ନାରାୟଣପାଟଣା : କୌଣସି ସରକାରୀ ସୁବିଧା ଯୋଗାଇ ପାରିନି ଓଡିଶା ସରକାର। ଗାଁ କୁ ରାସ୍ତାଟିଏ କରିନି କି ପିଲାଙ୍କ ପାଠ ପଢ଼ା ପାଇଁ ସ୍କୁଲ୍‌ କିମ୍ବା ଅଂଗନଓ୍ଵାଡି କେନ୍ଦ୍ର କରାଯାଇନି। ଏପରିକି ଜନ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ଗାଁକୁ ଯାଇ ଦୁଃଖସୁଖ ବୁଝିଲେନି। ଶେଷରେ ଆନ୍ଧ୍ର ପ୍ରଦେଶ ଗାଁକୁ ନିଜ ଦଖଲକୁ ନେଇଗଲା। ଇଏ ହେଉଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଲଙ୍ଗଲବେଡ଼ା ପଂଚାୟତର ସୀମାନ୍ତ ଗାଁ ଗେଦଲାବାଲସାର କାହାଣୀ। ଆନ୍ଧ୍ର ସରକାର ଏହି ଗାଁକୁ ନିଜ ହାତକୁ ନେବା ପରେ ସମସ୍ତ ପରିବାରକୁ ତୁରନ୍ତ ପକ୍କା ଘର, କଂକ୍ରିଟ ରାସ୍ତା,ଘରକୁ ଘର ବିଜୁଳି, ପିଇବା ପାଇଁ ପାଣିର ସୁବିଧା କରି ଦେଇଛି। ଏଥି ସହ ମାସିକିଆ ଚାଉଳର ବ୍ୟବସ୍ଥା କରିଛି। ଫଳରେ ଲୋକମାନେ ଏବେ ଓଡ଼ିଶାକୁ ଭୁଲିବାକୁ ବସିଛନ୍ତି।

Advertisment

ଓଡିଶାରେ ରହି ଦୀର୍ଘବର୍ଷ ହେଲା ମୌଳିକ ସୁବିଧା ପାଉ ନ ଥିଲେ ଗେଦଲାବାଲସା ଗ୍ରାମର ଲୋକେ। ଗାଁରେ ବିକାଶର ପାଦ ପଡ଼ି ନ ଥିଲା ବେଳେ ଅବହେଳା ଭିତରେ ଦିନ କାଟୁଥିଲେ। ଗ୍ରାମବାସୀଙ୍କ କହିବାନୁସାରେ ଓଡ଼ିଶା ପକ୍ଷରୁ କେବଳ କିଛି ଭୋଟର କାର୍ଡ, ଜବ୍‌କାର୍ଡ ମିଳିଛି ସେମାନଙ୍କୁ। ଏହି ଜବ୍‌କାର୍ଡରେ ବିଡିଓଙ୍କ ଦସ୍ତଖତ ରହିଛି। ତେବେ କୌଣସି ଗୋଟିଏ ଦିନ ବି କାମ ପାଇନଥିବା ଗ୍ରାମର ଲୋକେ କହିଛନ୍ତି। ଗାଁରେ ଘର ସଂଖ୍ୟା ମାତ୍ର ୨୦। ଜନ ସଂଖ୍ୟା ୩୦ ରୁ ଅଧିକ। ସମସ୍ତେ ଆଦିବାସୀ ଓ ଗେଦଲା ସଂମ୍ପ୍ରଦାୟର। ପାହାଡ ପର୍ବତ ଘେରା ଗେଦଲାବାଲସା ଗାଁ ଓଡିଶା ମାନଚିତ୍ରରୁ ଏବେ ଯେମିତି ଗାଏବ ହୋଇଯାଇଛି। ଓଡ଼ିଶା ପଟରୁ ଗାଁକୁ ସିନା ରାସ୍ତା ନାହିଁ, ସେପଟେ ଆନ୍ଧ୍ର ପଟୁ ଚଉଡ଼ା ପିଚୁରାସ୍ତା ଗାଁ ପାଖ ଦେଇ ଲମ୍ବି ଯାଇଛି। ବିକାଶର ଆଲୋକରେ ଝଲସୁଛି ଆନ୍ଧ୍ର ପଟ।

ଲଙ୍ଗଳବେଡ଼ା ପଞ୍ଚାୟତର କେବଳ ଏହି ଗୋଟିଏ ନୁହେଁ, ମୋଟ ୨୨ଟି ଗାଁରୁ ୧୧ଟି ଗାଁ ଆନ୍ଧ୍ର ସୀମାକୁ ଲାଗି ରହିଛି। ଏଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିକାଶ ମୂଳକ କାମ କରାନଗଲେ ଲୋକେ ଆନ୍ଧ୍ର ଆଡ଼କୁ ଢଳିବାର ଆଶଙ୍କା ରହିଛି।