କୋରାପୁଟ: ଗଞ୍ଜେଇ ପାଇଁ ପୁଣି ବଦନାମ ମୁଣ୍ଡାଇଛି କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଓଡ଼ିଶା ପୁଲିସର ବିଫଳତା ବଖାଣିଛି ଆନ୍ଧ୍ର ପୁଲିସ। ୨୦୨୩ ମସିହାରେ ଆନ୍ଧ୍ର ପୁଲିସ ଜବତ କରିଥିବା ଗଞ୍ଜେଇର ୮୧ ପ୍ରତିଶତ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରୁ ଆସିଥିଲା ବୋଲି ସୂଚନା ଦେଇଛି। ଏତେ ପରିମାଣରେ ଗଞ୍ଜେଇ ଆନ୍ଧ୍ରକୁ ଚାଲାଣ ହେଲା ଅଥଚ ଓଡ଼ିଶା ପୁଲିସ ଏହାକୁ ରୋକିବାରେ କେମିତି ସଫଳ ହେଲା ନାହିଁ ବୋଲି ପ୍ରଶ୍ନ ଉଠୁଛି।

Advertisment

ଆନ୍ଧ୍ରର ଆଲ୍ଲୁରୀ ସୀତାରାମ ରାଜୁ (ଏଏସ୍‌ଆର) ଜିଲ୍ଲା ପୁଲିସ ଗଞ୍ଜେଇ ଚୋରା ଚାଲାଣ ସଂପର୍କିତ ବିସ୍ତୃତ ତଥ୍ୟ ସାମ୍ବାଦିକ ସମ୍ମିଳନୀ କରି ଦେଇଛି। ୨୦୨୩ ମସିହାରେ ଆନ୍ଧ୍ର ପୁଲିସ ୨୧, ୭୮୫ କେଜି ଗଞ୍ଜେଇ ଜବତ କରିଛି। ସେଥିରୁ ୨୦, ୫୧୦ କେଜି କେବଳ କୋରାପୁଟ ଓ ମାଲକାନଗିରିରୁ ଯାଇଛି। ମୋଟ ୨୫୯ଟି ଗଞ୍ଜେଇ ମାମଲା ଆନ୍ଧ୍ର ପୁଲିସ ରୁଜୁ କରିଥିବା ବେଳେ ୨୦୯ଟି ମାମଲାରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। ଏହାବ୍ୟତୀତ ଗଞ୍ଜେଇ ଚାଷରେ ଅଙ୍କୁଶ ଲଗାଇବାରେ ଏଏସ୍‌ଆର ଜିଲ୍ଲା ପୁଲିସର ସଫଳତା ସୂଚନା ଏହି ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିଲା। ୨୦୨୩ ମସିହାରେ ୨୪୮ ଏକର ଜମିରେ ପ୍ରାୟ ୧୧ଲକ୍ଷ ୬୮ହଜାର ଗଛ ନଷ୍ଟ କରାଯାଇଛି। ଯାହାର ବଜାର ମୂଲ୍ୟ ପ୍ରାୟ ୫୮କୋଟି ୪୦ଲକ୍ଷ ଟଙ୍କା ହେବ।

୨୦୨୨ ମସିହାରେ ୧୦୩୯ଏକର ଜମିରେ ୩୧ଲକ୍ଷ ୨୭ହଜାର ଗଛ ନଷ୍ଟ କରିଥିଲା ଯାହାର ବଜାର ମୂଲ୍ୟ ପ୍ରାୟ ୧୫୬କୋଟି ୩୭ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ୨୦୨୨ ମସିହାରେ ମୋଟ ୮୪୮ଜଣ ଗଞ୍ଜେଇ ଚାଷୀଙ୍କୁ ଗିରଫ କରାଯାଇଥିଲା। ୨୦୨୩ ମସିହାରେ ମୋଟ ୮୬୯ଜଣ ଚାଷୀ ଗିରଫ ହୋଇଛନ୍ତି। ସେଥିରୁ ତେଲେଙ୍ଗାନାର ୯୪ ଜଣ, ଓଡ଼ିଶାର ୯୫ ଜଣ, ମହାରାଷ୍ଟ୍ରର ୬୨ ଜଣ, ତାମିଲନାଡୁର ୩୮ ଜଣ, କେରଳର ୨୯ ଜଣ, କର୍ଣ୍ଣାଟକର ୧୮ ଜଣ, ମଧ୍ୟପ୍ରଦେଶର ୯ ଜଣ , ଉତ୍ତରପ୍ରଦେଶର ୧୦ ଜଣ, ଦିଲ୍ଲୀ ଓ ରାଜସ୍ଥାନରୁ ୭ ଜଣ ଲେଖାଏଁ, ହରିୟଣା, ବିହାର ଓ ଛତିଶଗଡ଼ରୁ ୨ ଜଣ, ଆନ୍ଧ୍ରରୁ ୪୭୮ ଜଣ ଚାଷୀ ଗିରଫ ହୋଇଛନ୍ତି। ଏସ୍‌ପି ତୁହୀନ ସିହ୍ନା କହିଛନ୍ତି, ‘ଅପରେସନ ପରିବର୍ତ୍ତନ’ ଜରିଆରେ ଜିଲ୍ଲାରେ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ଅଭିଯାନ ଚାଲିଛି। ଚାଷୀଙ୍କୁ ଗଞ୍ଜେଇ ଚାଷ ନ କରିବାକୁ ସଚେତନ କରି ରାଜମା, ସିଲଭର ଓକ, କଫି, ମିଠା ଆତାପି, କମଳା, ଲେମ୍ବୁ ଓ ଶୀତାଫଳ ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି। ଫଳରେ ଜିଲ୍ଲାରେ ଗଞ୍ଜେଇ ଚାଷ ହ୍ରାସ ପାଇଥିଲା ବେଳେ ଓଡ଼ିଶାରେ ବୃଦ୍ଧି ପାଇଛି।

ଅନ୍ୟପଟେ କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ ଗଞ୍ଜେଇ ଚାଷ ଓ ଚାଲାଣ ପରିମାଣ ବଢ଼ି ଚାଲିଛି। ୨୦୧୮ ମସିହାରେ ୫୮ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୯ରେ ୧୦୩ଟି ମାମଲା ରୁଜୁ ହୋଇଥିଲା। ୨୦୨୦ ମସିହାରେ ୧୪୮, ୨୦୨୧ ମସିହାରେ ୧୫୪ ଏବଂ ୨୦୨୨ ଅଗଷ୍ଟ ମାସ ସୁଦ୍ଧା ୯୧ଟି ମାମଲା ରୁଜୁ ହୋଇଛି। ୨୦୨୩ ମସିହାରେ ଗଞ୍ଜେଇ ଚାଲାଣରେ ପୁଲିସ ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କ ସଂପୃକ୍ତି ଖାକିରେ କଳଙ୍କ ଲଗାଇଥିଲା।