କୋରାପୁଟ/ପଟାଙ୍ଗି: ପୂର୍ବରୁ ରାସନକାର୍ଡ ହିତାଧିକାରୀଙ୍କ ସର୍ଭେ କରିଥିଲା। ଏବେ ଡିଜିଟାଲ୍ ସ୍ମାର୍ଟ ରାସନକାର୍ଡ ବିତରଣ କରୁଛି ଆନ୍ଧ୍ର। କିଛି ଦିନର ନିରବତା ପରେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ଦଖଲ ପାଇଁ ଏଭଳି ଢଙ୍ଗରେ ଅନୁପ୍ରବେଶ କରି ଚକମା ଦେଇଛି ଆନ୍ଧ୍ର। ଯାହାର ସୁରାକ ସୁଦ୍ଧା ପାଇଲା ନାହିଁ ପଟାଙ୍ଗି ବ୍ଲକ୍ ପ୍ରଶାସନ କିମ୍ବା କୋରାପୁଟ ଜିଲ୍ଲା ପ୍ରଶାସନ। କୋଟିଆ ପଞ୍ଚାୟତରେ ବର୍ତ୍ତମାନ ପୁରୁଣା ରାସନ କାର୍ଡ ଫେରାଇ ନେଉଛି ଆନ୍ଧ୍ର। ବଦଳରେ ହିତାଧିକାରୀଙ୍କୁ ଡିଜିଟାଲ୍ ସ୍ମାର୍ଟ ରାସନ କାର୍ଡ ବଣ୍ଟନ କରୁଛି। ଏଥିପାଇଁ ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ଶିବିର କରି ହିତାଧିକାରୀଙ୍କ ଟିପଚିହ୍ନ ନେଉଛନ୍ତି ଆନ୍ଧ୍ରର ସରକାରୀ କର୍ମଚାରୀ। ଏହାରି ମଧ୍ୟରେ ତଳଗଞ୍ଜେଇପଦର ଓ ଗଞ୍ଜେଇପଦର ଗାଁରେ କାର୍ଡ ବଣ୍ଟନ ସରିଲାଣି। ଦୁଇଟି ଗାଁରେ ଶହେ ହିତାଧିକାରୀ ନୂଆ କାର୍ଡ ପାଇଥିବା ସୂଚନା ମିଳିଛି। ଏହି କାର୍ଡରେ ହିତାଧିକାରୀଙ୍କୁ ମାସିକ ୩୫ କିଲୋ ଚାଉଳ, ତେଲ, ସାବୁନ, ଡାଲି ଏବଂ ପ୍ରସୂତିଙ୍କୁ କ୍ଷୀର ମିଳୁଛି। ଆନ୍ଧ୍ରର ଏହି ଲୋଭନୀୟ ଯୋଜନା ପ୍ରତି କୋଟିଆବାସୀ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି।
ଓଡ଼ିଶାର କୋଟିଆ ପଞ୍ଚାୟତରେ ୪୦ଟି ଗାଁ ରହିଛି। ତେବେ ସେଥିରୁ ୨୧ଟି ଗାଁକୁ ନିଜର ବୋଲି ଦାବି କରୁଛି ଆନ୍ଧ୍ର। ଗଞ୍ଜେଇଭଦ୍ରା, ଫଟୁସିନେରୀ, ଧୂଳିଭଦ୍ରା ପଞ୍ଚାୟତ ଗଠନ କରି ସେଥିରେ ଏହି ୨୧ଟି ବିବାଦୀୟ ଗାଁକୁ ଅନ୍ତର୍ଭୁକ୍ତ କରିଛି। ଅନ୍ୟପକ୍ଷରେ ଦୁଇ ରାଜ୍ୟର ଯୋଜନାରେ ଉପକୃତ ହେଉଛନ୍ତି ବିବାଦୀୟ ଗାଁର ଲୋକ। ଆନ୍ଧ୍ରର ଡିଜିଟାଲ୍ ସ୍ମାର୍ଟ ରାସନ କାର୍ଡ ବଣ୍ଟନ ନେଇ ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ କହିଛନ୍ତି, ଖବର ପାଇବା ପରେ ସେ ତଳଗଞ୍ଜେଇପଦର ଓ ଗଞ୍ଜେଇପଦର ଗାଁକୁ ଯାଇ ତଦନ୍ତ କରିଥିଲେ। ଲୋକଙ୍କୁ ମିଳିଥିବା ସ୍ମାର୍ଟ ରାସନ କାର୍ଡ ମାଗିଥିଲେ। କିନ୍ତୁ ଲୋକେ କାର୍ଡ ମିଳିନି, ସର୍ଭେ ହୋଇଛି ବୋଲି କହିଥିବା ବିଡିଓ ସୂଚନା ଦେଇଛନ୍ତି।