ସମ୍ବଲପୁର: ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ସମର୍ଥନ ବଢ଼ିବାରେ ଲାଗିଛି। ସାମାଜିକ ଗଣମାଧ୍ୟମ କେବଳ ପଶ୍ଚିମ ଓଡ଼ିଶା କାହିଁକି ବହୁ ସଂଖ୍ୟାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକେ ମନୋଜଙ୍କ ସପକ୍ଷରେ ପ୍ରତିକ୍ରିୟା ରଖୁଛନ୍ତି। ଏହାକୁ ନେଇ ବହୁ ଲୋକ ସ୍ବତନ୍ତ୍ର ରାଜ୍ୟ କଥା ଉଠାଉଛନ୍ତି। ଏପିରକି ଆଜି ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ମଧ୍ୟ ସ୍ବତନ୍ତ୍ର ରାଜ୍ୟ ଗଠନ ପ୍ରସଂଗ ଉଠାଇବା ସହିତ ଆଗାମୀ ଦିନରେ ଓଡ଼ିଆ ଚଳଚ୍ଚିତ୍ରରେ ଆଉ କାମ କରିବେନାହିଁ ବୋଲି ଘୋଷଣା କରିଛନ୍ତି।

Advertisment

ଅଭିନେତା ଅରିନ୍ଦମ ରାୟଙ୍କ ସମାଧାନ ନିମନ୍ତେ ଆସିବା ପାଇଁ ଭିଡିଓ ବାର୍ତ୍ତା ଦେବା ପରେ ମନୋଜ ମିଶ୍ର ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ବର୍ଷି ଥିଲେ। ଟୁଟୁ ନାୟକଙ୍କ ଯୋଗୁ ତାଙ୍କୁ ବାସନ୍ଦ କରାଯାଇଛି। ଆଉ ବାସନ୍ଦ ପରେ ମାଇଣ୍ଡଗେମ୍‌ ସାରା ଓଡ଼ିଶାର ହଲ୍‌ଗୁଡ଼ିକରୁ ଉଠାଇ ନିଆଯାଇଛି। ଟୁଟୁ ନାୟକଙ୍କ ବିତରକମାନଙ୍କ ଉପରେ ବହୁତ ପ୍ରଭାବ ରହିଛି। ତେଣୁ ଟୁଟୁ ବାବୁ ବିତରକମାନଙ୍କୁ କହି ମାଇଣ୍ଡଗେମ୍‌ ଓଡ଼ିଶାରେ ହଲ୍‌ଗୁଡ଼ିକରେ ଲଗାଇବା ପରେ ସେ ସମାଧାନ ପାଇଁ ସେଠାକୁ ଯିବେ ବୋଲି ସର୍ତ୍ତ ରଖିଥିଲେ। ଏଭଳି ସ୍ଥିତିରେ ଆଜି ସାମାଜିକ ଗଣମାଧ୍ୟମରେ ମ‌ନୋଜ ମିଶ୍ରଙ୍କ ବିରୋଧରେ କହୁଥିବା ଜିତୁ ରାଉତଙ୍କ ଏକ ପୋଷ୍ଟିଂକୁ ନେଇ ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଯୋଗେଶ କହିଛନ୍ତି, ‘ଜିତୁ ରାଉତ ଲେଖିଛନ୍ତି, କେହି ଖରାପ ଭାବିବେ ନାହିଁ, ଯଦି ଖରାପ ଭାବିବେ, ମୋର କିଛି ଅସୁବିଧା ନାହିଁ। କୌଣସି ପଶ୍ଚିମ ଓଡ଼ିଶାର ଲୋକ ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିପାରିବେ ନାହିଁ, ଯେ ପର୍ଯ୍ୟନ୍ତ କିଛି ଫାଇନାଲ ହୋଇନାହିଁ। ଜିତୁ ରାଉତଙ୍କ ଏହି କଥା ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କେବଳ କଟକ, ଭୁବନେଶ୍ବର ନୁହେଁ। ଏହା ସମଗ୍ର ଓଡ଼ିଶାର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ତମେ କିଣିଛ, ନା ତୁମ ମା’ ଯୌତୁକରେ ଆଣିଥିଲେ ବୋଲି ଜିତୁଙ୍କୁ ଯୋଗେଶ ପ୍ରଶ୍ନ କରିଛନ୍ତି। ପଶ୍ଚିମ ଓଡ଼ିଶାର ଲୋକ‌ କାମ କରିବେ କି ନାହିଁ, ସେ ବାବଦରେ ଓଏଫ୍‌ଡିସି କିଛି କହୁନାହିଁ। ଆମ ଅଂଚଳ, ଭାଷା ଓ ମାଟି ମା’ ଉପରେ ଯଦି କେହି ଟିପ୍ପଣୀ କରିବ, ତାକୁ ଆମେ ସହିବୁ ନାହିଁ। ମୋର ୨ଟି ଓଡ଼ିଆ ଚଳଚ୍ଚିତ୍ର ଏବେ ଅଧାରେ ପଡ଼ିଛି। ଆଉ ୩ଟି ଚଳଚ୍ଚିତ୍ର ପାଇଁ ମୁଁ ସାଇନ୍ କରିସାରିଛି। ମୁଁ ଘୋଷଣା କରୁଛି, ଆଉ ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବି ନାହିଁ। ଆମେ ସ୍ବତନ୍ତ୍ର ରାଜ୍ୟ କରିବୁ। ସମ୍ବଲପୁରୀ ଭାଷାରେ ଚଳଚ୍ଚିତ୍ର କରିବୁ। ଆମର ସ୍ବତନ୍ତ୍ର ଫିଲ୍ମ ଇଣ୍ଡଷ୍ଟ୍ରି କରିବୁ। ଆମର କାମ ଦେଖି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ପାଇଁ ଡାକୁଛନ୍ତି। ଏମିତିରେ ବି ଓଡ଼ିଆ ଚଳଚ୍ଚିତ୍ରରୁ ବେଶି ପାରିଶ୍ରମିକ ମିଳୁନାହିଁ। ୫୦ ହଜାର କିମ୍ବା ଲକ୍ଷେ। ଏଇ ନିକଟରେ ଛତିଶଗଡ଼ି ଫିଲ୍ମ କରି ସାଢ଼େ ୩ ଲକ୍ଷ ଟଙ୍କା ପାଇଛି’ ବୋଲି ଯୋଗେଶ ଗଣମାଧ୍ୟମକୁ କହିଛନ୍ତି।