କୋଟିଆ ଅଞ୍ଚଳରେ ଥିବା ଖଣିଜ ସଂପଦ ଉପରେ ଆନ୍ଧ୍ର ଆଖି!

ସତର୍କ କରାଇଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ

ଓଡ଼ିଶା କ୍ଷମତା କରିଡ଼ର ଛୁଇଁବାକୁ ପ୍ରୟାସ ଚଳାଇଛନ୍ତି
ନବୀନଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ନିରଞ୍ଜନ
ମାରାଣ୍ଡି କହିଲେ, ଠିକ୍ ସମୟରେ ଠିକ୍ ପଦକ୍ଷେପ

ଭୁବନେଶ୍ବର : କୋଟିଆ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଓଡ଼ିଶା ରାଜ୍ୟ ରାଜନୀତିରେ ଏହାକୁ ନେଇ କମ୍ପନ ସୃଷ୍ଟି ହେଲାଣି। ଆଜି ବିଧାନସଭା ବାହାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି ଯେ ସୀମା ସୁରକ୍ଷାରେ ସରକାର ବିଫଳ ହୋଇଛନ୍ତି। ତେବେ ଏ ଭିତରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ଆଜି ରାଜ୍ୟ ସରକାରଙ୍କୁ ସତର୍କ କରିବା ସହିତ ଚେତାଇଛନ୍ତି ଯେ କୋଟିଆ ବିରୋଧରେ ଏକ ବଡ ଡିଲ୍ ହୋଇଛି। କୋଟିଆ ଅଞ୍ଚଳରେ ଥିବା ଖଣିଜ ସଂପଦ ହାତେଇବା ପାଇଁ କିଛି କଂପାନି ଏକାଠି ହାତ ମିଳାଇଥିବା ଖବର ଆସୁଛି। ସେମାନେ ହିଁ କୋଟିଆରେ ଅର୍ଥ ଖର୍ଚ୍ଚ କରୁଛନ୍ତି ଓ ଥରେ ହାତକୁ ଗଲେ, ସେମାନେ ଏସବୁ ଖଣି ବ୍ୟବହାର କରିବେ। କେବଳ ସେତିକି ନୁହେଁ, ସେମାନେ ଓଡ଼ିଶା କ୍ଷମତା କରିଡ଼ରରେ ମଧ୍ୟ ଡିଲ୍ ପାଇଁ ଉଦ୍ୟମ ଚଳାଇଥିବା ସୂଚନା ମିଳୁଛି। ଏହା ଯଦି ସତ ହୋଇଥିବ, ତେବେ ସାଂଘାତିକ ବୋଲି ଶ୍ରୀ ପରିଡା କହିଛନ୍ତି। ଏହି ମନ୍ତବ୍ୟ କୋଟିଆ ପ୍ରସଙ୍ଗକୁ ନୂଆ ମୋଡ଼ ଦେବାକୁ ଯାଉଛି।

ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପରି଼ଡା କହିଛନ୍ତି, ଆମର ଦୁର୍ଭାଗ୍ୟ ଯେ ୨୦୧୯ ମସିହାରୁ ସେମାନେ ନିର୍ବାଚନ ପ୍ରସ୍ତୁତି କରିଥିଲେ ହେଁ, ଆମେ ଜାଣିପାରିନାହାନ୍ତି। ଏବେ ଜଣାପଡ଼ୁଛି ଯେ କେବଳ କୋଟିଆ ୨୧ ଗାଁ ଭିତରେ ଆନ୍ଧ୍ର ସରକାର ଫୋର୍ସ ପୂରାଇ ନିର୍ବାଚନ କରାଇଛନ୍ତି ତା ନୁହେଁ, ବରଂ ପଟ୍ଟାଙ୍ଗୀ, ନାରୟଣପାଟଣା, ବନ୍ଧୁଗାଁ ଅଞ୍ଚଳର ଅନେକ ଲୋକଙ୍କୁ ନେଇ ସେମାନେ ତାଙ୍କ ରାଜ୍ୟରେ ଭୋଟ କରାଇଛନ୍ତି। ରାଜ୍ୟ ସରକାର ପ୍ରଥମେ ଦେଖିବା କଥା ଯେ ଆନ୍ଧ୍ର ଓଡ଼ିଶାର କେତେ କ୍ଷତି କରିସାରିଲେଣି। ଥରେ ଏହା ଆକଳନ କରିବା ପରେ ତାର ନିରାକରଣ ରାସ୍ତା ବାହାରିବ।
ଶ୍ରୀ ପରିଡା ଆହୁରି କହିଛନ୍ତି ଯେ ଏ ସଂପର୍କରେ ଅନେକ ମାମଲା ଅତୀତରେ ହୋଇଛି। ସରକାର ପୂର୍ବତନ କୋରାପୁଟ ଜିଲ୍ଲାପାଳ ସଂଜୀବ ଚନ୍ଦ୍ର ହୋତା, ଶ୍ରୀନିବାସ ରଥ ପ୍ରମୁଖଙ୍କ ସହିତ ଆଲୋଚନା କଲେ ଅଧିକ ତଥ୍ୟ ମିଳିପାରିବ। କିନ୍ତୁ ଯେଉଁ କଥାଟି ଆଶ୍ଚର୍ଯ୍ୟ ଲାଗୁଛି, ତାହା ହେଲା, ଆନ୍ଧ୍ର କଣ ତାଙ୍କ ରାଜ୍ୟରେ ବିକାଶ କାମ ସାରିଦେଲେଣି ଯେ ଓଡ଼ିଶାକୁ ଆଖି ପକାଇଛନ୍ତି? ଯାହା ସେ ଶୁଣୁଛନ୍ତି, କୋଟିଆ ପାଇଁ ଗୋଟିଏ କିଛି କଂପାନି ଏକାଠି ହୋଇଛନ୍ତି, ଯେଉଁମାନଙ୍କ ଆଖି ସେ ଅଞ୍ଚଳରେ ଥିବା ଖଣି ଉପରେ ରହିଛି। ସେମାନଙ୍କ ଟଙ୍କାରେ ଏହି ଷଡ଼ଯନ୍ତ୍ର ଚାଲିଛି।

ଶୁକ୍ରବାର ଦିନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ଗର୍ଜିଛନ୍ତି। କହିଛନ୍ତି, ରାଜ୍ୟ ସରକାରଙ୍କର ଅପାରଗତା ପାଇଁ ଆମ ମାଟିକୁ ଆମେ ହରାଇବାକୁ ଯାଉଛୁ। ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ଯିବ। ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ। ଓଡ଼ିଶା ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି। କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଥିବା ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ବିବାଦୀୟ ହୋଇ ରହିଛି। ଏହି ବିବାଦର ବର୍ତ୍ତମାନ ସ୍ଥିତି କ’ଣ ଓ ରାଜ୍ୟ ସରକାର ଏହି ବିବାଦର ସମାଧାନ ଦିଗରେ କ’ଣ କରିଛନ୍ତି ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ। ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ପଚାରିଛନ୍ତି ଯେ ଆନ୍ଧ ସରକାର ସେତେବେଳେ କୋଟିଆର ୨୧ଟି ଗାଁରେ ନିର୍ବାଚନ କଲେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ କେମତି ତା’ର ସୁରାକ ପାଇଲା ନାହିଁ? ରାଜ୍ୟ ସରକାର କାହିଁକି ଠିକ୍ ସମୟରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ସରକାର ଗାଁ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଦେଇ ପାରି ନାହାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରାପତ୍ତା, ଜୀବିକା ଇତ୍ୟାଦି ସୁନ୍ତିଶ୍ଚିତ କରିବାରେ ବିଫଳ େହାଇଛନ୍ତି। ଏହାର ଫାଇଦା ପଡ଼ୋଶୀ ରାଜ୍ୟ ନେଇଛନ୍ତି। ଆମର ଭାଷାକୁ ସେମାନେ ଅକ୍ତିଆର କଲେଣି। ପଡୋଶୀ ରାଜ୍ୟରେ ଥିବା ପାଖାପାଖଇ ୨୦୦ ସ୍କୁଲରେ ଓଡ଼ିଶା ଶିକ୍ଷକ ନାହାନ୍ତି। ଏ ଗୁଡ଼ିକରେ ତେଲଗୁ ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି। ଆମ ରାଜ୍ୟରେ ପ୍ରାକୃତିକ ସଂପଦଗୁଡ଼ିକୁ ମଧ୍ୟ ଲୁଟ କରିବାକୁ ପଛାଉ ନାହାନ୍ତି ପଡ଼ୋଶୀ ରାଜ୍ୟ। ବିଭିନ୍ନ ନଦୀର ବାଲିକୁ ପଡ଼ୋଶୀ ରାଜ୍ୟମାନେ ଲୁଟ୍ ଅଛନ୍ତି। ସରକାର କେମିତି ନିରବ କେମିତି?

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ ଉପସ୍ଥିତି ଥିଲେ।
ସେପଟେ କୋଟିଆ ମାମଲାରେ ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାର ଜବାବ ଦାଖଲ ପାଇଁ ଚାରି ସପ୍ତାହ ମହଲତ ମାଗିବା ଘଟଣାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରି କହିଛନ୍ତି, କୋଟିଆ ମାମଲାରେ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ତଥ୍ୟ ନାହିଁ। ବୋଧହୁଏ ଏଇଥିପାଇଁ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାକୁ ସମୟ ମାଗିଛନ୍ତି। ଏହାଠାରୁ ଭଳି ଲଜ୍ଜାଜନକ କଥା ଆଉ କଣ ହୋଇପାରେ।

ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଥିଲେ, ସରକାର ଏପରି କରି ନିଜକୁ ହାସ୍ୟାସ୍ପଦ ଅବସ୍ଥାରେ ପହଞ୍ଚାଇଛନ୍ତି। ଏଥିରୁ ଜଣାପଡ଼ୁଛି ବିଜେଡି ଆଗ ପାର୍ଟି ପାଇଁ କାମ କରୁଛି, ମାଟି ପାଇଁ ନୁହେଁ। କଳାହାଣ୍ଡି ଓ ରାଉରକେଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ଅଛି କିନ୍ତୁ କୋଟିଆ ପାଇଁ ଦିନେ ସମୟ ବାହାର କରି ସେଠାର ସ୍ଥିତି ଅନୁଧ୍ୟାନ କରିବାକୁ ଯାଇପାରୁନାହାନ୍ତି। ସେଠାକୁ ବିଧାନସଭା ଗୃହ କମିଟି ତୁରନ୍ତ ଯିବା ଦରକାର।

ତେବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ ସରକାର ସବୁ ବିଷୟରେ ଅବଗତ ଅଛନ୍ତି। ଉଚିତ୍‌ ସମୟରେ ଉଚିତ୍‌ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର