ପଟାଙ୍ଗି/କୋରାପୁଟ: ସ୍ବାଧୀନତା ଦିବସରେ ବି କୋଟିଆରେ ଦବଦବା ଜାହିର୍ କରିଛି ଆନ୍ଧ୍ର। ଓଡ଼ିଶା ଭିତରକୁ ପଶି ଆସି ପତାକା ଉତ୍ତୋଳନ କରିବା ସହ ତେଲୁଗୁ ଫଳକ ଲଗାଇଛି। ସୀମାରେ ଅନୁପ୍ରବେଶ ରୋକିବାକୁ ପୁଲିସ୍, ପ୍ରଶାସନ ତୀକ୍ଷଣ୍ ନଜର ରଖିଥିବା ବେଳେ କିପରି ଆନ୍ଧ୍ର ଅଧିକାରୀ କୋଟିଆରେ ପଶି ପତାକା ଉତ୍ତୋଳନ କଲେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆର ଫାଟୁସିନେରୀ, ନାରେଡିବାଲସା ଓ ଗଞ୍ଜେଇପଦର ଗାଁରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଫାଟୁସିନେରୀରେ ସ୍ଥାନୀୟ ସରପଞ୍ଚ ସିଦ୍ଦରପୁ କାମୀ, ନାରେଡିବାଲସା ଓ ଗଞ୍ଜେଇପଦରରେ ସରପଞ୍ଜ ଦିବାକର ଗେମେଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଫାଟୁସିନେରୀ ଚର୍ଚ୍ଚ ସମ୍ମୁଖରେ ଆନ୍ଧ୍ର ଏଜେଣ୍ଟ, ଆନ୍ଧ୍ର ଦ୍ବାରା ପରିଚାଳିତ ବିଦ୍ୟାଳୟର ଶିକ୍ଷକ ଓ କିଛି ଛାତ୍ରଛାତ୍ରୀଙ୍କୁ ନେଇ ସରପଞ୍ଚ ସିଦ୍ଦରିପୁ କାମୀ ପତାକା ଉତ୍ତୋଳନ କରିଥିଲେ। ଅନ୍ୟପଟେ ନାରେଡିବାଲାସା ଓ ଗଞ୍ଜେଇପଦରରେ ଆନ୍ଧ୍ରରୁ ଆସିଥିବା କିଛି ଅଧିକାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା।

Advertisment

publive-image

କେବଳ ପତାକା ଉତ୍ତୋଳନ ନୁହେଁ ତେଲୁଗୁ ଫଳକ ମାରି ଆନ୍ଧ୍ର ନିଜର ପ୍ରଭାବ ଦେଖାଇବାକୁ ପ୍ରୟାସ କରିଛି। କୋଟିଆ ପଞ୍ଚାୟତର ଧୂଳିପଦର ଗ୍ରାମରେ ତେଲୁଗୁ ଫଳକକୁ ଗ୍ରାମର ପ୍ରବେଶ ଦ୍ୱାରରେ ଗତ ଶନିବାର ସନ୍ଧ୍ୟାରେ ଆନ୍ଧ୍ର ଅଧିକାରୀ ପୋତିଥିବା ଗ୍ରାମବାସୀ କହିଛନ୍ତି। ଫଳକରେ ପ୍ରଧାନମନ୍ତ୍ରୀ ଓ
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଛି। ଆନ୍ଧ୍ର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ସଂପର୍କରେ ଫଳକରେ ଲେଖାଥିବା ଦେଖି ସ୍ଥାନୀୟ ଜନସାଧାରଣ ଚକିତ ହୋଇଯାଇଛନ୍ତି। ଉତ୍କଳ ଦିବସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ ସମୟରେ ଆନ୍ଧ୍ର ପୁଲିସ ଓ ଅଧିକାରୀଙ୍କ ଉପସ୍ଥିତି ଦେଖି ଗୋ ବ୍ୟାକ ନାରା ଦେଇଥିଲେ। ଏହାପରେ ଧୂଳିପଦରରେ ଲାଗିଥିବା ଫଳକରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ କାର୍ଯ୍ୟକ୍ରମ ସଂପର୍କରେ ଲେଖାଥିବାରୁ ତାହାକୁ ହଟାଇବା ଆଦୌ ସହଜ ହେବ ନାହିଁ ବୋଲି କୁହାଯାଉଛି। ତଥାପି ଆନ୍ଧ୍ରର ଷଡ଼୍‌ଯନ୍ତ୍ରକୁ ଆଗାମୀ ଦିନରେ ତୀବ୍ର ବିରୋଧ କରାଯିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସେହିପରି ଓଡ଼ିଶା ସରକାର ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।