ଅଶାନ୍ତ ସମୁଦ୍ର ମଧ୍ୟରେ ଦୀର୍ଘ ୨୮ ଦିନ ଓ ୨ଟି ସାମୁଦ୍ରିକ ଘୂର୍ଣ୍ଣିଝଡ଼କୁ ସାମନା କରି ଶେଷରେ ଚିଲିକା କୂଳରେ ଲାଗିଲେ ଆଣ୍ଡାମାନର କୁଜୁର

ପୁରୀ: ଆଣ୍ଡାମାନ୍‌ ଓ ନିକୋବାରର ଶାହୀଦ୍‌ ଦ୍ୱୀପର ଜନୈକ ୪୯ ବର୍ଷ ବୟସ୍କ ଧୀବର ହେଉଛନ୍ତି ଅମ୍ରିତ୍‌ କୁଜୁର୍‌। ଏବେ କୁଜୁରଙ୍କୁ ନେଇ ଖାଲି ଓଡ଼ିଶା ନୁହେଁ ବରଂ ଦେଶବ୍ୟାପି ଚର୍ଚ୍ଚା। କାରଣ, କୁଜୁରଙ୍କ ସଂଗ୍ରାମର କାହାଣୀ ନୋବେଲ ପୁରସ୍କାରପ୍ରାପ୍ତ ଖ୍ୟାତନାମା ଔପନ୍ୟାସିକ ହେମିଙ୍ଗ୍‌େଓ୍ଵଙ୍କର ଚର୍ଚ୍ଚିତ ଉପନ୍ୟାସ ‘ଦ ଓଲଡ୍‌ମ୍ୟାନ୍‌ ଆଣ୍ଡ ଦ ସି’ର ମୁଖ୍ୟ ଚରିତ୍ର ବୃଦ୍ଧ ସାଣ୍ଟିଆଗୋ ଠାରୁ କୌଣସି ଗୁଣରେ କମ୍‌ ନୁହେଁ। ଅଶାନ୍ତ ସମୁଦ୍ର ଓ ଉତ୍ତାଳ ଢ଼େଉ ସହ ନିଜ ଯନ୍ତ୍ର ଚାଳିତ ଡଙ୍ଗାରେ ଦୀର୍ଘ ୨୮ ଦିନ ମଧ୍ୟରେ ଦୁଇ ଦୁଇଟି ସାମୁଦ୍ରିକ ଝଡ଼କୁ ସାମନା କରି ସେ ଯେପରି ଭାବେ ଆସି ଓଡ଼ିଶା ଉପକୂଳରେ ଜୀବିତ ଭାବେ ପହଞ୍ଚିଛନ୍ତି ତାହା ଯେତିକି ଆଶ୍ଚର୍ଯ୍ୟଜନକ ତା’ଠାରୁ ବହୁ ଅଧିକ ଗୁଣରେ ରୋମାଞ୍ଚପୂର୍ଣ୍ଣ।

ସେପ୍ଟେମ୍ବର ୨୮ ତାରିଖ ସକାଳେ ଓଡ଼ିଶା ଉପକୂଳ ଠାରୁ ପ୍ରାୟ ୧୩୦୦ କିଲୋମିଟର ଦୂର ଆଣ୍ଡାମାନ ଉପକୂଳରୁ କୁଜୁର ତାଙ୍କର ବନ୍ଧୁ ଦିବ୍ୟରଂଜନଙ୍କୁ ସଙ୍ଗରେ ଧରି ସମୁଦ୍ର ଭିତରେ ଆରମ୍ଭ କରିଥିଲେ ତାଙ୍କର ଯାତ୍ରା। ହେଲେ, ମଝି ସମୁଦ୍ରରେ ଥିବା ବେଳେ ମାଡ଼ି ଆସିଲା ପ୍ରଳୟଙ୍କରୀ ସାମୁଦ୍ରିକ ଘୂର୍ଣ୍ଣିଝଡ଼। ସେଥିରେ ତାଙ୍କ ଡଙ୍ଗା ସଂପୂର୍ଣ୍ଣ ରୂପେ ଭାଙ୍ଗିଯିବା ସହ ମଝି ସମୁଦ୍ରରେ ତାଙ୍କୁ କରିଦେଲା ଦିଗଭ୍ରଷ୍ଟ। ସାଙ୍ଗରେ ଯାହା କିଛି ବି ଥିଲା ସବୁ କିଛି ଉଡ଼ିଗଲା ସମୁଦ୍ର ଭିତରକୁ।

News18

ତଥାପି ହାରି ନଥିଲେ କୁଜୁର। ପେଟକୁ ଦାନା ନାହିଁ ପାଟିକୁ ପାଣି ନାହିଁ; ତଥାପି ବଞ୍ଚିବାର ଆଶା ହରାଇ ନଥିଲେ ସେ। ଭାବୁଥିଲେ ଆଉ ଅଳ୍ପ ଦୂରରେ କୂଳ ଆସିଯିବ। ମରୁଭୂମିରେ ମରୀଚିକା ପଛରେ ଧାଇଁବା ପରି ମଝି ସମୁଦ୍ରରେ ଦିଗଭ୍ରଷ୍ଟ ହୋଇ ଉତ୍ତାଳ ସମୁଦ୍ର ଭିତରେ ସେ ବାହି ଚାଲିଥିଲେ ତାଙ୍କର ଡଙ୍ଗାକୁ। ହେଲେ, ବିନା ଖାଦ୍ୟ ବିନା ପାଣିରେ ମୃତ୍ୟୁ ହୋଇଗଲା ତାଙ୍କ ବନ୍ଧୁ ଦିବ୍ୟରଂଜନଙ୍କର। ଦିବ୍ୟରଂଜନଙ୍କ ମୃତ୍ୟୁର ଦୁଇଦିନ ପରେ ମୃତଦେହକୁ ଫିଙ୍ଗିବାକୁ ବାଧ୍ୟ ହେଲେ ମଝି ସମୁଦ୍ରରେ। କାରଣ, ତାହା ପଚିବାକୁ ଆରମ୍ଭ କରିଥିଲା।

କିନ୍ତୁ, କୂଳର ସନ୍ଧାନ ମିଳୁନଥିଲା ତାଙ୍କୁ। ନିଜ ଗାମୁଛାକୂୁ ବର୍ଷା ପାଣିରେ ଭିଜାଇ ସେଇ ପାଣିକୁ ପିଉଥିଲେ। ଶେଷରେ ଗତ ୨୫ ତାରିଖରେ ତାଙ୍କର ଡଙ୍ଗା ଆସି ଲାଗିଲା ଚିଲିକା ତଟବର୍ତ୍ତୀ ଖିରିସାହି ଠାରେ। ସେତେବେଳକୁ ନିଜ ଭଙ୍ଗା ଡଙ୍ଗା ଭିତରେ ଅଚେତ ହୋଇ ମୃତବତ୍‌ ପଡ଼ିଥିଲେ କୁଜୁର। ଖବର ପାଇ କୃଷ୍ଣପ୍ରସାଦ ପୁଲିସ୍‌ ତାଙ୍କୁ ଉଦ୍ଧାର କଲା ସମୁଦ୍ର କୂଳରୁ। ପରେ ସାଷ୍ଟାମ ହୋଇ ଚେତା ଫେରିପାଇବା ପରେ ସେ ବଖାଣିଛନ୍ତି ତାଙ୍କର କାହାଣୀ।

ସମ୍ବନ୍ଧିତ ଖବର