ପଟାଙ୍ଗି: ଦ୍ବୈତ ଆଧାରକାର୍ଡ ଯୋଗୁଁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିଲେ କୋଟିଆବାସୀ। ଗଣମାଧ୍ୟମରେ ଖବର ପ୍ରକାଶ ପରେ ତତ୍ପର ହୋଇଥିଲା ପ୍ରଶାସନ। ସମସ୍ତ ଯୋଗ୍ୟ ମହିଳା ଯୋଜନାରେ ସାମିଲ ହେବେ ବୋଲି ପ୍ରକାଶ କରି ଗାଁ ଗାଁ ବୁଲି ହିତାଧିକାରୀଙ୍କ ସନ୍ଧାନ କରିଥିଲା। ଯାହାକୁ ସହ୍ୟ କରିପାରିନି ଆନ୍ଧ୍ର। ହିତାଧିକାରୀଙ୍କ ହକ୍ ମାରିବା ପାଇଁ ଆଜି କୋଟିଆରେ ଅନୁପ୍ରବେଶ କରିଛନ୍ତି ଆନ୍ଧ୍ର ଅଧିକାରୀ।
କୋଟିଆ ପଞ୍ଚାୟତର ନେରେଡିବାଲସା ଆଜି ଚଳଚଞ୍ଚଳ ହୋଇଥିଲା। ଗୋଟିଏ ତେନ୍ତୁଳି ଗଛମୂଳରେ ଆଧାରକାର୍ଡ ଧରି ଏକାଠି ହୋଇଥିଲେ ପେନ୍ସନ୍ ହିତାଧିକାରୀ, ଦିବ୍ୟାଙ୍ଗ ଓ ଛାତ୍ରଛାତ୍ରୀ। ଲୁଚିଛପି ଅନୁପ୍ରବେଶ କରିଥିବା ଆନ୍ଧ୍ରର ବିଭିନ୍ନ ବିଭାଗ ଅଧିକାରୀ ସମସ୍ତଙ୍କ ଆଙ୍ଗୁଠି ଛାପ ନେଇଥିଲେ। ସେମାନେ ଆଧାରକାର୍ଡ ଅପଡେଟ୍ ସହ ଇ-କେୱାଇସି କରିଥିବା ସୂଚନା ମିଳିଛି। ଆନ୍ଧ୍ର ସରକାରଙ୍କ ସମସ୍ତ ଯୋଜନାରୁ ଜଣେ ବି ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି ତାହାକୁ ଗୁରୁତ୍ବ ଦେଇଥିଲେ ଅଧିକାରୀ। କାମ ସାରି ଚୁପ୍ଚାପ୍ ଅଧିକାରୀ ଫେରି ଯାଇଥିଲେ।
ଅଧିକାରୀଙ୍କ ଏଭଳି ଅନୁପ୍ରବେଶ ପଛରେ ବଡ଼ ଷଡ଼୍ଯନ୍ତ୍ର ଥିଲା ବୋଲି ସୂଚନା ମିଳିଛି। ସରକାରୀ ଯୋଜନା ନିମନ୍ତେ ଆଧାରକାର୍ଡ ବାଧ୍ୟତାମୂଳକ ହୋଇଛି। କୋଟିଆବାସୀଙ୍କ ନିକଟରେ ଦୁଇଟି ରାଜ୍ୟର ଆଧାରକାର୍ଡ ରହିଛି। ତେଣୁ ସୁଭଦ୍ରା ଯୋଜନା ପଞ୍ଜୀକରଣ ସମୟରେ ସମସ୍ୟା ହୋଇଥିଲା। ବହୁ ସଂଖ୍ୟାରେ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇଥିଲେ। ସମାଲୋଚନାର ସ୍ବର ତୀବ୍ର ହେବାରୁ ପ୍ରଶାସନ ବିନା ଆଧାରକାର୍ଡରେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିଥିଲା। ଏହି ଖବର ଆନ୍ଧ୍ର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଲୋକଙ୍କ ମନରେ ବିଷ ଭରିବା ପାଇଁ କୋଟିଆରେ ପହଞ୍ଚିଥିଲେ। ସୁଭଦ୍ରା ଯୋଜନାରେ ସହାୟତା ନେଲେ ଆନ୍ଧ୍ରର ସମସ୍ତ ଯୋଜନାରୁ ବଞ୍ଚିତ ହେବେ ବୋଲି କହି ଲୋକଙ୍କୁ ଭୟଭୀତ କରିଥିଲେ। ଏହାପରେ ଆଧାରକାର୍ଡ ମାଗି ଇ-କେୱାଇସି କରିଥିଲେ। ଯାହାଫଳରେ ଆଗକୁ ଓଡ଼ିଶା ସରକାର ଯାହା ବି ଯୋଜନା କରିବେ ସେଥିରୁ କୋଟିଆବାସୀ ଆପେଆପେ ବଞ୍ଚିତ ହେବେ। ସେହିପରି ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ପାଇଁ ପ୍ରମାଣ ଠୁଳର ଏହା ଗୋଟିଏ ପ୍ରୟାସ। କାରଣ ଆନ୍ଧ୍ରର ସମସ୍ତ ଯୋଜନାରେ ହିତାଧିକାରୀଙ୍କ ଆଧାରକାର୍ଡ ଲିଙ୍କ୍ ହୋଇଛି। ଅନ୍ୟପଟେ ଓଡ଼ିଶା ସରକାର ବିନା ଆଧାରକାର୍ଡରେ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରୁଛନ୍ତି।