ବିବୁଧେନ୍ଦ୍ର ପାଢ଼ୀ
ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଇଲାକା ସୋରଳ, ସୋନପୁର, କତୁରୁ ଓ ଏକସିଙ୍ଗି ପଞ୍ଚାୟତ। ଆବହମାନ କାଳରୁ ଏଠାକାର ଅଧିବାସୀ ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରିଆସୁଛନ୍ତି। ଏଥିପାଇଁ ଏହି ଇଲାକା ଗୁଡ଼ିକ ମତ୍ସ୍ୟଜୀବୀବହୁଳ ପଞ୍ଚାୟତ ଭାବେ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି। ତେବେ ସମୟ ଚକ୍ରରେ ସୀମାନ୍ତ ଆନ୍ଧ୍ରପ୍ରଦେଶର ବେପାରୀମାନେ କୌଶଳ ଖଟାଇ ଏହି ନିରୀହ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡିକୁ ଉଜାଡ଼ି ଦେଇଛନ୍ତି।
ବିସ୍ତୀର୍ଣ୍ଣ ଲୁଣା ଜମିକୁ ଜବରଦଖଲ କରି ହାଇବ୍ରିଡ୍ ଚିଙ୍ଗୁଡ଼ି ଚାଷର ବେଆଇନ ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ସେମାନଙ୍କ ଦୌରାତ୍ମ୍ୟରେ ସ୍ଥାନୀୟ ମତ୍ସ୍ୟଜୀବୀ ନିଜ କୌଳିକ ବୃତ୍ତିରୁ ଦୂରେଇଯାଉଛନ୍ତି। ଆଉ ୪ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୪ରୁ ୫ହଜାର ଯୁବକ ବର୍ତ୍ତମାନ ଓଡ଼ିଶାର ଓ ରାଜ୍ୟ ବାହାରେ ଦାଦନ ଖଟୁଥିବା ଜଣାପଡ଼ିଛି। ଜୀବିକାର ସୁରକ୍ଷା ଓ ଆନ୍ଧ୍ର ବେପାରୀଙ୍କ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଜାରି କରିବା ଲାଗି ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ, କୌଣସି ସୁଫଳ ମିଳୁନି। କେବଳ ପ୍ରତିଶ୍ରୁତି ମିଳିଛି। ଏହି ମତ୍ସ୍ୟଜୀବୀମାନେ ନିଜର ପାରମ୍ପରିକ ମାଛଚାଷ କରି ବେଶ୍ ଖୁସିରେ ଥିଲେ। ଇଲିଶି, ଖଇଙ୍ଗା, ସୁରୁଙ୍ଗା ଓ ମେଜି ଭଳି ବିଭିନ୍ନ କିସମର ମାଛ ଧରି ଯାହା ବିକ୍ରି କରୁଥିଲେ ସେଥିରେ କଷ୍ଟେମଷ୍ଟେ ସେମାନଙ୍କ ପରିବାର ପ୍ରତିପୋଷଣ ହେଉଥିଲା। ୨୦୧୧ ଜନଗଣନା ଅନୁଯାୟୀ ସୋନପୁର ପଞ୍ଚାୟତର ୫ ହଜାର ପରିବାର ମଧ୍ୟରୁ ୪ ହଜାର ପରିବାର ମାଛଚାଷ ଉପରେ ନିର୍ଭର କରୁଥିଲେ। ସେହିପରି ପାତିସୋନପୁରର ୩୫୦୦ ପରିବାର ମଧ୍ୟରୁ ୨୦୦୦, ସୋରଳର ୯୦୦୦ ପରିବାର ମଧ୍ୟରୁ ୨୦୦୦, ଏକସିଂଗି ପଞ୍ଚାୟତର ୩୦୦୦ ପରିବାର ମଧ୍ୟରୁ ୧୫୦୦ ଓ କତୁରୁ ପଞ୍ଚାୟତ ୫୦୦୦ ପରିବାର ମଧ୍ୟରୁ ୧୫୦୦ ପରିବାର ମାଛଚାଷକୁ ଏକମାତ୍ର ଜୀବିକା ଭାବେ ଗ୍ରହଣ କରୁଥିଲେ। ସେହିପରି ପ୍ରାୟ ୫୦୦ ଏକରରୁ ଅଧିକ ଜମିରେ ଚିଙ୍ଗୁଡ଼ି ଚାଷ ମଧ୍ୟ ହେଉଥିଲା। ଅର୍ଥାତ ୨୦ ପ୍ରତିଶତ ଇଲାକାରେ ମତ୍ସ୍ୟଜୀବୀମାନେ ଚିଙ୍ଗୁଡ଼ି ଘେରିରେ ଗୋବର, ଚୂନ ଓ ଶୁଖୁଆ ଗୁଛି ଆଦି ପକାଇ ପାରମ୍ପରିକ ପଦ୍ଧତିରେ ଚିଙ୍ଗୁଡ଼ି ଚାଷ କରୁଥିଲେ।
ବର୍ତ୍ତମାନ ଆନ୍ଧ୍ର ବେପାରୀ ସେମାନଙ୍କ ଇଲାକା ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ବାଗଦା, ମାରଣା ଓ କଣ୍ଟାଳ ଆଦି ଉନ୍ନତମାନର ହାଇବ୍ରିଡ୍ ଚିଙ୍ଗୁଡ଼ି ଚାଷ କରିବାରୁ ମତ୍ସ୍ୟଜୀବୀଙ୍କ ପାରମ୍ପରିକ ଚାଷ ଉଜୁଡ଼ିଯାଇଛି। ଅଧିକ ଅମଳ ପାଇଁ ଚିଙ୍ଗୁଡ଼ି ଘେରିରେ ସାର ପ୍ରୟୋଗ ହେଉଛି। ଦୂଷିତ ପାଣିକୁ ନଦୀକୁ ଛଡ଼ାଯାଉଛି। ଯାହାଫଳରେ ମାଛଚାଷର ଅନ୍ତୁଡ଼ିଶାଳ ପାଲଟିଥିବା ଚିଲିକାରେ ଏହି ଦୂଷିତ ପାଣି ମିଶି ବିଭିନ୍ନ ପ୍ରଜାତିର ମାଛଙ୍କ ଜୀବନ ପ୍ରତି ବିପଦର ସୃଷ୍ଟି କରିଥିଲା। ଫଳରେ ପାଖାପାଖି ୫୦ହଜାର ମତ୍ସ୍ୟଜୀବୀଙ୍କ ଜୀବିକା ସଂକଟରେ ପଡ଼ିଛି। ସେମାନଙ୍କ ପରିବାରରୁ ୪୦୦୦ରୁ ୫୦୦୦ ଯୁବକ ଏବେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ମତ୍ସ୍ୟଜୀବୀଙ୍କ ଜୀବିକା ଏକ ଇତିହାସ ପାଲଟିଯିବ ବୋଲି ମତପ୍ରକାଶ ପାଇଛି। ଆନ୍ଧ୍ର ବେପାରୀଙ୍କ ଦ୍ବାରା ରିଂ ଜାଲର ପ୍ରୟୋଗ, ସେମାନଙ୍କ ଦୌରାତ୍ମ୍ୟ, ମୁହାଣ ଜବରଦଖଲ ଓ ପରିବେଶ ପ୍ରଦୂଷଣ ନେଇ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନି ବୋଲି ମତ୍ସ୍ୟଜୀବୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/sfhfhfff55.jpg)