ଗଂଜାମ ସୀମାନ୍ତ ଗାଁ ଆନ୍ଧ୍ର କବ୍‌ଜାରେ

ଓଡ଼ିଶା ଗାଁରେ ଆନ୍ଧ୍ର ବାଣ୍ଟିଛି ଭୋଟର ପରିଚୟପତ୍ର

ବ୍ରହ୍ମପୁର: କୋରାପୁଟ ଜିଲ୍ଲା, ପଟ୍ଟାଙ୍ଗି ଅଞ୍ଚଳରେ କୋଟିଆ ଗାଁରେ ଆନ୍ଧ୍ରର ଦାଦାଗିରିକୁ ନେଇ ଓଡ଼ିଶା ସରକାର ଏବେ ଚେଇଁ ଉଠିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ସୀମା ଅଞ୍ଚଳର ବିକାଶ ପାଇଁ ମାଷ୍ଟର ପ୍ଲାନ୍‌ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତିି। ମାତ୍ର ଆନ୍ଧ୍ର ସୀମାରେ ରହିଥିବା ଓଡ଼ିଶା, ଗଂଜାମ ଜିଲ୍ଲାର ପାତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ର ଶତାଧି ଗାଁରେ କେବଳ ଆନ୍ଧ୍ରଗିରି ହିଁ ଚାଲିଛି। ଓଡ଼ିଶା ସରକାରଙ୍କ ବିକାଶ ଯୋଜନା ଏ ଅଞ୍ଚଳକୁ ଛୁଇଁନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସରକାର ବିଫଳ ହୋଇଥିବାରୁ ସୀମାନ୍ତ ଗାଁ ଗୁଡିକ ଆନ୍ଧ୍ରକୁ ଅଧିକ ଭରସା କରୁଛନ୍ତି। ପ୍ରଶାସନିକ ସ୍ଥାଣୁତା ଯୋଗୁଁ ସୀମା ଅଞ୍ଚଳରେ ଏଭଳି ପରିସ୍ଥିତ ଉପୁଜିଛି। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ୨୦ଟି ଆଦିବାସୀ ଗାଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏହି ଗାଁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆନ୍ଧ୍ର ମଧ୍ୟ ସୁବିଧା ସୁଯୋଗ ଯୋଗାଇଦେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓଡ଼ିଶା ଗ୍ରାମରେ ଆନ୍ଧ୍ର ତା’ର ବିକାଶ କାର୍ଯ୍ୟ କରିବା ସହିତ କିଛି ଗ୍ରାମରେ ଭୋଟର ପରିଚୟ ପତ୍ର ମଧ୍ୟ ବାଣ୍ଟି ସାରିଛି। ବହୁ ପୂର୍ବରୁ ଏ ନେଇ ଅଭିଯୋଗ ହୋଇଥିଲେ ହେଁ ଓଡ଼ିଶା ସରକାର କିନ୍ତୁ ଏ ଦିଗରେ ସେଭଳି କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତର ୮ଟି ଗ୍ରାମ କୁଲାଡି, ବାବନାସାହି,ବଡଝୋଳା,ଫଟକାସିଂ,ଗଉଡୁଣୀ ଆଦି ଗ୍ରାମ ଶାସନ ପାତ୍ରପୁର ତହସିଲ୍‌ର ଅନ୍ତର୍ଗତ ହୋଇଥିଲେ ମଧ୍ୟ ଗତ କିଛି ବର୍ଷଧରି ଏହି ଗ୍ରାମ ଗୁଡିକ ଆନ୍ଧ୍ରର ନିର୍ବାଚନରେ ଭାଗ ନେଉଛନ୍ତି। ଆନ୍ଧ୍ର ପଞ୍ଚାୟତରାଜ୍‌ ଅନ୍ତର୍ଗତ ପଲ୍ଲୀସଭା ମଧ୍ୟ ଅନୁଷ୍ଠିତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ଏ ଦିଗରେ ସଚେତନ ହେଉନାହିଁ। ସେହିଭଳି ପାତ୍ରପୁର ବ୍ଲକ୍‌ର ଗୁଡିଖୋଳା ଓ ଗୁଡିପଦର ଗ୍ରାମ ଏବେ ଆନ୍ଧ୍ର କବଜାରେ ରହିଛି। ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତର ତାଳବାଡ, ଅଡୁପଥର, ସାନଅଞ୍ଜାଞ୍ଜୁଲି, ସୋରଡା, ରା, ରାଇଗଡ ଏବଂ ବୁରାତାଲ ପଞ୍ଚାୟତର ଆଦିବାସି ଅଧ୍ୟଷିତ ଲାଇଡା,ଗୁଡିପଦର,ସାନଗାଁ,ବାତରାସାହି, କୁସୁମଳା ଓ ବଡଅଞ୍ଚୁପା ଗ୍ରାମରେ ଓଡିଶା ସରକାରର ଶିକ୍ଷା,ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ପାତ୍ରପୁର ବ୍ଲକ୍‌ର ଆନ୍ଧ୍ର ସୀମାରେ ଥିବା ଗାଁ ଗୁଡିକ ଏବେ ଆନ୍ଧ୍ରକୁ ଅଧିକ ପସନ୍ଦ କରୁଛନ୍ତି। ଯୋଗାଯୋଗ ପାଇଁ ଆବଶ୍ୟକ ସଡକ ପଥ ନଥିବା ଓ ଶିକ୍ଷା ପାଇଁ ଆବଶ୍ୟକ ବିଦ୍ୟାଳୟ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ପାତ୍ରପୁର ବ୍ଲକ୍‌ ତୁମ୍ବା ପୟ୍ଚାୟତର ସାନ ଅଞ୍ଜାଗୁଲୁ, ସରୋଡା, ତାଳବାଡ,ଆଢପଥର, ସାନ ରମ୍ପା, ବଡରମ୍ପା, କୁହାଡି,ଗୌଡୁଣି, ବୁରାତାଲ ପଞ୍ଚାୟତର ବାତ୍ରାସାହି, ବିଲୁଙ୍ଗା, କାନ୍ତି ଗାଁ, ବଡଚାଚର, କୁଶମଳା, ଡାବୁଥଳି, ଗୁଡିପଦର, ଗୂଡିଖଳା, ଆମ୍ବପୁର ପଞ୍ଚାୟତର ବନମାଳିପୁର, ମହାଦେଇପୁର, ଗୁଡିପଦର ପଞ୍ଚାୟତର ଗୁଡିପଦର, ବଳରାମପୁର, ବି ନୂଆ ଗାଁ ପଞ୍ଚାୟତର ଏ ଶରଧାପୁର, ବି ଶରଧାପୂୁର, ସି ଶରଧାପୁର,, ଶବରଦେଇପଟ୍ଟା, ପମଗାଁ, ଜଗନ୍ନାଥପୁର, ବରଙ୍ଗ ପଞ୍ଚାୟତର ଗୋପାଳ ପଲ୍ଲି, ପୀତାମ୍ବରପୁର, ସନ୍ତୋଷପୁର, ବାବର୍ତ୍ତୀପୁର, ଲଙ୍କା, ବରଙ୍ଗ, ଖମ୍ବାରିଗାଁ ପଞ୍ଚାୟତର ଅନ୍ତରସିଂହ, ବାବନପୁର, ଖଣ୍ଡ ଦେଉଳୀ, କେଶରୀପଡା ପଞ୍ଚାୟତର ଖାଡଙ୍ଗ ରାଜେନ୍ଦ୍ରପୁର, କେଶରୀପଡା, ଟୁଟିପୁର, ସାମନ୍ତିଆ ପଲ୍ଲି ପଞ୍ଚାୟତର ଆମ୍ବଗାଁ, ବଣଶୋଳା, ଭୀମପୁର ଆଦି ଗ୍ରାମଗୁଡିକରେ ଆନ୍ଧ୍ର ପ୍ରଭାବ ଯଥେଷ୍ଟ ରହିଛି। ସେହିଭଳି ଚିକିଟି ବ୍ଲକ୍‌ର ଆରସୁମାଣ୍ଡି, ଗିରିଶୋଳା, ରମ୍ପା ସେହିଭଳି ସୁରଳ, ସୁମାଣ୍ଡି, ଶୁଭାଣି, ପିତାତଳି, ଗୋବିନ୍ଦନଗର, ଗିରିଶୋଳା,ପାଟିସନପୁର ଗାଁଁରେ ମଧ୍ୟ ସମାନ ଅବସ୍ଥା ଉପୁଜିଛି। ଓଡ଼ିଶା ସରକାର ଏଥିପ୍ରତି ଯତ୍ନବାନ ନହେଲେ ଏ ଗ୍ରାମଗୁଡିକ ମଧ୍ୟ ଆନ୍ଧ୍ରରେ ମିଶିବାକୁ ନିଜଆଡୁ ବାଧ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର