ପୁରୀ: ଶ୍ରୀମନ୍ଦିରରେ ଚାରିଦ୍ବାର ଦର୍ଶନ ବନ୍ଦ ପାଇଁ ପୁଣି ଥରେ ଆରମ୍ଭ ହୋଇଛି ଭିତିରିଆ ଷଡ଼୍‌ଯନ୍ତ୍ର। ନା କୌଣସି ଭକ୍ତ, ବୁଦ୍ଧିଜୀବୀ, ସଂଗଠକଙ୍କ ପରାମର୍ଶ ନିଆଯାଇଛି, ନା କୌଣସି ସେବାୟତଙ୍କର। ବିନା କୌଣସି ବିଚାରବିମର୍ଶରେ ପୁଣିଥରେ ଶ୍ରୀମନ୍ଦିର ଚାରିଦ୍ବାରରୁ ଦୁଇଟି ଦ୍ବାରରେ ପ୍ରବେଶ ବନ୍ଦ କରି ଦିଆଯାଇଛି। କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି। ଅକ୍ଟୋବର ୧୮ ତାରିଖରୁ ଏହି ନିୟମ ଲାଗୁ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ଫଳରେ ପୁଣି ଥରେ ଭକ୍ତମାନେ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହେବା ସହ ଖରାତରାରେ କଲବଲ ହେବା ପରିସ୍ଥିତି ଉପୁଜିଛି। ଅପରପକ୍ଷେ ମହାପ୍ରସାଦ ନେବାକୁ ଉତ୍ତରଦ୍ବାର ଦେଇ ପ୍ରବେଶ କରୁଥିବା ଭକ୍ତଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନି। ଏଣୁ ଯେଉଁ ଭକ୍ତମାନେ କାର୍ତ୍ତିକ ମାସରେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିରରେ ଯିବେ, ସେମାନେ ହଇରାଣ ହେବା ସହିତ ଦଲାଲଙ୍କ ଶିକାର ହେବାର ସମ୍ଭାବନା ଦେଖାଦେଇଛି।

Advertisment

ଦୁଇଦ୍ବାରରେ ପ୍ରବେଶ, ତିନିଦ୍ବାରରେ ପ୍ରସ୍ଥାନ
ମହାପ୍ରସାଦ ନେବାର ବିକଳ୍ପ ବ୍ୟବସ୍ଥା କଲେନି

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି, ପୁଣ୍ୟ ମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ସମ୍ପାଦନ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ତଥା ବ୍ରତଧାରୀ ଶ୍ରୀମନ୍ଦିରକୁ ଆସିବେ। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଆସନ୍ତା ଅକ୍ଟୋବର ୧୮ରୁ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଓ ପଶ୍ଚିମଦ୍ବାରରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯିବ। ସିଂହଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ରହିବନି। ବାକି ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ରହିବ। କିନ୍ତୁ ସେବାୟତ ଓ ସେମାନଙ୍କ ପରିବାର କ୍ଷେତ୍ରରେ ଏହି ନିୟମ ଲାଗୁ ହେବନି। ସେମାନେ ସବୁ ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ନିଆଯାଇଥିବା ଏହି ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ସହ ସହଯୋଗ କରିବେ ବୋଲି ଡ. ପାଢ଼ୀ ଆଶାପୋଷଣ କରିଛନ୍ତି। ଏହି ନିୟମ କେବଳ କାର୍ତ୍ତିକ ମାସ ପାଇଁ ଲାଗୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

କିନ୍ତୁ ଭକ୍ତ ମହଲ ପ୍ରଶ୍ନ କରିଛନ୍ତି, ପୂର୍ବରୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ଭକ୍ତଙ୍କୁ ଛଡ଼ାଯାଉଥିଲା। ଏହାକୁ ତୀବ୍ର ବିରୋଧ ପରେ ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ଅନୁଯାୟୀ ନୂଆ ବିଜେପି ସରକାର ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ କରିଥିଲେ। ସେବେଠୁ ଚାରିଦ୍ବାର ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ କରି ଆସୁଛନ୍ତି। କିନ୍ତୁ ଏବେ କାର୍ତ୍ତିକ ମାସ ଆଳରେ ପୁଣିଥରେ ଚାରିଦ୍ବାର ଦର୍ଶନ ବନ୍ଦ କରି ଦିଆଯାଇଛି। କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଇଛି। ଏହା ଅଯଥାରେ ପୁଣି ସିଂହଦ୍ବାରରେ ଭିଡ଼ ବଢ଼ାଇବ। ଭକ୍ତମାନେ ଦର୍ଶନ ପାଇଁ ଖରାତରାରେ ଧାଡ଼ିରେ ଛିଡ଼ା ହେବେ ଓ କଲବଲ ହେବେ। ଭକ୍ତମାନେ କହିଛନ୍ତି, କୋଭିଡ୍‌ ସମୟରେ ଭିଡ଼ ଆଳ ଦେଖାଇ ଚାରିଦ୍ବାର ଦର୍ଶନ ବନ୍ଦ କରି ଦିଆଯାଇଥିଲା। କୋଭିଡ୍‌ ହଟିଥିଲେ ବି ଏହି ନିୟମ ହଟାଇନଥିଲା ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ। ଏବେ ପୁଣି କାର୍ତ୍ତିକ ମାସର ଆଳ ଦେଖାଇ ଚାରିଦ୍ବାର ପ୍ରବେଶ ବନ୍ଦ କରି ଦିଆଯାଇଛି। ଏହା ଚାରିଦ୍ବାର ଦର୍ଶନ ବନ୍ଦ ପୂର୍ବର ଷଡ଼୍‌ଯନ୍ତ୍ର ନୁହେଁ ତ ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି।