ପଟାଙ୍ଗି : ଉଗ୍ର ହେବାରେ ଲାଗିଛି ଓଡ଼ିଶା-ଆନ୍ଧ୍ର ସୀମା ବିବାଦ। ପୂର୍ବରୁ ଫଳକ ଭାଙ୍ଗିବା ଏବଂ ରାସ୍ତା ଅବରୋଧ କରି ବଳ କଷାକଷି ଚାଲିଥିବା ବେଳେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ସୀମାନ୍ତ ଆନ୍ଧ୍ରର ଗ୍ରାମବାସୀ। ଏପରିକି ଓଡ଼ିଶା ସରକାରଙ୍କ ବିରୋଧରେ ନାରାବାଜି କରିବାକୁ ବି ପଛାଇ ନାହାନ୍ତି।

Advertisment

ଗତ ୧୫ଦିନ ହେଲା କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ଗାଁର କିଛି ଜମିକୁ ନେଇ ବିବାଦ ଲାଗି ରହିଛି। ଆନ୍ଧ୍ରର ସୀମାନ୍ତ ଗାଁର ଲୋକେ ଓଡ଼ିଶାର ପ୍ରାୟ ୫ଶହ ମିଟର ଭିତରକୁ ଚାଲିଆସି ଫଳକ ପୋତି ବେଆଇନ ଭାବେ ସୀମା ଚିହ୍ନଟ କରିଥିଲେ। ପରବର୍ତ୍ତୀ ସମୟରେ କୋରାପୁଟ ପ୍ରଶାସନ ଫଳକୁ ଭାଙ୍ଗିଥିଲେ ବି ଆନ୍ଧ୍ରର ୪ଟି ଗାଁର ଶହ ଶହ ଲୋକ ବଳପୂର୍ବକ ଓଡ଼ିଶା ଜମିକୁ ଅକ୍ତିଆର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଦୁଇ ରାଜ୍ୟକୁ ଯୋଡ଼ୁଥିବା ରାସ୍ତାରେ ପଥର ପକାଇ ଆନ୍ଧ୍ରବାସୀ ଅବରୋଧ କରିଥିବା ବେଳେ ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଏହାପରେ ଆଜି ‌ଆନ୍ଧ୍ରର ବିଭିନ୍ନ ରାଜନୈତିକ ଦଳର ନେତା, ରାଜସ୍ବ ନିରୀକ୍ଷକ ଏବଂ ଅମିନ ସୀମାରେ ପହଞ୍ଚିଥିଲେ। ସେମାନଙ୍କ ଶହ ଶତାଧିକ ଲୋକ ପ୍ଲାକାର୍ଡ ଏବଂ ବ୍ୟାନର ନେଇ ଆସିଥିଲେ। ଓଡ଼ିଶା ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ଓଡ଼ିଶା ସରକାରଙ୍କୁ ଚେତାବନୀ ଦେବାକୁ ବି ସେମାନେ ପଛାଇ ନଥିଲେ। ଏହି ଜମି ଆମର, କୌଣସି ପରିସ୍ଥିତିରେ ବି ଇଞ୍ଚେ ମଧ୍ୟ ଜମି ଛାଡ଼ିବୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଏଥିସହ ସୀମାନ୍ତରେ ବସବାସ କରୁଥିବା ଓଡ଼ିଶାର ଲୋକଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ।

ବାରମ୍ବାର ଆନ୍ଧ୍ରର ଏମିତି ଅନୁପ୍ରବେଶ ଜାରି ରହିଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବିବାଦର ସ୍ଥାୟୀ ସମାଧାନ ନିମନ୍ତେ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ରାଜ୍ୟ ସରକାର ବି ପଡ଼ୋଶୀ ରାଜ୍ୟର ସରକାରଙ୍କ ସହ କୌଣସି କଥାବାର୍ତ୍ତା କରୁ ନାହାନ୍ତି। ଅନ୍ୟପଟେ ଆନ୍ଧ୍ରର ଦାଦାଗିରି ଓଡ଼ିଶାର ଲୋକଙ୍କୁ ବିବ୍ରତ କରିଛି। ଲୋକେ ଜୀବନ ପ୍ରତି ଭୟ ରହିଥିବାରୁ ଏବେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ କାହାକୁ ଗୁହାରୀ କରିବେ ଜାଣିପାରୁ ନାହାନ୍ତି। ସ୍ଥାନୀୟ ଲୋକପ୍ରତିନିଧି ଜିଲ୍ଲା ପ୍ରଶାସନକୁ ଘଟଣା ସଂପର୍କରେ ଜଣାଇବା ସହ ଥାନାରେ ଏତଲା ଦେଇଛନ୍ତି।