ଦୁର୍ଘଟଣାଗ୍ରସ୍ତ ଆଣ୍ଡାମାନ ବୋଟ୍‌କୁ କବ୍‌ଜ‌ାକୁ ନେବା ସହ ଉଦ୍ଧାର ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ବ୍ରହ୍ମଗିରି : ମଝି ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଶୁକ୍ରବାର ଚିଲିକା କୃଷ୍ଣପ୍ରସାଦ ବ୍ଲକ୍ ଖିରିସାହି ଗାଁ ନିକଟ ସମୁଦ୍ରକୂଳରେ ଲାଗିଥିବା ଆଣ୍ତାମାନ ଦ୍ବୀପର ଟାପା(ବୋଟ୍‌)କୁ ଆଜି ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। ଏହା ସହିତ ପୁଲିସ ଓ ସ୍ଥାନୀୟ ବ୍ଲକ୍ ପ୍ରଶାସନିକ ଅଧିକାରୀମାନେ ଉଦ୍ଧାର ହୋଇଥିବା ଆଣ୍ତାମାନ ସହିଦ୍‌ ଦ୍ବୀପର ମତ୍ସ୍ୟଜୀବୀ ଅମିତ ଖୁଜର(୪୨)ଙ୍କୁ ଭେଟି ପଚରାଉଚରା କରିବା ସହ ତାଙ୍କ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ପୁଲିସ ଉଦ୍ଧାର ମତ୍ସ୍ୟଜୀବୀଙ୍କ ବୟାନ ରେକର୍ଡ କରିଛି।

ଅମିତ କହିବା ଅନୁଯାୟୀ ଅଗଷ୍ଟ ୨୮ରୁ ଏକ ଟାପା(ବୋଟ୍‌) ଯୋଗେ ଆଣ୍ଡାମାନରୁ କିଛି ଖାଦ୍ୟ ନେଇ ସମୁଦ୍ର ଭିତରେ ଏକ ମାଲବାହୀ ଜାହାଜରେ ଥିବା ଲୋକଙ୍କୁ ଦେବାକୁ ସେ ଏବଂ ତାଙ୍କ ବନ୍ଧୁ ଦିବ୍ୟରଞ୍ଜନ ଦାସ(୩୪) ଯାଇଥିଲେ। ଖାଦ୍ୟ ଦେବା ପରେ ସେମାନେ ଆଣ୍ଡାମାନ ଫେରୁଥିଲେ। କିନ୍ତୁ ସମୁଦ୍ର ମଝିରେ ଝଡ଼ତୋଫାନର ଶିକାର ହୋଇଥିଲେ। ଦିଗହରା ହୋଇ ବୋଟ୍‌ଟି ଫସି ଯିବା ସହ ତେଲ ସରି ଯାଇଥିଲା। ଅସୁସ୍ଥତା ଯୋଗୁଁ ଦିବ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ପରେ ଦିବ୍ୟରଞ୍ଜନଙ୍କ ମରଶରୀରରକୁ ସେ ସମୁଦ୍ରରେ ଫିଙ୍ଗି ଦେଇଥିଲେ।

ଗତକାଲି ବୋଟ୍‌ଟି ଓଡ଼ିଶା ଉପକୂଳରେ ବାଡ଼େଇ ହୋଇ ଓଲଟି ପଡ଼ିବା ପରେ ସ୍ଥାନୀୟ ‌ଲୋକେ ଅମିତଙ୍କୁ ଉଦ୍ଧାର କରି ଏ ସଂପର୍କରେ ସ୍ଥାନୀୟ ପୁଲିସ ଓ ପ୍ରଶାସନକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର