କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଂଗ : କୋଟିଆ ଜଗିଲେ, ପେଟୁରୁ ମୁକୁଳା

୩ ଗାଁର ୬୦ ଭୋଟରଙ୍କ ମତଦାନ

ପଟାଙ୍ଗି : କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ଘୋଷଣା କରିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ଆନ୍ଧ୍ର ସରକାରଙ୍କ ଚକ୍ରାନ୍ତକୁ କିଭଳି ପ୍ରତିହତ କରାଯିବ ସେଥିପାଇଁ ପୂରା ଧ୍ୟାନ ଲଗାଇ ଦେଇଥିଲା। ଏଥିପାଇଁ ୩ଦିନ ଧରି ବିଭିନ୍ନ ଗତିବିଧି ଲାଗି ରହିଥିଲା କୋଟିଆରେ। ଏପରିକି ରାଜନେତା ବି ଗତକାଲି ଠାରୁ କୋଟିଆରେ ଡେରା ପକାଇଥିଲେ। ଏମିତି ଉଷ୍ମ ପରିବେଶ ମଧ୍ୟରେ ଆନ୍ଧ୍ର ସୀମାରେ ରହିଥିବା ଅନ୍ୟ ଗାଁ ଗୁଡ଼ିକୁ ଭୁଲି ଯାଇଥିଲା କୋରାପୁଟ ଜିଲ୍ଲା ପ୍ରଶାସନ। ଯାହାର ପରିଣାମ ଆଜି ଆଜି ଦେଖିବାକୁ ମିଳିଛି।

ଗୋଟିଏ ପଟେ କୋଟିଆରେ ଛକାପଞ୍ଝା ଏବଂ ଧସ୍ତାଧସ୍ତି ଚାଲିଥିବାବେଳେ ଅନ୍ୟପଟେ ସୀମାନ୍ତ ପେଟୁରୁ ପଞ୍ଚାୟତର ଲୋକ ମତଦାନ ପାଇଁ ଚାଲି ଯାଇଥିଲେ ଆନ୍ଧ୍ର। ଏମାନଙ୍କୁ ବୁଝାସୁଝା ତଥା ଅଟକାଇବା ପାଇଁ କେହି ଜଣେ ବି ନଥିଲେ।

ସୂଚନା ଅନୁଯାୟୀ, ବନ୍ଧାଗୁଡ଼ା, ଡୁମୁରିଗୁଡ଼ା ଓ ଇପାଗୁଡ଼ା ଆଦି ଗାଁ ଆନ୍ଧ୍ର ସୀମାକୁ ଲାଗି ରହିଛି। ଏହି ଗାଁ ଗୁଡ଼ିକର ଭୋଟରଙ୍କ ନାମ ଆନ୍ଧ୍ରର ଭୋଟର ତାଲିକାରେ ବି ରହିଛି। ଆଜି ହୋଇଥିବା ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନରେ ଉପରୋକ୍ତ ଗାଁରୁ ୬୦ରୁ ଊର୍ଦ୍ଧ୍ବ ଭୋଟର ଅଂଶ ଗ୍ରହଣ କରିଛନ୍ତି। ଆନ୍ଧ୍ରର ସାଲୁରୁ ମଣ୍ଡଳ ଅନ୍ତର୍ଗତ ଆଳୁରୁ ବୁଥକୁ ଯାଇ ସେମାନେ ମତଦାନ କରିଥିବା ଜଣାପଡ଼ିଛି। ବିଡ଼ମ୍ବନା ହେଲା ଏ ନେଇ ପ୍ରଶାସନ ନିକଟରେ କୌଣସି ଖବର ନାହିଁ। କୋଟିଆ କଳି ଭିତରେ ଅନ୍ୟ ଗାଁକୁ ଟାର୍ଗେଟ କରି ଚାଲିଛି ଆନ୍ଧ୍ର। ଯାହାର ପ୍ରମାଣ ଆଜି ମତଦାନରୁ ସ୍ପଷ୍ଟ ହୋଇଛି।

ଆନ୍ଧ୍ରରେ ଭୋଟ ଦେଲେ ସୀମାନ୍ତବାସୀ, ୯ଟି ଗ୍ରାମର ଲୋକ ୩ ବୁଥ୍‌ରେ ମତଦାନ କଲେ

ପାତ୍ରପୁର : କୋରାପୁଟ ଜିଲ୍ଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନକୁ ଦେଇ ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏଭଳି ପରିସ୍ଥିତିରେ ଆଜି ଆନ୍ଧ୍ର ସୀମାନ୍ତରେ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅଧୀନ ୯ଟି ଗ୍ରାମର ଗ୍ରାମର ଲୋକ ମତଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇନାହିଁ।

ମିଳିଥିବା ସୂଚନା ଅନୁସାରେ, ଟି.ବ୍ରହ୍ମପୁର, ଜୟପୁର ଓ ଚିଡ଼ିପୁଡ଼ିର ଗ୍ରାମବାସୀ ସୀମାନ୍ତ ତଥା ଆନ୍ଧ୍ରପ୍ରଦେଶର ଟି.ବ୍ରହ୍ମପୁର ଗ୍ରାମର ବୁଥ୍‌କୁ ଯାଇ ଭୋଟ ଦେଇଥିଲେ । ସେହିପରି ଏ.ଶରଧାପୁର ଓ ଜଗନ୍ନାଥପୁରର କିଛି ଲୋକ ଆନ୍ଧ୍ରର ଜଗନ୍ନାଥପୁରରେ ଏବଂ ସାତପୁରୀ, ବାଞ୍ଜୁଆସାହି, କୁଲାଡ଼ି, ବାବନାସାହି ଗ୍ରାମବାସୀ ଆନ୍ଧ୍ରର ସାନପୁସ୍ତାରେ ମତଦାନ କରିଥିବା ଜଣାପଡ଼ିଛି। ହେଲେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନି କି କୌଣସି ଅଧିକାରୀ ମୁତୟନ ରହି ସୀମାନ୍ତବାସୀଙ୍କୁ ମତଦାନରୁ ରୋକିପାରି ନାହାନ୍ତି। ଆଉ ସରକାରୀ କଳର ପାରିବାପଣିଆ ପଦାରେ ପଡ଼ିଛି।

ସମ୍ବନ୍ଧିତ ଖବର