ସମୁଦ୍ରରେ ୫୬ ଦିନର ସଂଘର୍ଷ କାହାଣୀ କହିଲେ ଅମ୍ରିତ

୧୧ ଦିନ ପରେ ସମୁଦ୍ରରେ ସାଥୀଙ୍କ ମୃତ୍ୟୁ ହେଲା
ପୋର୍ଟବ୍ଲେୟାର୍‌ରୁ ବାହାରିଥିଲେ
ଭାସି ଭାସି ଆସି କୃଷ୍ଣପ୍ରସାଦରେ ଲାଗିଲେ
ପୁରୀ ଆସୁଛନ୍ତି ପରିବାର ଲୋକ

ପୁରୀ/ବ୍ରହ୍ମଗିରି : ସାରା ଦେଶରେ ଏବେ ଚର୍ଚ୍ଚ‌ା ଚାଲିଛି ଅମ୍ରିତ କୁଜୁରଙ୍କ ସମୁଦ୍ର ଭିତରେ ସଂଘର୍ଷର କାହାଣୀ। ପୋର୍ଟ ବ୍ଲେୟାରରୁ ଯାତ୍ରା ଆରମ୍ଭ କରି ମଝି ସମୁଦ୍ରରେ ନିଖୋଜ କୁଜୁରଙ୍କୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଉପକୂଳ ଖିରିସାହିରୁ ଉଦ୍ଧାର କରିବା ପରେ ସମୁଦ୍ର ଭିତରେ ତାଙ୍କ ଦୁଇମାସର ସଂଘର୍ଷ କାହାଣୀ ସାମ୍ନାକୁ ଆସିଛି। ପୁରୀ ପୁଲିସ କୁଜୁରଙ୍କୁ ଉଦ୍ଧାର କରି ପୁରୀ ସର୍ବୋଦୟନଗରସ୍ଥିତ ସହରାଞ୍ଚଳ ବିଶ୍ରାମ ଗୃହରେ ରଖିଛି। ପୁରୀ ପ୍ରଶାସନ ଆଣ୍ଡାମାନ ପ୍ରଶାସନ ସହିତ ଏ ନେଇ କଥା ହୋଇଛି। ସେଠାକାର ପ୍ରଶାସନ ତାଙ୍କ ପରିବାରକୁ ଧରି ଖୁବଶୀଘ୍ର ପୁରୀରେ ପହଞ୍ଚିବେ। ପରେ ତାଙ୍କୁ ହସ୍ତାନ୍ତର କରାଯିବ। କୁଜୁର ଏବେ ସୁସ୍ଥ ଅଛନ୍ତି। ତାଙ୍କର ସମସ୍ତ କାଗଜପତ୍ର ‌କାମ ମଧ୍ୟ ଶେଷ ହୋଇଛି।

କୁଜୁର ଆଜି ଗଣମାଧ୍ୟମ ସମ୍ମୁଖରେ ତାଙ୍କ ସଂଘର୍ଷର କାହାଣୀ କହିଛନ୍ତି। ତେବେ ତାଙ୍କ କାହାଣୀ ‌ଯେତିକି ସତ ଲାଗୁଛି, ସେତିକି ରହସ୍ୟମୟ ମଧ୍ୟ ମନେ ହେଉଛି। ଅଗଷ୍ଟ ୨୮ରୁ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫୬ ଦିନ ଅଖିଆଅପିଆ ସମୁଦ୍ରରେ ରହିବା ଓ ଜୀବିତ ଅବସ୍ଥାରେ କୃଷ୍ଣପ୍ରସାଦରେ ଲାଗିବା ଘଟଣ‌ା ବେଶ ରୋମାଞ୍ଚକର । ତାଙ୍କ କହିବା କଥା ହେଲା, ଗତ ଅଗଷ୍ଟ ୨୮ ତାରିଖରୁ ସେ ଓ ତାଙ୍କ ସହ‌ଯୋଗୀ ଏକ ଟାପା ବୋଟ୍‌ରେ ସହିଦ ଦ୍ବୀପକୁ ଯାତ୍ରା ଆରମ୍ଭ କରିଥିଲେ। ଏକ କାର୍ଗୋସିପ୍‌କୁ କିଛି ଖାଦ୍ୟ ସାମଗ୍ରୀ ଦେବାକୁ ଯାଇଥିଲେ। ତେବେ ବାଟ‌ରେ ଝଡ ତୋଫାନ‌ର ଶିକାର ହୋଇଥିଲେ। ପରେ ସମୁଦ୍ର ଭିତରେ ଦିଗହରା ହୋଇଯାଇଥିଲେ। ଡଙ୍ଗା ଭିତରେ ଖାଦ୍ୟ ସାମଗ୍ରୀ ରହିଥିଲା। ଡଙ୍ଗାଟି ଭାଂଗିଯିବା ପରେ ଡଙ୍ଗାରେ ରହିଥିବା କିଛି ପାଣି ଓ ଶୁଖିଲା ଖାଦ୍ୟ ରଖି ସବୁତକ ପାଣିକୁ ଫିଙ୍ଗି ଦେଇଥିଲେ। ତଥାପି ଅମ୍ରିତ ଓ ତାଙ୍କ ବନ୍ଧୁ କୂଳକିନାରା ପାଇନଥିଲେ।

ମୋବାଇଲ ଚାର୍ଜ ସରିଗଲା, ନେଟୱାର୍କ ବି ମିଳିଲାନି। ପରେ ସମୁଦ୍ରରେ ଦୀର୍ଘ ୧୫ ଦିନ ଜୀବନ ସହିତ ସଂଘର୍ଷ କଲା ପରେ ସେମ‌ାନେ ଏକ ଫିସିଂ ବୋଟକୁ ଦେଖିଥିଲେ। ସେମାନଙ୍କୁ ହାତଠାରି ଡାକିଥିଲେ। ବୋଟରେ ଥିବା ନାବିକ ଏମାନଙ୍କ ଇସାରା ବୁଝିଥିଲେ। ସେତେବେଳକୁ ସେମାନେ ବର୍ମାରେ ପହଞ୍ଚି ଯାଇଥିଲେ। ସଂପୃକ୍ତ ବୋଟ୍‌ର ନାବିକମାନେ ‌ଏ ସ୍ଥାନକୁ ବର୍ମା ବୋଲି କହିଥିଲେ। ପରେ ତାଙ୍କୁ ୪୦ ଲିଟର ତେଲ ଓ କିଛି ଖାଦ୍ୟ ଦେଇଥିଲେ। ସେତିକି ତେଲରେ ସେମାନେ ଯାଇ ବର୍ମା ଉପକୂଳରେ ପହଞ୍ଚିଥିଲେ।

ବର୍ମା ନୌସେନା ତାଙ୍କ କାଗଜପତ୍ର ଯାଞ୍ଚ କରିବା ପରେ ସେମାନଙ୍କୁ ଦୁଇଦିନ ପାଖରେ ରଖିଥିଲେ। ପ‌ରେ ସେମାନଙ୍କୁ କିଛି ତେଲ ଓ ଖାଦ୍ୟ ଦେଇ ଆଣ୍ଡାମାନ ପଠାଇଥିଲେ। ତେବେ ଫେରିବା ବାଟରେ ପୁଣିଥରେ ସାମୁଦ୍ରିକ ଝଡ଼ର ଶିକାର ହୋଇଥିଲେ। ସମୁଦ୍ର ଭିତରେ ଏଣେତେଣେ ବୁଲିଲେ। ତେଲ ଓ ଖାଦ୍ୟ ସରିଗଲା । କିଛି ଦିନ ସମୁଦ୍ରର ଲୁଣି ପାଣି ପିଇ ଜୀବନ ବଞ୍ଚାଇ‌ଲେ। ତେବେ ୧୧ ଦିନ ପରେ ‌ସମୁଦ୍ର ଭିତ‌‌ରେ ଲୁଣି ପାଣି ପିଉଥିବା ତାଙ୍କର ସାଥୀ ଦିବ୍ୟରଂଜନଙ୍କ ମୃତ୍ୟୁ ହୋଇଥିଲ‌ା। ସାଥୀର ମୃତ୍ୟୁ ଦେଖି ସେ ଭୟଭୀତ ହୋଇପଡିଥିଲେ ବି ବୋଟ୍‌ ଭିତରେ ସାଥୀର ମୃତଦେହ ରଖିଥିଲେ। ପଚା ଗନ୍ଧ ହେବାରୁ ସାଥୀର ମୃତଦେହକୁ ପାଣିରେ ଫିଙ୍ଗି ଦେଇଥିବ‌ା କହିଛନ୍ତି କୁଜୁର।

ତେବେ ସେ ପୁରୀ ଉପକୂଳ କୃଷ୍ଣପ୍ରସାଦରେ‌ କେମିତି ଲାଗିଲେ ତାହା ଜାଣିନାହାନ୍ତି। ତାଙ୍କର ବଂଚିବାର ଥିଲା, ‌ସେଥି ପାଇଁ ସେ ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ପହଞ୍ଚିଛନ୍ତି। ସେଥିପାଇଁ ସେ ମହାପ୍ରଭୁଙ୍କୁ ଧନ୍ୟବାଦ ଦେଇଛନ୍ତି। ସ୍ଥାନୀୟ ଲୋକ ତାଙ୍କୁ ଡଙ୍ଗାରୁ ଉଦ୍ଧାର କରି ତାଙ୍କର ସେବା ଓ ଯତ୍ନ ନେଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗ ସେ ଜୀବନ ସାରା ମନେରିଖିବେ। ଘରେ ତାଙ୍କ ପତ୍ନୀ ଓ ତିନି ଝିଅ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ପରିବାର ଲୋକଙ୍କ ସହିତ ସେ ଫୋନରେ କଥା ହୋଇଛନ୍ତି। ଘର ଲୋକ ଆସିବା ପ‌ରେ ସେ ଘରକୁ ଫେରିଯିବେ ବୋଲି କହିଛନ୍ତି। ଅମ୍ରିତଙ୍କ ଏହି ସଂଘର୍ଷର କାହାଣୀ ଏନେକ ପ୍ରଶ୍ନ ଉଠାଇଥିବା ବେଳେ ପୁଲିସ ଏହି ସବୁ ଦିଗକୁ ଗୁରୁତର ସହ ନେଇନାହିଁ।

ସମ୍ବନ୍ଧିତ ଖବର