀଙ୍କ ମେଧା ତାଲିକା ନିୟମ ଉଲ୍ଲଂଘନ କରି ପ୍ରସ୍ତୁତ ହୋଇଥିବା ଅଭିଯୋଗକୁ ନେଇ ଚିନ୍ତାମଣି ଭୂୟାଁ ଓ ଅନ୍ୟମାନଙ୍କ ତରଫରୁ ଦାୟର ୯ଟି ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଥିଲେ। ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଜେ.ସେନାପତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧ‌ଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର