କୋରାପୁଟ : ଓଡ଼ିଶାରେ ଆଉ ମାଓ ସଂଗଠନକୁ ଆଗ ଭଳି ସମର୍ଥନ ମିଳୁନି। ଓଡ଼ିଆ ଯୁବକ ଯୁବତୀମାନେ ମଧ୍ୟ ଲାଲ ବାହିନୀରେ ସାମିଲ ହେବାକୁ ପାଦ କାଢ଼ୁ ନାହାନ୍ତି। ଯାହା ଥିଲେ, ପ୍ରାୟତଃ ଆତ୍ମସମର୍ପଣ କରି ସାରିଲେଣି। ତେଣୁ ଏବେ ସଂଗଠନ ବଢ଼ାଇବାକୁ ଆନ୍ଧ୍ର କ୍ୟାଡର ହିଁ ଭରସା। ସେଥିପାଇଁ ଆନ୍ଧ୍ରର କ୍ୟାଡର ମାଓବାଦୀ ଏବେ ଓଡ଼ିଶାମୁହାଁ ହୋଇଛନ୍ତି। ଏଠାରେ ଡେରା ପକାଇଛନ୍ତି। ପୁଲିସ ବି ଆଉ ଛାଡିବା ମୁଡ୍‌ରେ ନାହିଁ। ମାଓ ସଂଗଠନ ବଢିବା ପୂର୍ବରୁ ଛିନଛତ୍ର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି।

Advertisment

ବୁଧବାର ଅପରାହ୍ନରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ କିତବ‌ା ଜଙ୍ଗଲରେ ମାଓବାଦୀଙ୍କ ସହ ପୁଲିସର ଗୁଳି ବିନିମୟ ହୋଇଥିଲା। ଏଥିରେ ୫ଜଣ ମାଓବାଦୀ ନିହତ ହୋଇଥିଲେ। ନିହତ ମାଓବାଦୀଙ୍କ ମଧ୍ୟରୁ ୪ ଜଣ ଆନ୍ଧ୍ର କ୍ୟାଡରର ହୋଇଥିବାବେଳେ ଓଡ଼ିଶାରୁ ଜଣେ ମାତ୍ର ମିଲିସିଆ ରହିଥିଲେ। ଏଥରେ ଆନ୍ଧ୍ର ପୁଲିସର ମୋଷ୍ଟ ୱାଣ୍ଟେଡ କାମେଶ୍ବରୀ ଓରଫ ସ୍ବରୂପା ମଧ୍ୟ ରହିଥିଲା। ଆନ୍ଧ୍ରରେ ବିଧାୟକଙ୍କୁ ହତ୍ୟା କରିବା ସହ ଦୁଇ ଡଜନ ଆପରାଧିକ ମାମଲାରେ ତା’ର ସିଧାସଳଖ ସଂପୃକ୍ତି ରହିଛି। ସେହପରି ମୃତ ମାଓବାଦୀ ସତି ବାବୁ ଓରଫ ଦସୁ ବି ଆନ୍ଧ୍ର କ୍ୟାଡରର। ସେ ମଧ୍ୟ ବିଧାୟକ ହତ୍ୟା ମାମଲରେ ଜଡ଼ିତ। ଅନ୍ୟ ମୃତ ଦୁଇ ମାଓବାଦୀ ଗୀତା ଓ ଲକ୍ଷ୍ମୀ ଏସିଏମ୍‌ ରୢାଙ୍କ୍‌ର ହୋଇଥିଲାବେଳେ ଉଭୟଙ୍କ ଘର ଆନ୍ଧ୍ରରେ। ଏମାନେ ଆନ୍ଧ୍ରରେ ହିଂସାକାଣ୍ଡ ‌ଘଟାଇବା ପରେ ଓଡ଼ିଶା ଚାଲି ଆସି ଆତ୍ମଗୋପନ କରିଥିଲେ। ପାଖାପାଖି ଦୁଇ ମାସ ହେଲାଣି ଏମାନେ ନନ୍ଦପୁର ଅଂଚଳରେ ଚଳପ୍ରଚଳ କରୁଥିଲେ। ଓଡ଼ିଶାରେ ମାଓ ସଂଗଠନ ଦୁର୍ବଳ ହୋଇ ପଡ଼ିଥିବାରୁ ନନ୍ଦପୁର ଏରିଆ କମିଟିକୁ ମଜଭୁତ କରିବା ପାଇଁ ଏମାନେ ବାଟ ଖୋଜୁଥିଲେ। ହେଲେ ଏହା ପୂବର୍ରୁ ପୁଲିସ ସେମାନଙ୍କ ବାଟ କାଟି ଦେଲା।

ଗୋଟିଏ ଏନକାଉଣ୍ଟରରେ ୪ ଜଣ ଆନ୍ଧ୍ର କ୍ୟାଡର ମାଓବାଦୀ ମରିବା ପରେ ଏକଥା ସ୍ପଷ୍ଟ ହୋଇଛି ଯେ, ଓଡ଼ିଶା ସଂଗଠନରେ ଏବେ ଆନ୍ଧ୍ରର ପ୍ରଭାବ ଅଧିକ ରହୁଛି। ପୁଣି ଜଣେ ହେଲେ ବି ଓଡ଼ିଆ କ୍ୟାଡର ନ ରହିବା ଏକ ଭିନ୍ନ ସୂଚନା ଦେଉଛି। କୁହାଯାଉଛି ‌ଯେ, ଓଡ଼ିଶାରେ ଆଉ ମାଓବାଦୀଙ୍କ ପ୍ରତି ସମର୍ଥନ ମିଳୁ ନ ଥିବା ବେଳେ ନୂଆ କରି ସଂଗଠନରେ ମିଶିବା ପାଇଁ ଯୁବକଯୁବତୀମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଫଳରେ ସଂଗଠନ ଆଗଭଳି ସକ୍ରିୟ ନାହିଁ। ଯାହା କିଛି ଓଡ଼ିଆ କ୍ୟାଡର ଥିଲେ, ଆତ୍ମ ସମର୍ପଣ କରି ସାରିଲେଣି। ଏନକ‌ାଉଣ୍ଟରରେ କିଛି କ୍ୟାଡରଙ୍କ ମୃତ୍ୟୁ ‌ମଧ୍ୟ ହୋଇଛି। ଏଭଳି ସ୍ଥିତିରେ ମାଓ ସଂଗଠନକୁ ବଂଚ‌ାଇ ରଖିବା ପାଇଁ ଆନ୍ଧ୍ର କ୍ୟାଡର ଉପରେ ଅଧିକ ଭରସା କରିଛି କେନ୍ଦ୍ରୀୟ କମିଟି। ସେମାନଙ୍କୁ ଓଡ଼ିଶା ପଠାଇ ବଳ ଗୋଟାଇବାକୁ ଯୋଜନା କରୁଛି। ପୁଣି ଆନ୍ଧ୍ର କ୍ୟାଡର ମାଓବାଦୀମାନେ ଅଧିକ ସକ୍ରିୟ ଥିବାରୁ ସଂଗଠନର ଦାୟିତ୍ବ ସେମାନଙ୍କୁ ମିଳୁଛି। ସୀମାନ୍ତ ଗ୍ରାମବାସୀ ତେଲଗୁ ଜାଣିଥିବାରୁ ଭାଷା ସମସ୍ୟା ହେଉନି।

ଗତ କିଛି ମାସ ହେଲା କୋରାପୁଟ ଜିଲ୍ଲାର ନନ୍ଦପୁର, ପଟାଙ୍ଗୀ ଅଂଚଳରେ ମାଓ ଗତିବିଧି ଲାଗି ରହିଥିଲା। ଅପରପକ୍ଷରେ କୋଟିଆ ଉପରେ ସୁରକ୍ଷା ବାହିନୀର ଫୋକସ ପରେ ମାଓବାଦୀମାନେ ସେହି ଅଂଚଳକୁ ଯାଉ ନ ଥିଲେ। ସେହିପରି ବନ୍ଧୁଗାଁ, ନାରାୟଣପାଟଣାରେ ମଧ୍ୟ ଆଉ ଆଗଭଳି ସେମାନଙ୍କର ଗତିବିଧି ନାହିଁ। ଆନ୍ଧ୍ରର ଆରକୁ ଦେଇ କୋରାପୁଟର ପଟାଙ୍ଗୀ ଓ ନନ୍ଦପୁର ଅଂଚଳକୁ ସେଠାକାର କ୍ୟାଡର ମାଓବାଦୀ ଆସୁଥିଲେ। ଲମତାପୁଟ ଓ ମାଲକାନଗିରି ଯିବାକୁ ମଧ୍ୟ ସେମାନଙ୍କୁ ସୁବିଧା ହେଉଥିଲା। ନିର୍ବାଚନ ପରେ ଇଭିଏମ ସୁରକ୍ଷା ଦାୟିତ୍ବରେ ପୁଲିସ ରହିଥିବାରୁ ସେମାନଙ୍କୁ ଟାର୍ଗେଟ କରିବାର ସମ୍ଭାବନା କମ ଥିବାରୁ ମାଓବାଦୀମାନେ ଭଲ ସମୟ ଭାବି ଅଧିକ ସତର୍କ ନ ଥିଲେ। ଆଉ ଏହାର ଫାଇଦା ପୁଲିସକୁ ମିଳିଲା।