ଅଞ୍ଜନ ପ୍ରଧାନ
ବରଗଡ଼: ଆଉ ବର୍ଷ କେତେଟା ଭିତରେ ଅଧା ଓଡ଼ିଶାର ଜମିରେ ଦେଖିବାକୁ ମିଳିବ ଆନ୍ଧ୍ର ଚାଷୀଙ୍କ ଦବ୍ଦବା। ସିଂହଭାଗ ଜମିରେ ଚାଷ କରୁଥିବେ ଆନ୍ଧ୍ର ଚାଷୀ। ଏଭଳି ଗୋଟିଏ ଆଶଙ୍କା ସୃଷ୍ଟି ହେଲାଣି। ହୀରାକୁଦ ନଦୀ ବନ୍ଧ ସଂଲଗ୍ନ ଅଞ୍ଚଳରୁ ମୁହଁ ଫେରାଇ ଏବେ ଲୋୟର ସୁକତେଲ୍ ଓ ଇନ୍ଦ୍ରାବତୀ ନଦୀ ଅବବାହିକା ଉପରେ ଆନ୍ଧ୍ର ଚାଷୀ ନଜର ପକାଇଛନ୍ତି। ଏକର ଏକର ଚାଷ ଜମି କିଣି ସେସବୁ ସ୍ଥାନରେ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ଖବରଟି ହେଉଛି ଏମିତି। ବର୍ତ୍ତମାନ ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲ୍ଲା ସମେତ ବରଗଡ଼ ଜିଲ୍ଲାର ଅଧିକାଂଶ ଜମିର ଚାଷ ଆନ୍ଧ୍ର ଚାଷୀଙ୍କ କବ୍ଜାରେ ରହିଛି। ହୀରାକୁଦ ନଦୀବନ୍ଧ ହେବା ପରେ କେନାଲ୍ ଅଞ୍ଚଳ ଯଥା ଅତାବିରା, ଭେଡ଼େନ ଆଦି ବ୍ଲକ୍ରେ ଆନ୍ଧ୍ର ଚାଷୀଙ୍କ ବସତି ହୋଇଥିଲା। ଏବେ ଅତାବିରା ବ୍ଲକ୍ରେ ପାଖାପାଖି ୧୫ହଜାର ଆନ୍ଧ୍ର ଚାଷୀ ଅଛନ୍ତି। ଉଭୟ ରବି ଏବଂ ଖରିଫ୍ରେ ଏହି ବ୍ଲକ୍ରୁ ପ୍ରଚୁର ଧାନ ଉତ୍ପାଦନ ହେଉଛି। କିନ୍ତୁ ମାତ୍ରାଧିକ କୀଟନାଶକ ଏବଂ ବାରମ୍ବାର ଧାନ ଚାଷ ଯୋଗୁଁ ଜମିର ଉର୍ବରତା କମିବାକୁ ବସିଲାଣି। ଆଉ କିଛି ବର୍ଷ ପରେ ଉତ୍ପାଦନ ଗଭୀର ଭାବେ ପ୍ରଭାବିତ ହେବ। ଏହି ଆଶଙ୍କାରେ ବହୁ ଆନ୍ଧ୍ର ଚାଷୀ ଏବେ କଳାହାଣ୍ଡିର ଇନ୍ଦ୍ରାବତୀ ଏବଂ ବଲାଙ୍ଗୀରର ଲୋୟର ସୁକ୍ତେଲ୍ ପ୍ରକଳ୍ପ ଆଡ଼କୁ ମୁହାଁଇଛନ୍ତି।
ଅପର୍ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, କଲମପୁର, ଧର୍ମଗଡ଼, କୋକସରା ଏବଂ ଜୟପାଟଣା ବ୍ଲକ୍ର ୧,୧୨,୮୬୬ ହେକ୍ଟର ଜମି ଜଳସେଚିତ। କଳାହାଣ୍ଡିର ୪୨୯ଟି ଗାଁ ପ୍ରକଳ୍ପରୁ ପାଣି ପାଉଛି। ତେଣୁ ବରଗଡ଼ର ବହୁ ଆନ୍ଧ୍ର ଚାଷୀ ଏସବୁ ଗାଁରେ ଜମି କିଣିବା ଆରମ୍ଭ କରିଛନ୍ତି। କେନାଲ୍ ଉପରମୁଣ୍ଡରେ ଥିବା ଜମି ଉପରେ ଆନ୍ଧ୍ର ଚାଷୀ ଆଖି ପକାଉଛନ୍ତି। ଆନ୍ଧ୍ରପ୍ରଦେଶରେ ଥିବା ସେମାନଙ୍କ ସମ୍ପର୍କୀୟମାନେ କଳାହାଣ୍ଡିର ବିଭିନ୍ନ ବ୍ଲକ୍ରେ ସାମାନ୍ୟ ଚଢ଼ା ଦରରେ ଜମି କିଣି ଚାଲିଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ୍ ଜରିଆରେ ଉଭୟ ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାର ୨୩ ହଜାର ହେକ୍ଟର ଜମିକୁ ପାଣି ଯିବା ଲାଗି ସୁଯୋଗ ସୃଷ୍ଟି ହୋଇଛି। ତେଣୁ ଏଠାରେ ମଧ୍ୟ ଜଳସେଚିତ ଜମି କିଣିବାକୁ ବରଗଡ଼ର ଆନ୍ଧ୍ର ଚାଷୀମାନେ ତତ୍ପରତା ଦେଖାଉଛନ୍ତି।
ଅନ୍ୟପକ୍ଷରେ, ଆନ୍ଧ୍ର ସରକାରଙ୍କ କୃଷି ନୀତି ବି ସେଠାକାର ଚାଷୀଙ୍କୁ ଓଡ଼ିଶା ମୁହାଁଇବାକୁ ବାଟ ଦେଖାଇଛି। ଦେଶର ସବୁଠୁ ବାତ୍ୟାପ୍ରବଣ ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ। ଗୋଟିଏ ଦଶନ୍ଧିର ପରିସଂଖ୍ୟାନ ଅନୁସାରେ, ସେଠାରେ ପ୍ରତି ବର୍ଷ ହାରାହାରି ୫ଟି ବାତ୍ୟା ମାଡ଼ ହେଉଛି। ଯାହା ଫଳରେ ଆନ୍ଧ୍ରରେ ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହେଉଛି। ତେଣୁ ଚାଷୀଙ୍କ ଆର୍ଥିକସ୍ଥିତି ସ୍ବଚ୍ଛଳ ରଖିବା ପାଇଁ ଆନ୍ଧ୍ର ବିକଳ୍ପ ଚାଷ ଉପରେ ଧ୍ୟାନ ଦେଲାଣି। ଏପରିକି ରବି ଋତୁରେ ବିକଳ୍ପ ଚାଷକୁ ପ୍ରାଧାନ୍ୟ ଦେବା ପାଇଁ ସଂପୃକ୍ତ ସରକାର ସ୍ବତନ୍ତ୍ର କୃଷି ନୀତି କରିଛନ୍ତି। ରବି ଋତୁରେ ସେଠାରେ ୬୨ଲକ୍ଷ ଟନ୍ ଧାନ ଉତ୍ପାଦନ ହୋଇଥାଏ। କିନ୍ତୁ ଆନ୍ଧ୍ର ସରକାର ୨୨ଲକ୍ଷ ଏକରରୁ ଅଧିକ ଜମିରେ ବିକଳ୍ପ ଚାଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକ ୧.୦୯ ଲକ୍ଷ ଏକରରେ ତୈଳ ବୀଜ, ୪.୪୨ ଲକ୍ଷ ଏକର ବଦଳରେ ୫.୦୬ଲକ୍ଷ ଏକରରେ ଡାଲିଜାତୀୟ ଶସ୍ୟ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି। ତେଣୁ ସେଠାରେ ରବି ଋତୁରେ ୫୦.୩୬ ଲକ୍ଷ ଏକର ବଦଳରେ ମାତ୍ର ୩୪.୩୧ ଏକରରେ ଧାନ ଚାଷ ହେଉଛି। ଧାନ କ୍ଷେତ୍ରରେ ନିଅଣ୍ଟିଆ ସ୍ଥିତି ଭରଣା ପାଇଁ ଆନ୍ଧ୍ର ଧୀରେଧୀରେ ଓଡ଼ିଶାକୁ ଆଖେଇଛି। ସେଠାକାର ଚାଷୀ ଓଡ଼ିଶାର ବିଭିନ୍ନ ଜଳପ୍ରକଳ୍ପ ପାଖାପାଖି ଇଲାକାରେ ଜମି କିଣି ଆଗକୁ କେବଳ ଧାନଚାଷ କରିବାକୁ ଯୋଜନା ରଖିବା ପଛର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି।