କଟକ: ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଆଜି ସକାଳୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଡିସିନ୍ ବିଭାଗ ଆଇସିୟୁରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିଛନ୍ତି ଏସ୍ସିବି କର୍ତ୍ତୃପକ୍ଷ। ସୂଚନା ଅନୁସାରେ, ଭେଷଜ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ପ୍ରଫେସର ଡାକ୍ତର ବିଜୟ ବେହେରା, ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ନ୍ୟୁରୋଲୋଜି ବିଭାଗ ପ୍ରଫେସର ଡାକ୍ତର ଅଶୋକ ମଲ୍ଲିକ ପ୍ରମୁଖଙ୍କ ନେଇ ଗଠିତ ବିଶେଷଜ୍ଞ ଟିମ୍ ତାଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି।
ଏ ନେଇ ଡାକ୍ତର ପଣ୍ଡା କହିଛନ୍ତି ଯେ, ପଦ୍ମଶ୍ରୀ ପୂଜାରୀ ପୂର୍ବରୁ କିଡ୍ନି ରୋଗରେ ଆକ୍ରାନ୍ତ ଥିଲେ। ତା’ ସହିତ ରକ୍ତହୀନତା, ପରିସ୍ରା ସଂକ୍ରମଣ, ଜ୍ବର ଯୋଗୁଁ ସେ ଅସୁସ୍ଥ ହୋଇପଡିଛନ୍ତି। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମେୟର୍ ସୁବାସ ଚନ୍ଦ୍ର ସିଂହ ପଦ୍ମଶ୍ରୀ ପୂଜାରୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରୀ ଟିମ୍ ସହିତ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରି ୫ ତାରିଖରେ ପଦ୍ମଶ୍ରୀ ପୂଜାରୀଙ୍କୁ ଏସ୍ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ୮ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଯାଇଥିଲେ।