କୋରାପୁଟ/ପଟାଙ୍ଗୀ: କୋଟିଆ ଉପରୁ ଆନ୍ଧ୍ରର ଲୋଲୁପ ଦୃଷ୍ଟି ହଟୁନି। ବିଭିନ୍ନ ସମୟରେ ବିବାଦୀୟ କୋଟିଆରେ ଅନୁପ୍ରବେଶ କରୁଥିବା ଆନ୍ଧ୍ରର ଅଧିକାରୀମାନେ ଆଜି ନାରଡି ବାଲସାରେ ଏକ ଜନ ସଂପର୍କ ଶିବିର କରିଛନ୍ତି। ଲୋକଙ୍କୁ ବିଭିନ୍ନ ସହାୟତା ବାଣ୍ଟିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। କିନ୍ତୁ ଓଡ଼ିଶା ସରକାର ଟେର ପାଇ ନାହାନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି। ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ଉଦ୍ୟମ କରୁଛି। ତେବେ ଗତ ଜାନୁଆରିରେ ବଡ ଧରଣର ଅନୁପ୍ରବେଶ କରିଥିଲା ଆନ୍ଧ୍ର। ବିଜୟନଗରମର ଜିଲ୍ଲାପାଳ ଓ ତାଙ୍କର ଡଜନେ ଅଧିକାରୀ କୋଟିଆ ଅଂଚଳକୁ ଆସି ତାଙ୍କ ରାଜ୍ୟର ସରକାରୀ ସହାୟତା ବଣ୍ଟନ କରିଥିଲେ। ପରେ ହଠାତ ଚେଇଁ ଉଠିଥିଲେ ଓଡ଼ିଶା ସରକାର। କୋଟିଆରେ ବହୁ ଅଧିକାରୀଙ୍କ ପାଦ ପଡିଥିଲା। କୋଟିଆ ବିକାଶ ପାଇଁ ଯୋଜନା କରାଯିବା ସହ ଲୋକଙ୍କ ସହ ଅଧିକାରୀମାନେ ମିଶିଥିଲେ। ତେବେ ଏହାର ପାଲଟା ଜବାବ ଦେଇଛି ଆନ୍ଧ୍ର। ଆଜି ଆନ୍ଧ୍ରର ବହୁ ଅଧିକାରୀ ବିବାଦୀୟ ନାରଡି ବାଲସାରେ ଜନସଂପର୍କ ଶିବିର କରିଛନ୍ତି। ବିଜୟନଗରମ ଅତିରିକ୍ତ ଏସପି ଦୀପକ ପଟେଲଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ବହୁ ପୁଲିସ ଓ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ। ସେମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ବିଭିନ୍ନ ସହାୟତା ବାଣ୍ଟିଛନ୍ତି। ଆଜି ଅନୁଷ୍ଠିତ ଜନ ସଂପର୍କ ଶିବିରରେ ବିଭିନ୍ନ ଗ୍ରାମରୁ ପାଖାପାଖି ହଜାରେ ଲୋକ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଜଟିଳ ରୋଗର ଶିକାର ହୋଇଥିବା ଲୋକଙ୍କର ଅସ୍ତ୍ରୋପଚାର କରିବାକୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କର ମାଗଣା ଅସ୍ତ୍ରୋପଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆନ୍ଧ୍ର ଅଧିକାରୀ। ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ଦିନ ତମାମ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ଓଡ଼ିଶା ସରକାର କିମ୍ବା ଜିଲ୍ଲା ପ୍ରଶାସନ ପାଖରେ ଏହାର ଖବର ନ ଥିଲା।