ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଉପରେ ସୁପ୍ରିମ୍‌କୋର୍ଟ ସ୍ଥଗିତାଦେଶ ଜାରି ରହିଛି। ସାଢ଼େ ୩ ବର୍ଷ ହେଲା କଟକଣା ବଳବତ୍ତର ରହିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଦୁଇଟି ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ‌ହୋଇଛି। ବିଭାଗୀୟ ଅଧିକାରୀମାନେ ଅତି ଚତୁରତାର ସହ ବିଜ୍ଞପ୍ତି ଜାରି କରିଛନ୍ତି। କେଉଁ ଆଇନ ଅନୁଯାୟୀ କୁଳପତି ନିଯୁକ୍ତ ହେବେ ସେନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ ନା ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଆଧାରରେ ନିଯୁକ୍ତି ପ୍ରକ୍ରିୟା ହେଉଛି ସେନେଇ ବିଜ୍ଞପ୍ତିରେ କିଛି ଦର୍ଶାଇ ନାହାନ୍ତି। କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ରହିବା ନେଇ ବିଜ୍ଞପ୍ତିରେ କୁହାଯାଇଥିବାରୁ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ହେଉଥିବା ଜଣାପଡ଼ୁଛି।

Advertisment

ସାଂଘାତିକ କଥା ହେଉଛି ଯେ ନୂତନ ସରକାର ଗଠନ ହେବାର ପରଦିନ ହିଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକା‌ଶ ପାଇଛି। ଯେତେବେଳେ କି ବିଭାଗରେ କୌଣସି ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରି ନ ଥିଲେ। ଇତିମଧ୍ୟରେ ୨୦ ଦିନ ବିତିଗଲାଣି। ବିଜ୍ଞପ୍ତି ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ନୂତନ ମନ୍ତ୍ରୀ ଅବଗତ ଅଛନ୍ତି ନା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ସୁପ୍ରିମକୋର୍ଟ ସ୍ଥଗିତାଦେଶ ବଳବତ୍ତର ଥିବା ବେଳେ କେଉଁଭଳି ଭାବେ ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ବିଜ୍ଞପ୍ତି ପ୍ରକାଶ କରିଛନ୍ତି? ଏସମ୍ପର୍କରେ ମନ୍ତ୍ରୀ ଜାଣିଛନ୍ତି ତ? ନା ତାଙ୍କ ଅଗୋଚରରେ ବିଭାଗୀୟ ସ୍ବତନ୍ତ୍ର ସଚିବ ଉଚ୍ଚଶିକ୍ଷା ବିଭାଗକୁ ପୁଣିଥରେ କାଠଗଡ଼ାକୁ ଟାଣିବାକୁ ଉଦ୍ୟମ କରୁଛନ୍ତି? ଯଦି ସଂଶୋଧିତ ଆଇନ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ହୋଇପାରିବ ତାହା ହେଲେ ବର୍ଷାଧିକ କାଳ ହେଲା ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିଲା‌ କାହିଁକି? ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟକୁ ବାଦ୍‌ ଦିଆଗଲା କାହିଁକି?

ଦୁଇ ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ
ବିଭାଗରେ ମନ୍ତ୍ରୀ ନ ଥିବା ବେଳେ ସ୍ବତନ୍ତ୍ର ସଚିବଙ୍କ ବିଜ୍ଞପ୍ତି

ଗୋଟିଏ ସମୟରେ ବିଜେପି ବିରୋଧୀ ଦଳରେ ଥିବା ସମୟରେ ଏହି ସଂଶୋଧିତ ଆଇନକୁ ବିରୋଧ କରୁଥିଲା। ଏମିତିକି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ହିଁ ରାଜ୍ୟ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ମାମଲା କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବରେ ଓଡ଼ିଶାର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି। ରାଜ୍ୟରେ ମଧ୍ୟ ବିଜେପି ସରକାର। ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଡବଲ୍‌ ଇଞ୍ଜିନ୍‌ ସରକାର ଥିବା ସମୟରେ ପୂର୍ବ ସରକାର କରିଥିବା ଭୁଲ୍‌କୁ କିଭଳି ଦୋହରାଯାଉଛି ତାହାକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟରେ ପକ୍ଷ ଥିବା ପ୍ରଫେସର କୁଞ୍ଜବିହାରୀ ପଣ୍ଡା କହିଛନ୍ତି ଯେ ସ୍ଥଗିତାଦେଶ ଜାରି କରିଥିବା ବେଳେ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଆଦୌ ଠିକ୍‌ ନୁହେଁ। ଏବିଷୟରେ ନୂତନ ସରକାର କିମ୍ବା ମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ତାହା ସନ୍ଦେହରେ। କାରଣ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଓଡ଼ିଶା ଲୋକସେବା ଆୟୋଗ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା କରିଥିବାରୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ। ପ୍ରଫେସର ନିଯୁକ୍ତି ପ୍ରକ୍ରିୟା କରିବାକୁ ରାଜ୍ୟ ସରକାରଙ୍କ ସୁପ୍ରିମକୋର୍ଟଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇ ନାହିଁ। ଏପର୍ଯ୍ୟନ୍ତ ଚୂଡ଼ାନ୍ତ ରାୟ ଆସି ନାହିଁ। ତେଣୁ କେଉଁ ଆଧାରରେ ନିଯୁକ୍ତି ପ୍ରକ୍ରିୟା କରୁଛନ୍ତି ଭବିଷ୍ୟତରେ ରାଜ୍ୟ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ।

ଉକ୍ତ ଦୁଇ ବିଶ୍ବବିଦ୍ୟାଳୟ କୁଳପତି ପଦବି ପାଇଁ ଆଶାୟୀ ପ୍ରଫେସରମାନେ ଜୁଲାଇ ୧୦ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଆବେଦନ ପାଇଁ ଜଣେ ପ୍ରଫେସରଙ୍କର ଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ସମାନ ଯୋଗ୍ୟତା ଥିବା ଗବେଷଣା ଅନୁଷ୍ଠାନ, ଏକାଡେମିକ ସଂସ୍ଥାରେ ୧୦ ବର୍ଷର ଶିକ୍ଷକତା ଅଭିଜ୍ଞତା ଥିବା ଆବଶ୍ୟକ। ଆବେଦନକାରୀଙ୍କ ବୟସ ଜୁଲାଇ ପହିଲା ସୁଦ୍ଧା ସର୍ବାଧିକ ୬୩ ବର୍ଷ ହୋଇଥିବା ଆବଶ୍ୟକ। କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ହେବ। କାର୍ଯ୍ୟରେ ଯୋଗଦେବା ଦିନଠାରୁ ଏହାକୁ ଗଣନା କରାଯିବ। ନ ହେଲେ ସର୍ବାଧିକ ୬୭ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ପଦରେ ରହିପାରିବେ। ଆବେଦନ ଶେଷ ହେବା ପରେ ପ୍ରତି ବିଶ୍ବବିଦ୍ୟାଳୟ ଲାଗି ଏକ ଚୟନ କମିଟି ଗଠନ କରାଯିବ। କମିଟିର ସଦସ୍ୟମାନେ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ୩ ଜଣଙ୍କ ନାମ ତାଲିକା ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇବେ। ଉକ୍ତ ୩ ଜଣଙ୍କ ସାକ୍ଷାତକାର ନେବା ପରେ ରାଜ୍ୟପାଳ ଜଣଙ୍କୁ କୁଳପତି ଭାବେ ଚୟନ କରିବେ। ଏସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ମତାମତ ଆଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନାହିଁ।