କୋରାପୁଟ: ବର୍ଷ ତମାମ କୋଟିଆରେ ଅନୁପ୍ରବେଶ ମଧ୍ୟରେ ଆନ୍ଧ୍ର କରିଥିବା ଷଡ଼୍‌ଯନ୍ତ୍ର ଉପରୁ ଧିରେଧିରେ ପରଦା ଉଠିବାରେ ଲାଗିଛି। ନିଜ ରାଜ୍ୟ ଯୋଜନା ଲାଗୁ କରିବା ସହ ଓଡ଼ିଶା ପ୍ରକଳ୍ପକୁ ହାଇଜାକ୍‌ କରିବା ଆରମ୍ଭ କରିଛି। ଚଳିତ ସପ୍ତାହରେ ଆନ୍ଧ୍ର ପ୍ରଶାସନ ସ୍ଥାପନ କରିଥିବା ମନରେଗା ଫଳକ ତାହାର ବଡ଼ ପ୍ରମାଣ। କୋରାପୁଟ ପ୍ରଶାସନ ଏହି ଫଳକ ସଂପର୍କରେ ଏପର୍ଯ୍ୟନ୍ତ ଟେର୍‌ ପାଇନାହିଁ। କେଉଁ ଉଦ୍ଦେଶ୍ୟରେ ଫଳକ ଆନ୍ଧ୍ର ପ୍ରଶାସନ ସ୍ଥାପନ କଲା ସ୍ଥାନୀୟ ଲୋକ ମଧ୍ୟ ଆଦୌ ଜାଣିନାହାନ୍ତି। ଫଳକରେ ରହିଥିବା ସୂଚନା ଆଗକୁ କୋଟିଆରେ ବିଷମ ପରିସ୍ଥିତି କରିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି। କାରଣ କୋଟିଆର ବିକାଶ କେବଳ ଆନ୍ଧ୍ର କରୁଥିବା ଦର୍ଶାଇବା ପାଇଁ ଏହି ଫଳକ ମାଧ୍ୟମରେ ଭ୍ରମ ସୃଷ୍ଟି କରାଯାଇଛି।

Advertisment

କୋଟିଆର ବିକାଶ କରି ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ କିଛି ମାସ ହେଲା କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପର ରହିଛି। ଅନୁଦାନ ଅଭାବ ରହିନଥିଲା ବେଳେ ଉନ୍ନୟନ କାର୍ଯ୍ୟ ମଧ୍ୟ ଗତିଶୀଳ ହୋଇଛି। ତେଣୁ ଆନ୍ଧ୍ରର ଚିନ୍ତା ସାମାନ୍ୟ ବଢ଼ିବାରୁ କିଛି ମାସ ତଳେ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର କରିଥିଲା। ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରି ବିଭାଜନ କରିବା ଏହି ଯୋଜନାର ଅଂଶ ବିଶେଷ। ଏଥିପାଇଁ ମାଡକାର, ଫଗୁଣସିନେରୀ, ଫାଟୁସିନେରୀ, ଗଞ୍ଜେଇପଦର, ତଳଗଞ୍ଜେଇପଦର ଏବଂ ହରମାଣ୍ଡିଙ୍ଗି ଗାଁରେ ମନେରଗା ଫଳକ ଲଗାଇଛି। ଏହି ଫଳକ ଗୁଡ଼ିକ ଚଳିତ ସପ୍ତାହରେ ହିଁ ସ୍ଥାପନ ହୋଇଛି। ବଡ଼କଥା ହେଲା କିଛି ମାସ ତଳେ ଓଡ଼ିଶା ସ୍ଥାପନ କରିଥିବା ମନରେଗା ଫଳକ ଠାରୁ କିଛି ଫୁଟ୍‌ ଦୂରରେ ହିଁ ଆନ୍ଧ୍ର ଫଳକ ଗୁଡ଼ିକୁ ସ୍ଥାପନ କରିଛି। ପାଖାପାଖି ଦୁଇଟି ରାଜ୍ୟର ଫଳକ ଦେଖିବା ‌ପରେ ସ୍ଥାନୀୟ ଲୋକଙ୍କ ସଂଶୟ ବଢ଼ିଛି।

ପ୍ରାଥମିକ ଅନୁସନ୍ଧାନରୁ କୋଟିଆ ପଞ୍ଚାୟତର ୧୦ରୁ ଅଧିକ ସ୍ଥାନରେ ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲା ପ୍ରଶାସନ ମନରେଗା ପ୍ରକଳ୍ପ ଫଳକ ସ୍ଥାପନ କରିଛି। ଯେଉଁ ସ୍ଥାନରେ ପୂର୍ବରୁ ଓଡ଼ିଶା ମନରେଗା ପ୍ରକଳ୍ପ କରିସାରିଛି କିମ୍ବା କରିବାକୁ ଯାଉଛି ଠିକ୍‌ ସେହି ସ୍ଥାନରେ ଆନ୍ଧ୍ର ଫଳକ କରିବା ପଛର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଲା ଓଡ଼ିଶା ପ୍ରକଳ୍ପକୁ ହାଇଜାକ୍‌ କରିବା। ଏଥିପାଇଁ ପ୍ରକଳ୍ପର ବିବରଣୀ ସେଥିରେ ଜାଣିଶୁଣି ଉଲ୍ଲେଖ କରାଯାଇ ନାହିଁ। କାରଣ ଓଡ଼ିଶା କରିଥିବା ପ୍ରକଳ୍ପର ବିବରଣୀ ସେଥିରେ ବର୍ତ୍ତମାନ ଉଲ୍ଲେଖ କରାଗଲେ ବିବାଦ ବଢ଼ିବ। ଅନୁପ୍ରବେଶ ଉପରେ ମଧ୍ୟ ସଂପୂର୍ଣ୍ଣ ରୋକ ଲାଗିପାରେ। ଆଉ କିଛି ମାସ ପରେ ନିର୍ବାଚନ ରହିଥିବାରୁ ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ଫଳକରେ ପ୍ରକଳ୍ପ ବିବରଣୀ ଉଲ୍ଲେଖ କରିବାକୁ ଗୁପ୍ତ ଯୋଜନା ହୋଇଛି। ବର୍ତ୍ତମାନ ଫଳକରେ ସ୍ବାଧୀନତାର ଅମୃତ ମହୋତ୍ସବ, ମନରେଗା ଓ ଆନ୍ଧ୍ର ସରକାରଙ୍କ ଲୋଗୋ ସହିତ ତେଲୁଗୁ ଭାଷାରେ ଜମି ସମତୁଲ, ଜମିର ଉର୍ବରତା ରକ୍ଷା ଓ ଜଳାଶୟର ସୁରକ୍ଷା ଭଳି ସଚେତନତା ବାର୍ତ୍ତା ରହିଛି। ଗୋଟିଏ ପ୍ରକଳ୍ପ ସ୍ଥାପନ ନିମନ୍ତେ ୮ରୁ ୯ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି। ଏଠାରେ ନିୟୋଜିତ ଏଜେଣ୍ଟଙ୍କ ଦ୍ବାରା ଆନ୍ଧ୍ର ପ୍ରଶାସନ ସବୁ କାମ କରାଇଛି। ସ୍ଥାନୀୟ ବାସିନ୍ଦା ଆକାଶ ଗେମେଲ କହିଛନ୍ତି, କିଛିଦିନ ତଳେ ହିଁ ଫଳକ ଗୁଡିକୁ ନିର୍ମାଣ କରାଯାଇଥିଲା। ଏହାପରେ ଆନ୍ଧ୍ରରୁ ଗୋଟିଏ ଗାଡ଼ି ରଙ୍ଗ ନେଇ ପହଞ୍ଚିଥିଲା। ଏପରିକି ଫଳକରେ ସମସ୍ତ ସୂଚନା ତେଲୁଗୁ ଭାଷାରେ ଲେଖିବା ପାଇଁ ବାହାରୁ ଲୋକେ ଆସିଥିଲେ। ଏଥିରେ ମନରେଗା ଲୋଗ ରହିଥିବାରୁ ମନରେଗା ଫଳକ ବୋଲି ଜଣାପଡ଼ୁଛି। କିନ୍ତୁ ଏଠା‌କାର ଲୋକ ଦିନେ ବି ଆନ୍ଧ୍ର ପ୍ରଶାସନ ଅଧୀନରେ ମନରେଗା କାମ କରିନାହାନ୍ତି।