ପାତ୍ରପୁର: କୋରାପୁଟ ଜିଲ୍ଲା କୋଟିଆ ପରେ ଏବେ ଆନ୍ଧ୍ରପ୍ରଦେଶର ଆଖି ଗଞ୍ଜାମ ଜିଲ୍ଲାର ସୀମାନ୍ତ ଇଲାକାର ଭୋଟ୍ ବ୍ୟାଙ୍କ୍ ଉପରେ ପଡ଼ିଛି। ଏଥିପାଇଁ ଆନ୍ଧ୍ର ନେତା ଓ ପ୍ରଶାସନିକ ଅଧିକାରୀ ଅଙ୍କକଷା ଆରମ୍ଭ କରିସାରିଛନ୍ତି। ପାତ୍ରପୁର ବ୍ଲକ୍ ଅଧୀନ ଆନ୍ଧ୍ର ସୀମାନ୍ତରେ ଥିବା ବୁରାତାଲ୍, ତୁମ୍ବା ଓ ବି.ନୂଆଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆନ୍ଧ୍ରପ୍ରଦେଶ ସରକାର ବର୍ଷସାରା ଜମିପଟ୍ଟା, ବିଦ୍ୟୁତ୍, ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଏବଂ ଗର୍ଭବତୀଙ୍କୁ ଚିକିତ୍ସା ଭଳି ବିଭିନ୍ନ ସୁବିଧା ଯୋଗାଇ ଦେଇଆସୁଥିବା ନଜିର୍ ରହିଛି। ଏଠାରେ ସେମାନଙ୍କର ୨୫ରୁ ଅଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରାୟ ଦୁଇ ଶହରୁ ଅଧିକ ଭୋଟର୍ଙ୍କ ହାତରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ଭୋଟର୍ କାର୍ଡ ରହିଛି। ୨୦୨୦ ମସିହାରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ତୁମ୍ବା ପଞ୍ଚାୟତ କୁଲାଡ଼ି ଗ୍ରାମର ଜଣେ ମହିଳା ଆନ୍ଧ୍ରପ୍ରଦେଶ ତାଲଗୁରାଣ୍ଠିର ୯ ନମ୍ବର ୱାର୍ଡ଼ସଭ୍ୟା ଭାବେ ନାମାଙ୍କନ ଦାଖଲ କରିଥିଲେ। ସେହିପରି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳକୁ ଲାଗି ରହିଥିବା ପାତ୍ରପୁର ବ୍ଲକ୍ ଅଧୀନ ତେଲୁଗୁ ଭାଷାଭାଷୀ ଗ୍ରାମ ବି.ନୂଆଗାଁ ପଞ୍ଚାୟତର ଟି.ବ୍ରହ୍ମପୁର ଓ ଜୟପୁରର କିଛି ଲୋକ ଆନ୍ଧ୍ର ଯାଇ ଭୋଟ୍ ଦେଉଥିବା ସେଠାକାର କିଛି ପରାଜିତ ସରପଞ୍ଚ ପ୍ରାର୍ଥୀ ଅଭିଯୋଗ କରିଥିଲେ।
ଏସବୁରୁ ସୀମାନ୍ତ ଇଲାକାରେ ଆନ୍ଧ୍ରର ଅନୁପ୍ରବେଶ ସ୍ପଷ୍ଟ ପ୍ରମାଣିତ ହେଉଥିବା ବେଳେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସୀମାନ୍ତ ଗ୍ରାମର ଭୋଟର୍ଙ୍କୁ ପ୍ରଭାବିତ କରିବାକୁ ଆନ୍ଧ୍ର ମସୁଧା ଚଳାଇବ, ଏଥିରେ ସନ୍ଦେହ ନାହିଁ। ମେ’ ୧୩ ତାରିଖରେ ଓଡ଼ିଶାର ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନ ସମେତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ବି ମତଦାନ ହେବାକୁ ଯାଉଛି। ବ୍ରହ୍ମପୁର ଲୋକସଭା ପାଇଁ ପାତ୍ରପୁର ବ୍ଲକ୍ ଅଧୀନ ତୁମ୍ବା ଓ ବୁରାତାଲ୍ ପଞ୍ଚାୟତର କୁଲାଡ଼ି, ସାତପୁରି, ବାଞ୍ଜୁଆସାହି ଓ ଗୁଡ଼ିଖଳା ପ୍ରମୁଖ ଗାଁର ଜନସାଧାରଣ ଭୋଟ୍ ଦେବେ। ତେବେ ଆନ୍ଧ୍ରପ୍ରଦେଶର ମାନଚିତ୍ରରେ କୁଲାଡ଼ି ଗ୍ରାମ ମଞ୍ଜୁଷାମଣ୍ଡଳର ତାଳଗୁରାଣ୍ଠି ପଞ୍ଚାୟତର ୯ ନମ୍ବର ୱାର୍ଡରେ ରହିଛି। ଫଳରେ ଉପରୋକ୍ତ ସମସ୍ତ ଗ୍ରାମ ସମେତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମଣ୍ଡଳକୁ ଲାଗି ରହିଥିବା ବି.ନୂଆଗାଁ ଓ ଜୟନ୍ତିପୁର ପଞ୍ଚାୟତର କିଛି ଗ୍ରାମବାସୀ ଆନ୍ଧ୍ରରେ ଭୋଟ୍ ଦେବାର ଅଧିକ ସମ୍ଭାବନା ରହିଛି। କାରଣ ସେମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟର୍ କାର୍ଡ ରହିଛି। ଏହି ଅନୁସାରେ ସଂପ୍ରତି ଆନ୍ଧ୍ର ନେତା ସମସ୍ତ ଗ୍ରାମର ଭୋଟର୍ଙ୍କୁ ନିଜ ଆଡ଼କୁ ଟାଣିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଅନ୍ୟପକ୍ଷରେ କିଛି ଭୋଟର୍ଙ୍କ ସହ ଆଲୋଚନା ବେଳେ ସେମାନେ କହିଛନ୍ତି, ‘ଆମକୁ ଯିଏ ସହଯୋଗ କରୁଛି ଓ ଆଗକୁ କରିବ’ ଆମେ ତାକୁ ହିଁ ଭୋଟ୍ ଦେବୁ। ତେବେ ଆଗକୁ ଓଡ଼ିଶା ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି। ସୀମାନ୍ତ ବି.ନୂଆଗାଁ ସରପଞ୍ଚ ମୋହନ ରାଓ କହିଛନ୍ତି, ଆମ ପଞ୍ଚାୟତର ଜନସାଧାରଣଙ୍କ ନିକଟରେ ଉଭୟ ରାଜ୍ୟର ଭୋଟର୍ କାର୍ଡ ରହିଛି। ଅଧିକ ଭୋଟର୍ ଆନ୍ଧ୍ରପ୍ରଦେଶରେ ଭୋଟ୍ ଦେବା ଅନୁମାନ କରାଯାଉଛି। ତେବେ ଓଡ଼ିଶା ସରକାର ଯଦି ଆଗୁଆ ସଜାଗ ରହିବେ ତା’ହେଲେ ଏଥିରେ ରୋକ୍ ଲଗାଯାଇପାରିବ। ସୀମାନ୍ତ ଟି.ବ୍ରହ୍ମପୁର ପଞ୍ଚାୟତର ସରପଞ୍ଚ କେ.ତ୍ରିନାଥ କହିଛନ୍ତି, ଆନ୍ଧ୍ରପ୍ରଦେଶ ବାସିନ୍ଦା ଆନ୍ଧ୍ରରେ ଓ ଓଡ଼ିଶାବାସିନ୍ଦା ଓଡ଼ିଶାରେ ଭୋଟ୍ ଦେବାକୁ ସଚେତନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/fhkhfkhfhk.jpg)