ଓଡ଼ିଶା ଚାଷୀଙ୍କ ମାଣ୍ଡିଆ ଉପରେ ପଡିଶାର ଆଖି, ୩୧ ପ୍ରତିଶତ ଚାଷୀ ବିକିଲେ ମାଣ୍ଡିଆ

୧୫୪୬୧ ଚାଷୀଙ୍କ ଘରେ ପଡିଛି ହଜାର ହଜାର କୁଇଣ୍ଟାଲ ମାଣ୍ଡିଆ, ୬୯ ପ୍ରତିଶତଙ୍କଠାରୁ ମାଣ୍ଡିଆ କିଣାହୋଇନି

କୋରାପୁଟ: ଖାଲି ଯେ ଉପାନ୍ତରେ ଓଡ଼ିଶାର ଜମି ପଡିଶା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ମାଡି ବସୁଛି ତାହା ନୁହେଁ। ଏବେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଚାଷ ହୋଇଥିବା ହଜାର ହଜାର କୁ୍ଇଣ୍ଟାଲ ମାଣ୍ଡିଆ ଉପରେ ନଜର ପକାଇଛି ପଡିଶା। ମାସେ ଆଗରୁ ଜିଲ୍ଲା‌ରେ ଚାଲୁଥିବା ମଣ୍ଡିଆ ମଣ୍ଡି ବନ୍ଦ ହୋଇଯାଇଥିବା ବେଳେ ଉଭୟ ଆନ୍ଧ୍ର ଓ ଛତିଶଗଡ ରାଜ୍ୟର ମାଫିଆଙ୍କ ଗାଁରେ ମୂଲଚାଲ କରିବାକୁ ଆରମ୍ଭ କରିଦେଲେଣି।

ସରକାରଙ୍କର ମାଣ୍ଡିଆ କିଣିବା ଲକ୍ଷ୍ୟ ପୂରଣ ହୋଇଯାଇଥିବାରୁ ଚାଷ କରି ଘରେ ରଖିଥିବା ଚାଷୀଙ୍କ ନିକଟରେ ପହଞ୍ଚିଛନ୍ତି ଉଭୟ ପଡିଶାର ଦଲାଲ। ସାଗମାଛ ଦରରେ ଓଡ଼ିଶା ଚାଷୀଙ୍କଠାରୁ ଆନ୍ଧ୍ର ଓ ଛତିଶଗଡ ମାଫିଆ ମାଣ୍ଡିଆ କିଣି ନେଉଥିବାବେଳେ ଅଚିନ୍ତା ନିଦରେ ଶୋଇଛି ପ୍ରଶାସନ। ୩୧ ପ୍ରତିଶତ ଚାଷୀଙ୍କଠୁ ମାଣ୍ଡିଆ କିଣାଯାଇନି କିନ୍ତୁ ମଣ୍ଡି ‌ମାସକ ଆଗରୁ ଶେଷ ହୋଇଗଲା। ଏବେ ଚାଷ କରିଥିବା ଚାଷୀ ମାଣ୍ଡିଆକୁ ଧରି ବସିଥିବାବେଳେ ବଜାର ସୃଷ୍ଟି ହୋଇପାରୁନି। ଫଳରେ କୋରାପୁଟ ଜିଲ୍ଲାରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଚାଷୀ। ଓଡ଼ିଶା ମିଲେଟ୍‌ ମିଶନ ସହ ନିଜ ପ୍ରଚେଷ୍ଠାରେ ଚାଷ କରିଥିବା ମାଣ୍ଡିଆ ଚାଷୀ ଏବେ ହତାସ। ଉତ୍ପାଦିତ ହୋଇଥିବା ମାଣ୍ଡିଆ କେଉଁ ଆଡେ ବିକ୍ରି ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ସବୁଠୁ ବଡ କଥା ହେଲା ଆନ୍ଧ୍ର ଓ ଛତିଶଗଡକୁ ଲାଗି ରହିଥିବା କୋରାପୁଟ ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, କୋଟପାଡ, ପଟାଙ୍ଗୀ, କୁନ୍ଦୁରା, ନନ୍ଦପୁର, ଲମତାପୁଟ ଓ ବୈପାରିଗୁଡ଼ାରେ ଡେରା ପକାଇଛନ୍ତି ଦଲାଲ।

ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୫୮ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଥିଲା। ସରକାର କୋରାପୁଟ ଜିଲ୍ଲାକୁ ୭୨ହଜାର ମାଣ୍ଡିଆ କିଣିବାକୁ ଯୋଜନା କରିଥିଲେ। ଜାନୁଆରି ମାସ ୭ ତାରିଖରୁ ମାର୍ଚ୍ଚ ୩୧ ତାରିଖ ଯାଏ ଚାଷୀଙ୍କଠାରୁ ମାଣ୍ଡିଆ କିଣାଯିବାକୁ ଯୋଜନା ରହିଥିଲା। ଗତମାସ ୨୮ ତାରିଖ ସୁଧା ୬୮୮୭୫ କୁଇଣ୍ଟାଲ ମାଣ୍ଡିଆ କିଣାଯାଇ ବନ୍ଦ ହୋଇଛି ମାଣ୍ଡିଆ ମଣ୍ଡି। ଜିଲ୍ଲାରେ ଚଳିତ ଋତୁରେ ୨୨,୬୧୭ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବାବେଳେ ଓଡ଼ିଶା ସରକାର ୭,୧୫୬ ଜଣ ଚାଷୀଙ୍କଠାରୁ ମାଣ୍ଡିଆ କିଣିଛନ୍ତି।

ଏବେଯାଏ ସରକାର ୧୫,୪୬୧ ଜଣ ଚାଷୀଙ୍କଠାରୁ ମାଣ୍ଡିଆ କିଣି ନାହାନ୍ତି। ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ତାଲିକାର ୬୯ ପ୍ରତିଶତ ଚାଷୀଙ୍କଠାରୁ ମାଣ୍ଡିଆ ନ କିଣିବାନେଇ ନାନା ପ୍ରଶ୍ନ ଉଠିଛି। ଏହି ଚାଷୀଙ୍କ ନିକଟରେ ଯେଉଁ ମାଣ୍ଡିଆ ରହିଛି ତାହାକୁ କେଉଁଠାରେ ରଖାଯିବ ତାହାକୁ ନେଇ ଚାଷୀ ଦ୍ବନ୍ଦ୍ବରେ ରହିଛନ୍ତି। ଚାଷୀ ଅମଳ କରି ଏହାକୁ ନିଜ ପଖରେ ରଖିଥିବାବେଳ‌େ ସରକାରଙ୍କ ପକ୍ଷରୁ ଏହାକୁ ସାଇତିବାକୁ ବ୍ୟବସ୍ଥା ହୋଇନାହିଁ। ଫଳରେ ଏହାର ସୁଯୋଗ ନେଇ ଗାଁ ଗାଁରେ ଏବେ ମାତିଛନ୍ତି ଦଲାଲ। ସରକାର ୩୨ ଟଙ୍କାରେ କିଣୁ ନ ଥିବାରୁ ମାତ୍ର ୧୦ରୁ ୧୫ ଟଙ୍କାରେ ବିକ୍ରି କରିବାକୁ ଦଲାଲମାନେ ଚାଷୀଙ୍କୁ ବାଧ୍ୟ କରୁଥିବା ଜଣାପଡିଛି।

ଜିଲ୍ଲାର ବୈପାରିଗୁଡା ବ୍ଲକର ୩୧୦୮ ଚାଷୀଙ୍କ ମଧ୍ୟରୁ ୧୫୧୫ଜଣ ଚାଷୀଙ୍କଠାରୁ ୧୫,୭୮୫ କୁଇଣ୍ଟାଲ ମାଣ୍ଡିଆ କିଣାଯାଇଥିବାବେଳେ ବୋରିଗୁମ୍ମା ବ୍ଲକର ୧୬୮୯ ଚାଷୀଙ୍କ ମଧ୍ୟରୁ ୫୩୩ ଜଣ ଚାଷୀଙ୍କଠାରୁ ୪୦୬୨ କୁଇଣ୍ଟାଲ, ଦଶମନ୍ତପୁର ବ୍ଲକର ୨୧୨୦ ଜଣ ଚାଷୀଙ୍କ ମଧ୍ୟରୁ ୬୨୬ ଜଣ ଚାଷୀଙ୍କଠାରୁ ୬୯୧୮, କୋରାପୁଟ ବ୍ଲକର ୧୮୧୨ ଜଣଚାଷୀଙ୍କ ମଧ୍ୟରୁ ୪୧୧ ଜଣ ଚାଷୀଙ୍କଠାରୁ ୪୧୨୫, କୁନ୍ଦୁରା ବ୍ଲକର ୧୪୨୪ ଜଣ ଚାଷୀଙ୍କ ମଧ୍ୟରୁ ୪୫୨ଙ୍କଠାରୁ ୩୮୧୮, ଲମତାପୁଟ ବ୍ଲକର ୩୯୬୭ ଜଣଚାଷୀଙ୍କ ମଧ୍ୟରୁ ୧୦୫୯ଠାରୁ ୧୦୦୬୪, ଲକ୍ଷ୍ମୀପୁର ବ୍ଲକର ୧୬୧୪ ଜଣ ଚାଷୀଙ୍କ ମଧ୍ୟରୁ ୭୫୫ ଚାଷୀଙ୍କ ଠାରୁ ୬୮୩୫, ନନ୍ଦପୁର ବ୍ଲକର ୩୬୩୩ ଜଣ ଚାଷୀଙ୍କମ ମଧ୍ୟରୁ ୧୨୯୩ ଜଣ ଚାଷୀ ୧୦୩୮୫, ପଟାଙ୍ଗୀ ବ୍ଲକର ୧୧୭୭ ଜଣ ଚାଷୀଙ୍କ ମଧ୍ୟରୁ ୧୮୨ ଚାଷୀଠାରୁ ୨୬୩୧, ସେମିଳିଗୁଡା ବ୍ଲକର ୧୬୯୨ ଚାଷୀଙ୍କ ମଧ୍ୟରୁ ୩୨୯ଜଣ ଚାଷୀଙ୍କଠାରୁ ୪୨୫୫, ବନ୍ଧୁଗାଁ ବ୍ଲକର ୮୨ଜଣ, କୋଟପାଡ ବ୍ଲକର ୮୦ ଜଣ, ନାରୟଣାପାଟଣାର ୨୦୯ ଜଣ ଚାଷୀଙ୍କ ମଧ୍ୟରୁ କେହି ବି ମୁଠାଏ ମାଣ୍ଡିଆ ବିକ୍ରି କରି ନ ଥିବାବେଳେ ଜୟପୁର ବ୍ଲକର ୧୦ଜଣ ଚାଷୀଙ୍କ ମଧ୍ୟରୁ ଜଣେ ଚାଷୀ ଦୁଇ କୁଇଣ୍ଟାଲ ମାଣ୍ଡିଆ ବିକ୍ରି କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର