କଟକ: ପୁଣି ହସିବ ଶିଳ୍ପନଗରୀ ଚୌଦ୍ବାର। ଓଟିଏମ୍‌ ପୁନରୁଦ୍ଧାର ଯୋଜନାରେ ଓଟିଏମ୍‌ ଜମିରେ ଖୋଲାଯିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ୍‌ ପାର୍କ। ଏଥିପାଇଁ ଆସନ୍ତା ୧୭ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଏହାର ଶୁଭ ଦେବେ। ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ହେବ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ସ୍ଥାନକୁ ଆସିବେ ତାହା ଅବଶ୍ୟ ଏଯାଏ ଚୂଡାନ୍ତ ହୋଇନି। ଖୁବ୍‌ଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି ଡିଆଇସି ଜିଏମ୍‌ ତରୁଣକାନ୍ତି ମହାନ୍ତି ସୂଚନା ଦେଇଛନ୍ତି। ସରକାର ଓଟିଏମ୍‌ର ଯେଉଁ ୫୨୨ଏକର ଜମି ନିଜ ଅଧୀନକୁ ନେଇ ସେଠାରେ ପ୍ରଥମ ପର୍ଯ୍ୟାୟରେ ୱେଲ୍‌ ସ୍ପୁନ୍‌ କମ୍ପାନି ଓ ଅନ୍ୟ କିଛି କମ୍ପାନିକୁ ମୋଟ ୪୭୮ଏକର ଜମି ଦେଇଛି ଇଡ୍‌କୋ। ବାକି ପାଖାପାଖି ୫୦ ଏକର ଜମି ଜଳାଶୟ, ରେଳଲାଇନ୍‌ ଓ ଜାତୀୟ ରାଜପଥ ସଂପ୍ରସାରଣରେ ଯାଇଛି।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସାଢେ ୪ହଜାର ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନ କରାଯିବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ୪ ହଜାର ଶ୍ରମିକ ଓଟିଏମ୍‌ ଶ୍ରମିକ ତାଙ୍କର ପ୍ରାପ୍ୟ ବାବଦକୁ ୯୭ କୋଟି ଟଙ୍କା ପାଇଛନ୍ତି। ବାକି ଯେଉଁ ୫୦୦ ଶ୍ରମିକ ପ୍ରାପ୍ୟ ପାଇନାହାନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ଠିକଣା ମିଳୁନି। ଇଡକୋ ଡିମାରକେସନ୍‌ ୱାଲ ନିର୍ମାଣ ଆରମ୍ଭ କରିଛି। ଟେକ୍ସଟାଇଲ୍‌ ଆଣ୍ଡ ଲଜିଷ୍ଟିକ୍‌ ପାର୍କ ପାଇଁ ୩ ହଜାର ୫୦ କୋଟି ଟଙ୍କା ବିନିଯୋଗ ସହ ୨୦ ହଜାର ନିଯୁକ୍ତି ସୃଷ୍ଟି ଯୋଜନା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୦୫ ଅଗଷ୍ଟ ୩୦ରେ ହାଇକୋର୍ଟଙ୍କ ରାୟ ଅନୁସାରେ ଲିକ୍ୟୁଡେଟରଙ୍କ ଜରିଆରେ ଓଟିଏମ ପ୍ଲାଣ୍ଟ ଓ ତତସଂଲଗ୍ନ ପ୍ଲାଣ୍ଟ ସହ ରହିଥିବା ପାଖାପାଖି ୮୨ଏକର ଜମିକୁ ଗୁଜୁରାଟର ଆଇବି ଏଣ୍ଟରପ୍ରାଇଜର୍ସକୁ ୨୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ୨୦୦୬ରେ ପ୍ରଥମଥର ପାଇଁ ସରକାର କୋର୍ଟରେ ହାଜର ହୋଇଥିଲେ। ୨୦୦୬, ସେପ୍ଟେମ୍ବର ୧୯ରେ ଓଟିଏମକୁ ଚଳାଇବେ ବୋଲି ସରକାର କହିଥିଲେ। ଯାହା ଫଳରେ ସବୁ ଟେଣ୍ଡର ବାତିଲ କରି ସାନି ଟେଣ୍ଡର କରାଗଲା। ସେଥିରେ ସର୍ତ୍ତ ରହିଲା ଯେ ସମଗ୍ର ଓଟିଏମ ଜମିକୁ ଜଣେ ନେବ ଓ କାରଖାନା ବଦଳରେ କାରଖାନା କରିବ। ୨୦୧୫ ଫେବ୍ରୁଆରି ୧୦ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ କମିଟି ବୈଠକ ବସି ଓଟିଏମ ବଦଳରେ ଇଣ୍ଟିଗ୍ରେଟେଡ ଇଣ୍ଡଷ୍ଟ୍ରିଆଲ ପାର୍କ ହେବ ବୋଲି କହିଥିଲେ। ଯେଉଁଠି ବୟନ ଶିଳ୍ପକୁ ଅଗ୍ରାଧିକାର ଦିଆଯିବ।

ଅଗଷ୍ଟ ୨, ୨୦୨୨ରେ ହାଇକୋର୍ଟ ଚୂଡାନ୍ତ ରାୟ ଦେଇଥିଲେ। ନିଷ୍ପତ୍ତି ଅନୁଯାୟୀ ସରକାର ଦେଢ଼ ଶହ କୋଟି ଟଙ୍କା କୋର୍ଟରେ ଦାଖଲ କଲେ। ତା ପୂର୍ବରୁ ୨୦୦୬ରେ ସରକାର ପର୍ଯ୍ୟାୟକ୍ରମେ ୩୫ କୋଟି ଟଙ୍କା ଦାଖଲ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ୧୯୪୬ରେ ଓଟିଏମର ପରିକଳ୍ପନା ଓ ଶୁଭ ଦିଆଯାଇଥିଲା। ୧୯୫୦ରେ ଏଠାରେ ଲୁଗା ଉତ୍ପାଦନ ଆରମ୍ଭ ହୋଇଥିଲା। ପ୍ରଥମେ ୯ହଜାର ଲୋକ ସେଥିରେ କାମ କରୁଥିଲେ। ତୁଳା ଆସୁଥିଲା ରାୟଗଡା ଓ ଭବାନୀପାଟଣାରୁ। ଓଡିଶାର ତୁଳା ଯୋଗାଣ ଆବଶ୍ୟକତା ଅନୁସାରେ ନହେବାରୁ ବାହାର ରାଜ୍ୟରୁ ବି ତୁଳା ଅଣାଯାଉଥିଲା। ୧୯୮୦ରେ ଏସିଆର ସର୍ବବୃହତ୍ତ କା‌ମ୍ପୋଜିଟ୍‌ ମିଲ (ତୁଳାରୁ ସୂତା ଓ ସୂତାରୁ କପଡା) ମାନ୍ୟତା ପାଇଥିଲା ଓଟିଏମ। ପିପିଲିର ଚାନ୍ଦୁଆ ପାଇଁ ଓଟିଏମ୍‌ରୁ ଯାଉଥିଲା କପଡା। ଦୈନିକ ‌ଏକ ଲକ୍ଷ ମିଟର ଏହାର ଉତପାଦନ କ୍ଷମତା ରହିଥିଲା ଓ ରାଜ୍ୟରେ କପଡା ବିକ୍ରି ପାଇଁ ଶହେରୁ ଉର୍ଦ୍ଧ୍ବ ସୋରୁମ୍‌ ରହିଥିଲା। ଏହାର ମୁଖ୍ୟ ବଜାର ଥିଲା କଲିକତା ଓ ଦିଲ୍ଲୀ। ଏପରିକି ଋଷିଆ, ଚାଇନା, ଇଣ୍ଡୋନେସିଆକୁ ବି ଓଟିଏମ୍‌ କପଡା ଯାଉଥିଲା। ଦେଶ ବାହାରକୁ ୬୦ ପ୍ରତିଶତ କପଡା ଯାଉଥିଲା ବିକ୍ରି ପାଇଁ। କିନ୍ତୁ ପରବର୍ତ୍ତୀ ସମୟରେ ପରିଚାଳନାଗତ ତ୍ରୁଟି ଓ କ୍ଷତି ଦର୍ଶାଇ ଜୁଲାଇ ୨୦୦୧ରେ ଓଟିଏମକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା।