ପ୍ରେମେନ୍ଦ୍ର ପରିଚ୍ଛା
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସୀମାନ୍ତ ଗାଁ ଉପରେ ଆନ୍ଧ୍ରର ନଜର। ଆନ୍ଧ୍ର ପ୍ରଶାସନ ଜୋର୍ଜବରଦସ୍ତ ଅନୁପ୍ରବେଶ କରି ବାରମ୍ବାର ଉପସ୍ଥିତ ଜାହିର କରୁଛି। ତେଲୁଗୁ ଭାଷାର ପ୍ରସାର ନିମନ୍ତେ ଜୋରଦାର ପ୍ରଚାର ବି କରୁଛି। ତେଣୁ ଓଡ଼ିଶା ଭିତରେ ଓଡ଼ିଆ ଭାଷା ଏବେ ସଂକଟର ସମ୍ମୁଖୀନ ହୋଇଛି। ଅନ୍ୟପଟେ ପ୍ରଶାସନ ନିକଟରେ ଏହି ଖବର ରହିଥିଲେ ସୁଦ୍ଧା ଅସହାୟ ଅବସ୍ଥାରେ ରହିଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ କାଲିମେଳା ବ୍ଲକର ଅନେକ ଗାଁ ଆନ୍ଧ୍ର ସୀମାକୁ ଲାଗିଛି। ଦୁର୍ଗମ ଅଞ୍ଚଳ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ପହଞ୍ଚି ପାରୁନି। ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ଯାହାକୁ ସୁଯୋଗ ରୂପେ ବ୍ୟବହାର କରିବା ଆରମ୍ଭ କରିଛି ଆନ୍ଧ୍ର। ନିଜ ରାଜ୍ୟର ପରିସୀମା ବୃଦ୍ଧି ଉଦ୍ଦେଶ୍ୟ ନେଇ ଓଡ଼ିଶା ଭିତରେ ପ୍ରବେଶ କରୁଛି। ସୀମାନ୍ତ ଗାଁରେ ସ୍ବାସ୍ଥ୍ୟସେବା, ପାନୀୟ ଜଳ ସହ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଯାହାର ସଦ୍ୟ ଉଦାହରଣ ଓଡ଼ିଶାର ଜୁମଡ଼ାଙ୍ଗ ଗାଁ।
ଏହି ଗାଁରେ ବିଦ୍ୟାଳୟ ଖୋଲି ପିଲାଙ୍କୁ ତେଲୁଗୁ ଶିଖାଇବା ସହ ରାସନ କାର୍ଡ, ଭୋଟର କାର୍ଡ ଲୋକଙ୍କୁ ବାଣ୍ଟିଛି ଆନ୍ଧ୍ର। ଗୁରୁପ୍ରିୟା ସେତୁ ନିର୍ମାଣ ପୂର୍ବରୁ ଏହି ଗାଁ ବିଚ୍ଛିନ୍ନ ହୋଇ ରହିଥିଲା। ସେତୁ ନିର୍ମାଣ ପରେ ଅଞ୍ଚଳବାସୀ ମୌଳିକ ସୁବିଧା ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ମନ୍ଥର ଗତି ଯୋଗୁଁ ତାହା ଏଯାଏଁ ସମ୍ଭବ ହୋଇପାରିଲା ନାହିଁ। ଜୁମଡ଼ାଙ୍ଗ ଭଳି ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ, ରାଲଗେଡ଼ା ଏବଂ କାଲିମେଳା ବ୍ଲକ୍ର ମାନ୍ୟମକୋଣ୍ଡା ପଞ୍ଚାୟତର ବହୁ ଗାଁରେ ଆନ୍ଧ୍ରର ପ୍ରଭାବ ତଥା ତେଲୁଗୁ ଭାଷାର ଆଧିପତ୍ୟ ଦେଖିବାକୁ ମିଳୁଛି। ଲୋକେ ଓଡ଼ିଆ ଭାଷା ଆଦୌ ବୁଝନ୍ତି ନାହିଁ। ତେଣୁ ଆଗକୁ ଓଡ଼ିଆ ଭାଷା ସଂପୂର୍ଣ୍ଣ ବିଲୋପ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ସେହିପରି ଅନନ୍ତପାଲୀ, ପୋଲୁର, ଦୁମେଲକୋଣ୍ଡା, ନେଲକୋଟା, କୁରାଲୁର, ଆଲୁରକୋଟା, ମାଝିପାଣି, ବୁସପାକା ଭଳି ଅନେକ ଗାଁ ଓଡ଼ିଶାରେ ରହିଥିଲେ ସୁଦ୍ଧା ଗ୍ରାମବାସୀ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଯେହେତୁ ଆନ୍ଧ୍ର ଉପରେ ନିର୍ଭରଶୀଳ ତେଣୁ ତେଲୁଗୁ ଶିଖିବା ପାଇଁ ଲୋକ ଏକ ପ୍ରକାର ବାଧ୍ୟ ହୋଇଛନ୍ତି। ପ୍ରଶାସନ ଏନେଇ ଅବଗତ ରହିଥିଲେ ମଧ୍ୟ ବିକାଶକୁ ତ୍ବରାନ୍ବିତ କରାଯାଉଛି ବୋଲି ସଫେଇ ଦେଉଛି। ସମୟ ଥାଉଣୁ ପଦକ୍ଷେପ ନନେଲେ ଏହି ଅଞ୍ଚଳ ଓଡ଼ିଶା ମାନଚିତ୍ରରୁ ଲିଭିବା ପାଇଁ ଅଧିକ ସମୟ ଲାଗିବ ନାହିଁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।