ନନ୍ଦପୁର: ଦୁଇ ରାଜ୍ୟ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲମ୍ବା ଆଲୋଚନା ପରେ ବି ସୀମାନ୍ତ ରାଇପାହାଡ଼ ଗ୍ରାମକୁ ନେଇ ଆରମ୍ଭ ହୋଇଥିବା ବିବାଦ ସଂପୂର୍ଣ୍ଣ ତୁଟିନି। ଗ୍ରାମବାସୀଙ୍କୁ ବିଦ୍ୟୁତ୍ ବିତରଣ କରି ଆନ୍ଧ୍ର ନିଜର ଉପସ୍ଥିତି ଜାରି ରଖିଛି। ଯାହାର ଫଳସ୍ବରୂପ ଓଡ଼ିଶା ସରକାରଙ୍କ ତରଫରୁ ଟିପିଏସ୍ଓଡିଏଲ୍ କର୍ତ୍ତୃପକ୍ଷ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ପାଇଁ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ସତ୍ତ୍ବେ ଗ୍ରାମବାସୀଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ପାରୁନାହାନ୍ତି। ଡୁମୁରିଗୁଡାଠାରୁ ରାଇପାହାଡ଼ ପର୍ଯ୍ୟନ୍ତ ବିଦ୍ୟୁତ୍ ପୋଲ ପୋତା କାର୍ଯ୍ୟ ଓ ଗ୍ରାମରେ ଟ୍ରାନ୍ସଫର୍ମର ସ୍ଥାପନ କାମ ସାରିଛି ଟିପିଏସ୍ଓଡିଏଲ୍। କିନ୍ତୁ ପ୍ରତି ଘରକୁ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟରେ ବାଧକ ସାଜିଛି ଆନ୍ଧ୍ର। ଆନ୍ଧ୍ର ପକ୍ଷରୁ ଗାଁର ପ୍ରତି ଘରକୁ ଦିଆଯାଇଥିବା ସଂଯୋଗ ଏପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଛି। ବିବାଦ ପରେ କିଛି ଦିନ ଆନ୍ଧ୍ର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲା। କିନ୍ତୁ ପରେ ପୁଣି ବିଦ୍ୟୁତ୍ ଯୋଗାଣ ଆରମ୍ଭ କରିବା ପରେ ଚିନ୍ତାରେ ପଡ଼ିଛନ୍ତି ଟିପିଏସ୍ଓଡିଏଲ୍ କର୍ତ୍ତୃପକ୍ଷ। ବିଦ୍ୟୁତ୍ ଯୋଗାଣ ନିୟମ ପ୍ରକାରେ ଗୋଟିଏ ଘରକୁ ଦୁଇଟି ବିଦ୍ୟୁତ୍ ସଂଯୋଗ ଦିଆଯାଇ ପାରିବ ନାହିଁ। ତେଣୁ ପ୍ରଥମେ ଆନ୍ଧ୍ର ପ୍ରଦତ୍ତ ବିଦ୍ୟୁତ୍ ସେବା କଟାଯାଉ ବୋଲି ବିଦ୍ୟୁତ୍ କାର୍ଯ୍ୟ ତଦାରଖରେ ଯାଇଥିବା ଟିପିଏସ୍ଓଡିଏଲ୍ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ନନ୍ଦପୁର ଯନ୍ତ୍ରୀ ବିକାଶ ଚୌଧୁରୀ କହିଛନ୍ତି। ଏଭଳି ସ୍ଥିତିରେ ନନ୍ଦପୁର ବ୍ଲକ୍ ଓ କୋରାପୁଟ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ରାଇପାହାଡ଼ ଗ୍ରାମର ବିକାଶ ହୋଇପାରୁନି ବୋଲି ରାଇପାହାଡ଼ ଗ୍ରାମବାସୀଙ୍କ ସମେତ ଗୋଲୁର ପଞ୍ଚାୟତର ଲୋକପ୍ରତିନିଧି ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତ ଅନ୍ତର୍ଗତ ରାଇପାହାଡ଼ ଗ୍ରାମରେ ଆନ୍ଧ୍ରର ଅନୁପ୍ରବେଶ ଓ ସରକାରୀ ଯୋଜନା କାର୍ଯ୍ୟକାରୀ ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ଦୁଇ ଦଫା ବୈଠକରେ ଆନ୍ଧ୍ର କୌଣସି ପ୍ରମାଣ ଦେଖାଇ ନପାରିବାରୁ ରାଇପାହାଡ଼ରୁ ହଟିବାକୁ ନିଷ୍ପତ୍ତି ନେଇଥିଲା। ଏପରିକି ବୈଠକ ପରେ ଆନ୍ଧ୍ର ରାଇପାହାଡ଼ରେ ସବୁ କାର୍ଯ୍ୟ ବନ୍ଦ କରିଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଅନୁପ୍ରବେଶ କରି ଲୁଚିଛପି ସେବା ଜାରି ରଖିଛି। ଏପଟେ ଓଡ଼ିଶା ସରକାର ରାଇପାହାଡ଼ ଗ୍ରାମର ସମସ୍ତ ପରିବାରକୁ ବିଜୁ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। କିଛି ପରିବାର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେଣି। କିନ୍ତୁ ଗ୍ରାମବାସୀ ଓଡ଼ିଶାର ଆଲୁଅ ଓ ପକ୍କା ରାସ୍ତା ନିର୍ମାଣକୁ ଅପେକ୍ଷା କରିଛନ୍ତି।