କଟକ: ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ। ୨୦୧୯ ସାଧାରଣ ନିର୍ବାଚନରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଇଏ ଏକମାତ୍ର ନିର୍ବାଚନ ମଣ୍ଡଳୀ ଥିଲା, ଯେଉଁଠି କଂଗ୍ରେସ ତାର ବିଜୟବାନା ଉଡ଼ାଇବାରେ ସକ୍ଷମ ହୋଇଥିଲା। ପରିବର୍ତ୍ତିତ ସ୍ଥିତିରେ ୨୦୨୪ରେ ଅନେକ କାରଣରୁ ଏହି ନିର୍ବାଚନମଣ୍ଡଳୀର ଫଳାଫଳ ବି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ହେବ ବୋଲି ଆକଳନ କରାଯାଉଛି।
୨୦୧୯ରେ ଏଠି କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିବା ଇଂ. ମହମ୍ମଦ ମୋକିମ୍ ପୁଣିଥରେ କଂଗ୍ରେସର ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବାକୁ ଯାଉଥିବା ଖୋଲାଖୋଲି ଘୋଷଣା କରିଛନ୍ତି। ନିଜର ସାଂଗଠନିକ କାର୍ଯ୍ୟକ୍ରମ ଓ ଲୋକସଂପର୍କ ଅଭିଯାନ ନିୟମିତ ଭାବେ ଜାରି ରଖିଛନ୍ତି। ଯଦିଓ ହାଇକୋର୍ଟ ତାଙ୍କ ନିର୍ବାଚନକୁ ଇତିମଧ୍ୟରେ ଅସିଦ୍ଧ ଘୋଷଣା କରିଛନ୍ତି, କିନ୍ତୁ ୨୦୨୪ ନିର୍ବାଚନ ଲଢ଼ିବାରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମୋକିମ୍ କହୁଛନ୍ତି। ଏଭଳି ସ୍ଥିତିରେ କିନ୍ତୁ ମୋକିମ୍ଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଦେବାଶିଷ ସାମନ୍ତରାୟ ନିର୍ବାଚନ ପୂର୍ବରୁ ମଇଦାନରୁ ବାହାରିଯିବା ଘଟଣା ଏହି ଆସନକୁ ନେଇ ବିଜେଡିର ଗୁପ୍ତ ରଣନୀତିର ଆଭାସ ଦେଉଛି। ବାରବାଟୀ-କଟକରୁ ଦୁଇଥର ନିର୍ବାଚନ ଜିତିଥିବା ଏବଂ ୨୦୧୯ରେ ଅଳ୍ପ ଭୋଟରେ ହାରି ଯାଇଥିବା ଦେବାଶିଷଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇ ଏଠି ନୂଆ ଚେହେରା ପାଇଁ ବାଟ ସଫା କରିଛି। ହେଲେ, ନିର୍ବାଚନ ନିକଟତର ହୋଇ ସାରିଥିଲେ ବି ସେହି ଚେହେରା କିଏ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
ଅନ୍ୟପକ୍ଷରେ, ମୋକିମଙ୍କର ଅନ୍ୟତମ ପୁରୁଣା ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ ଯଦିଓ ପୁଣିଥରେ ମଇଦାନକୁ ଓହ୍ଲାଇବାକୁ ସଜବାଜ ହୋଇ ପାଗ ଭିଡୁଛନ୍ତି । କିନ୍ତୁ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ, ତାହା ସ୍ପଷ୍ଟ ହୋଇନାହିଁ। ୧୯୯୫, ୨୦୦୦ ଓ ୨୦୦୪ ନିର୍ବାଚନରେ କଟକ ସହର ଆସନରୁ ନିର୍ବାଚିତ ହୋଇ ସମୀର ଦେ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ। ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ହୋଇ ବାରବାଟୀ-କଟକ ହେବାପରେ ସମୀର ଏଠାରୁ ବିଜୟର ସ୍ବାଦ ଚାଖି ପାରି ନାହାନ୍ତି। ୨୦୦୯ ଓ ୨୦୧୯ ନିର୍ବାଚନରେ ସମୀର ଏଠାରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ତୃତୀୟ ସ୍ଥାନରେ ରହିଥିଲେ। ଏସବୁକୁ ବିଚାର କଲେ ଏଥର ବି ବାରବାଟୀ-କଟକ ଅତ୍ୟନ୍ତ ରୋଚକ ଲଢେଇ ଦେଖିବ ବୋଲି
ଆକଳନ କରାଯାଉଛି।