କୋରାପୁଟ/ପଟାଙ୍ଗି: କୋଟିଆ ଛାଡ଼ିବା ପାଇଁ ଆନ୍ଧ୍ରର ମନ ମାନୁନି। ପ୍ରତିବାଦ ସତ୍ତ୍ବେ ଲୁଚିଛପି ପଶି ଆସୁଛନ୍ତି। ପରିସ୍ଥିତି ବିଗିଡ଼ିଲେ କିଛି ଦିନ ନିରବ ରହୁଛନ୍ତି। ସ୍ଥିତି ଥଣ୍ଡା ହେଲେ ପୁଣି ପଶୁଛନ୍ତି। ଯାହାର ଉଦାହରଣ ଗତକାଲି ବିବାଦୀୟ ଭୂଖଣ୍ଡ କୋଟିଆରେ ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରାଶାସନିକ ଅଧିକାରୀ ପେସା ଆଇନ ସଂପର୍କରେ ସଚେତନତା ସୃଷ୍ଟି ଆଳରେ ଆଦିବାସୀଙ୍କୁ ଭ୍ରମିତ ଓ ପ୍ରଲୋଭିତ କରିଛନ୍ତି।
ଗୁଇନ୍ଦା ବିଭାଗ ବିଫଳତାର ସୁଯୋଗ ନେଇ ଗତକାଲି ଦିନ ୧୧ଟାରେ ଓଡ଼ିଶାରେ ପଶିଥିଲେ ଆନ୍ଧ୍ର ଅଧିକାରୀ। କିଛି ଘଣ୍ଟା ଏଠାରେ ବିତାଇ ସରକାରୀ କାର୍ଯ୍ୟକ୍ରମ କରିଥିଲେ ସୁଦ୍ଧା ଓଡ଼ିଶା ପୁଲିସ କିମ୍ବା ପଟାଙ୍ଗି ବ୍ଲକ ପ୍ରଶାସନ ଟେର୍ ପାଇନଥିଲା। ଏଭଳି କାର୍ଯ୍ୟକ୍ରମ ହେବ ବୋଲି ଆନ୍ଧ୍ରର ଏଜେଣ୍ଟ ବହୁ ପୂର୍ବରୁ ଜାଣିଥିଲେ। ତେଣୁ କାର୍ଯ୍ୟକ୍ରମର ଆୟୋଜନ କରିବା ସହ ଲୋକଙ୍କୁ ପ୍ରସ୍ତୁତ କରି ରଖିଥିଲେ। ଫାଟୁସିନେରୀ ସହ ଆଖପାଖ ଗାଁରେ ଏହି ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆନ୍ଧ୍ର ପଞ୍ଚାୟତିରାଜ ବିଭାଗ ଅଧିକାରୀ ରମେଶ କୁମାରଙ୍କ ସହ ସୀମାଞ୍ଚଳମ୍ ଏବଂ ମହେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟକୁ ପେସା ଆଇନ ଅନୁସାରେ ଉଚିତ ଦର ମିଳିବ ବୋଲି ଲୋକଙ୍କୁ ପ୍ରଲୋଭିତ କରିଥିଲେ। ମଧ୍ୟସ୍ଥି କିମ୍ବା ଦଲାଲଙ୍କୁ ବିକ୍ରି ନ କରି ସିଧାସଳଖ ଆନ୍ଧ୍ର ସରକାରଙ୍କୁ ଦେବା ନିମନ୍ତେ ଭ୍ରମିତ କରିଥିଲେ।
ଏପରିକି ଆନ୍ଧ୍ର ସରକାର ଧାର୍ଯ୍ୟ କରିଥିବା କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟଗୁଡ଼ିକର ଦର ବିଷୟରେ ଅଞ୍ଚଳବାସୀଙ୍କୁ ଅବଗତ କରିଥିଲେ। ଆନ୍ଧ୍ର ଏବଂ ଓଡ଼ିଶାରେ ସରକାର ବଦଳିବା ପରେ ବି ଦୁଇ ରାଜ୍ୟର ପ୍ରାଶାସନିକ ଅଧିକାରୀଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ଆନ୍ଧ୍ର ଅଧିକାରୀ ପୂର୍ବଭଳି ଅନୁପ୍ରବେଶ କରୁଛନ୍ତି। ଅନ୍ୟପଟେ ଓଡ଼ିଶାର ପ୍ରାଶାସନିକ ଅଧିକାରୀ ପୂର୍ବଭଳି ଅଙ୍କୁଶ ଲଗାଇବା କିମ୍ବା ରୋକିବାରେ ବିଫଳ ହୋଇଛନ୍ତି। ଯଦି ଏମିତି ଧାରା ଜାରି ରହିବ ତେବେ ବିବାଦର ସମାଧାନ କେମିତି ହେବ ବୋଲି ପ୍ରଶ୍ନ ଉଠିଛି। ତେବେ ନୂଆ ବର୍ଷରେ ଆନ୍ଧ୍ରର ଏହା ପ୍ରଥମ ଅନୁପ୍ରବେଶ ନୁହେଁ। ସେବା ଆଳରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ବାରମ୍ବାର କୋଟିଆରେ ପଶି ଲୋକଙ୍କୁ ପ୍ରଭାବିତ କରୁଛନ୍ତି।