କୋରାପୁଟ : ଆନ୍ଧ୍ର ସରକାରଙ୍କୁ ଲାଗିଛି ଶକ୍ତ ଝଟ୍କା। ଗତ ଏପ୍ରିଲ ମାସରେ କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ସମେତ ସାରା ରାଜ୍ୟରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ରଦ୍ଦ କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଏଥିସହ ସାନି ନିର୍ବାଚନ ପାଇଁ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଆଗାମୀ ଦିନରେ ପୁଣି କୋଟିଆରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ଯାହାକି କୋଟିଆରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଏବଂ ବିବାଦକୁ ରୋଚକ ତଥା ନୂଆ ମୋଡ଼ ଦେଇଛି। ଏଥିସହ ଆଗକୁ ହେବାକୁ ଥିବା ନିର୍ବାଚନକୁ କିଭଳି ରୋକିହେବ ସେଥିପାଇଁ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଯୋଜନା ନିମନ୍ତେ ପର୍ଯ୍ୟାପ୍ତ ସମୟ ମିଳିଛି।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ ୧ତାରିଖରେ ଆନ୍ଧ୍ର ନିର୍ବାଚନ କମିସନ ସାରାରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ସପ୍ତାହକ ପରେ ହିଁ ୮ତାରିଖ ଦିନ ନିର୍ବାଚନ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ଯାହାକୁ ବେଆଇନ ବୋଲି ଦର୍ଶାଇ ସେହି ସମୟରେ ଆନ୍ଧ୍ର ହାଇକୋର୍ଟରେ ଆବେଦନ କରିଥିଲେ ବରିଷ୍ଠ ଟିଡିପି ନେତା ଭର୍ଲା ରାମାୟା। ସୁପ୍ରିମ କୋର୍ଟ ନିର୍ବାଚନ ସଂପର୍କିତ ଏକ ମାମଲାର ଶୁଣାଣି କରି ଦେଇଥିବା ରାୟକୁ ଯୁକ୍ତି ଭାବେ ସେ କୋର୍ଟରେ ଦାଖଲ କରିଥିଲେ। ସେଥିରେ ସେ ଦର୍ଶାଇ ଥିଲେ ଯେ, ବିଜ୍ଞପ୍ତି ପ୍ରକାଶ ପାଇବାର ଗୋଟିଏ ମାସ ପରେ ନିର୍ବାଚନ ହେବା କଥା। କିନ୍ତୁ ରାଜ୍ୟ ନିର୍ବାଚନ କମିସନ ମାତ୍ର ୭ଦିନ ପରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ୪ ଜଣିଆ ଖଣ୍ଡପୀଠ କିନ୍ତୁ ନିର୍ବାଚନ ପାଇଁ ଅନୁମତି ଦେଇଥିଲେ ହେଁ ଫଳାଫଳ ଘୋଷଣା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ହାଇକୋର୍ଟଙ୍କ ଦ୍ବିତୀୟ ରାୟ ପରେ ଗତ ମାସ ୮ତାରିଖ ଦିନ କୋଟିଆ ଗ୍ରାମପୁଞ୍ଜରେ ଦୁଇଟି ସମିତି ସଭ୍ୟ ଏବଂ ଗୋଟିଏ ଜିଲ୍ଲା ପରିଷଦ ଆସନ ନିମନ୍ତେ ଆନ୍ଧ୍ର ସରକାର ନିର୍ବାଚନ କରାଇଥିଲେ। ଓଡ଼ିଶାର ପ୍ରବଳ ବିରୋଧ ସତ୍ତ୍ବେ ଫୋର୍ସ ପୂରାଇ ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ କରାଇଥିଲେ। ମତଦାନ ହାର କମିଥିବା ବେଳେ ଏହାକୁ ନେଇ ଆନ୍ଧ୍ରର ପ୍ରଶାସନ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। ଏପରିକି ଓଡ଼ିଶାର ରାଜନେତା ବି ସେଠାରେ ରାତିରେ ଡେରା ପକାଇ ଓଡ଼ିଶାର ଲୋକଙ୍କୁ ସଚେତନ କରିଥିଲେ। ଛକାପଞ୍ଝା ମଧ୍ୟରେ ନିର୍ବାଚନ ଶେଷ ହୋଇଥିଲେ ବି ଭୋଟରଙ୍କୁ ଅଟକାଇବାରେ ସଫଳ ହୋଇଥିଲା ଓଡ଼ିଶା।
ଅନ୍ୟପଟେ ଏହି ମାମଲା ଆନ୍ଧ୍ର ହାଇକୋର୍ଟରେ ବିଚାରାଧୀନ ରହିଥିବାରୁ ଶୁଣାଣି ପ୍ରକ୍ରିୟା ମଧ୍ୟ ଜାରି ରହିଥିଲା। ମାମଲାର ତଦନ୍ତ ପାଇଁ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଦାୟିତ୍ବ ଦିଆଯାଇଥିଲା। ତଦନ୍ତ ରିପୋର୍ଟ ମିଳିବା ପରେ ଏବଂ ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ଆଜି ସାରା ରାଜ୍ୟରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ବେଆଇନ ବୋଲି ଜଣାଇଛନ୍ତି। ଏପରିକି ନିର୍ବାଚନକୁ ରଦ୍ଦ କରି ସାନି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ କୋଟିଆରେ ହୋଇଥିବା ନିର୍ବାଚନ ବି ରଦ୍ଦ ହୋଇଯାଇଛି। ଆଗକୁ ପୁଣି ଏଠାରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।