ପୁଣି ପଶିଲା ଆନ୍ଧ୍ର: କୋଟିଆରେ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଯୋଜନା, ସର୍ଭେ କରି ଫେରିଲା ଏନ୍‌ଆରଇଡି ଟିମ୍‌

କୋରାପୁଟ : କୋଟିଆ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ନୂଆ ରଣନୀତି ସହ ଆଜି ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର। ମେଗା ଜଳ ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏହାର ସୁରାକ୍‌ ଏପର୍ଯ୍ୟନ୍ତ କେହି ପାଇ ନଥିଲେ। ବୁଧବାର ହଠାତ୍‌ ଆନ୍ଧ୍ରର ଏକ ଟିମ୍‌ କୋଟିଆରେ ପଶି ସର୍ଭେ କରି ଫେରିଯାଇଛି।

ସୂଚନା ଅନୁଯାୟୀ, ସାଲୁର ଓ କୋଟିଆରେ ପମ୍ପଡ୍‌ ଷ୍ଟୋରେଜ୍‌ ପାୱାର ପ୍ରକଳ୍ପ ନିମନ୍ତେ ବହୁ ଦିନ ଧରି ପ୍ରସ୍ତୁତି ଚଳାଇଛି ଆନ୍ଧ୍ର। ବ୍ୟୟ ଅଟକଳ ଏବଂ ନିର୍ମାଣଶୈଳୀ ଚୂଡ଼ାନ୍ତ ହେବାପରେ ୨ଶହ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯାଇଛି। ନାରେଡିବାଲସା ଦେଇ ଯାଇଥିବା ପାହାଡ଼ିଆ ନଦୀର ଜଳକୁ ସଂରକ୍ଷଣ କରି ସେଥିରୁ ୧୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ କରିବାକୁ ଯୋଜନା କରିଛି। ଏଥିସହ ତାଡିବାଲସା ଓ ନାରେଡିବାଲସା ଦେଇଥିବା ଯାଇଥିବା ହେରିଟେଜ୍‌ ରୋଡ୍‌କୁ ଏହି ପ୍ରକଳ୍ପ ନିମନ୍ତେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

ଏତେ ବଡ଼ ପ୍ରକଳ୍ପ କରିବାକୁ ଆନ୍ଧ୍ର ନିଷ୍ପତ୍ତି ନେଇ ସାରିଥିବା ବେଳେ ଏହାର ଟେର୍‌ ଓଡ଼ିଶାର କୌଣସି ଅଧିକାରୀ ପାଇ ନଥିଲେ। ପ୍ରକଳ୍ପକୁ ଚୂଡ଼ାନ୍ତ ରୂ‌ପ ଦେବାକୁ ଆଜି ଆନ୍ଧ୍ରର ଗୋଟିଏ ଟିମ୍‌ କୋଟିଆ ଆସିଥିଲା। ପ୍ରାଥମିକ ପର୍ଯ୍ୟାୟ ସର୍ଭେ ଆଜି ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ଅଞ୍ଚଳକୁ ବି ସର୍ଭେ ଟିମ୍‌ ଯିବ ବୋଲି ସୂଚନା ମିଳିଛି। ଯଦି ଏହି ପ୍ରକଳ୍ପ ବାସ୍ତବ ରୂପ ନେବ, ତାହା ଓଡ଼ିଶା ପାଇଁ ବଡ଼ ଝଟ୍‌କା ହେବ ବୋଲି କୁହାଯାଉଛି।

ସେହିପରି କୋଟିଆ ଅଞ୍ଚଳରୁ ବିଦ୍ୟୁତ ଉତ୍ପାଦନ କରି ଆନ୍ଧ୍ର ନିଜ ବିଦ୍ୟୁତ୍‌ ଅଭାବକୁ ପୂରଣ କରିବ ଏବଂ ବିକ୍ରି କରି ରାଜସ୍ବ ଆଦାୟ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ପୁଣି ଏହି ପ୍ରକଳ୍ପ ଦ୍ବାରା ନ‌ାରେଡିବାଲସା ଦେଇଯାଇଥିବା ହେରିଟେଜ୍‌‌ ରୋଡ୍‌ କ୍ଷତି ହେବା ସହ ଶହ ଶହ ଏକର ଜମି ଜଳମଗ୍ନ ହୋଇଯିବ। ବହୁ ପରିବାର ବାସ ହରାଇବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର