ଓଡ଼ିଶା ଦିବସରେ ଆନ୍ଧ୍ର ଗୋ ବ୍ୟାକ୍‌ ଗୁଞ୍ଜରଣ: କୋଟିଆରୁ ଆନ୍ଧ୍ର ପୁଲିସକୁ ତଡ଼ିଲେ

କୋରାପୁଟ : ଏ ମାଟି ଓଡ଼ିଶାର। ଆନ୍ଧ୍ରର ନୁହେଁ। ଏଠାକୁ ଆସିବାକୁ ତୁମକୁ କିଏ ଅନୁମତି ଦେଲା। ତୁରନ୍ତ ଏଠାରୁ ଚାଲିଯାଅ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି କଡ଼ା ଅଭିମୁଖ୍ୟ ପରେ ଗୁଞ୍ଜରଣ ହେଲା ‘ଆନ୍ଧ୍ର ପୁଲିସ ଗୋ ବ୍ୟାକ୍‌। ଓଡ଼ିଶା ଦିବସରେ ବିବାଦୀୟ ଭୂଖଣ୍ଡ କୋଟିଆରେ ଆଜି ଏମିତି ତାତି ସହ ଆନ୍ଧ୍ର ପୁଲିସକୁ ତଡ଼ିବା ଦୃଶ୍ୟ ‌ଦେଖିବାକୁ ମିଳିଛି।

ପ୍ରଶାସନ, ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ପକ୍ଷରୁ ଶନିବାର ଦିନ କୋଟିଆରେ ଓଡ଼ିଶା ଦିବସ ପାଳନ ପାଇଁ ବଡ଼ ଆୟୋଜନ ହେଉଥିବା ପୂର୍ବରୁ ଆନ୍ଧ୍ର ପୁଲିସକୁ ସୂଚନା ମିଳିସାରିଥିଲା। ତେଣୁ ଗତିବିଧି ଉପରେ ନଜର ରଖିବାକୁ ଏଜେଣ୍ଟଙ୍କୁ ଦାୟିତ୍ବ ଦିଆଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫାଟୁସିନେରି ପହଞ୍ଚିବା ପୂର୍ବରୁ ହିଁ ଗୁଇନ୍ଦାଗିରି କରିବାକୁ ଦୁଇଟି ବାଇକ୍‌ରେ ପୁଲିସ ଅଧିକାରୀ ଏବଂ ସରକାରୀ କର୍ମଚାରୀ ଡେରା ପକାଇ ସାରିଥିଲେ। ଏଜେଣ୍ଟମାନେ ମଧ୍ୟ ସକ୍ରିୟ ହୋଇ କେନ୍ଦ୍ର ମନ୍ତ୍ରୀଙ୍କ ଆଖପାଖରେ ରହିଥିଲେ। ଏପରିକି କେନ୍ଦ୍ର ମନ୍ତ୍ରୀ କାହାକୁ ଭେଟୁଛନ୍ତି, କଣ କହୁଛନ୍ତି ତାହାର ଭିଡିଓଗ୍ରାଫି ମଧ୍ୟ କରିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା ସମୟରେ ଆନ୍ଧ୍ରର କୋଟିଆ ସର୍କଲ ଇନସ୍‌ପେକ୍ଟର ରୋହିଣୀ ପତି, ପଞ୍ଚାୟତ ସଂପାଦକ ବି. ଉମାଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଗୋଟିଏ ଧାର୍ମିକ ଅନୁଷ୍ଠାନ ପଛପଟେ ଖଟିଆ ପକାଇ ବସି ରହିଥିଲେ। ଏହି ସମୟରେ ଏଜେଣ୍ଟ ସୁକ ଗେମେଲ ପହଞ୍ଚିଯାଇ ଓଡ଼ିଶା ଅବହେଳା ଯୋଗୁ ଲୋକ ଆନ୍ଧ୍ର ଉପରେ ନିର୍ଭରଶୀଳ ବୋଲି କହିବାକୁ ପଛାଇନଥିଲା। ତେ‌ଲୁଗୁ ସୂଚନା ଫଳକ ଦେଖି ତୁରନ୍ତ ହଟାଇବାକୁ କୁହାଯିବାରୁ ଏହାର ସିଧାସଳଖ ବିରୋଧ କରିଥିଲା। ତେଣୁ କେନ୍ଦ୍ରମନ୍ତ୍ରୀ ନାମ ପଚାରିବାରୁ ଭୁଲ ନାମ କହି ନିଜ ପରିଚୟ ଲୁଚାଇବା ପାଇଁ ସୁକ ଗେମେଲ ପ୍ରୟାସ କରିଥିଲା।

ଓଡ଼ିଶା ଦିବସ କାର୍ଯ୍ୟକ୍ରମକୁ ଭଣ୍ଡୁର ଉଦ୍ଦେଶ୍ୟରେ ହିଁ ଆନ୍ଧ୍ର ପୁଲିସ ଆସିଥିବା ସନ୍ଦିଗ୍ଧ ଗତିବିଧିରୁ ସ୍ପଷ୍ଟ ହୋଇଯାଇଥିଲା। ଏହି ସୂଚନା ପାଇ ସେମାନଙ୍କ ନିକଟରେ ପହଞ୍ଚି ଯାଇଥିଲେ କେନ୍ଦ୍ର ମନ୍ତ୍ରୀ। ଓଡ଼ିଶା ମାଟିରେ ଆନ୍ଧ୍ର ଅଧିକାରୀଙ୍କ ଉପସ୍ଥିତିକୁ ଆଦୌ ବରଦାସ୍ତ କରାଯିବ ନାହିଁ। ତୁରନ୍ତ ସ୍ଥାନ ଛାଡ଼ି ଚାଲି ଯିବାକୁ କେନ୍ଦ୍ର ମନ୍ତ୍ରୀ ତାଗିଦ୍‌ କରିବାରୁ ଆନ୍ଧ୍ର ଅଧିକାରୀ ଅଧିକ ଯୁକ୍ତିତର୍କ ନକରି ସେଠାରୁ ଚାଲି ଆସିଥିଲେ।

ଫାଟୁସିନେରି ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରର ପ୍ରାକ୍‌ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡ଼ିଶା ଦିବସର ଗୁରୁତ୍ବ ତଥା ଉପଲବ୍ଧିକୁ ବୁଝାଇଥିଲେ କେନ୍ଦ୍ର ମନ୍ତ୍ରୀ। ଗାଁର ୨୦ରୁ ଊର୍ଦ୍ଧ୍ବ ପରିବାର ଆବାସ ଯୋଜନାରେ ଘର ପାଇନଥିବା, ରାସନକାର୍ଡରେ ନିୟମିତ ଚାଉଳ ମିଳୁନଥିବା, ବ୍ୟାଙ୍କ ସେବା ଉପଲବ୍ଧ ହେଉନଥିବା, ମନରେଗାରେ ମଜୁରି ମିଳିବାରେ ବିଳମ୍ବ ଏବଂ ମୋବାଇଲ ନେଟୱର୍କ ଭଳି ସମସ୍ୟା ସଂପର୍କରେ ଗ୍ରାମବାସୀ ସିଧାସଳଖ ଜଣାଇଥିଲେ। ଲୋକଙ୍କ ସମସ୍ୟାର ସମାଧାନ ଅଗ୍ରାଧିକାର ଭିତ୍ତିରେ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ‌ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମସ୍ୟା ଗୁଡ଼ିକର ସମାଧାନ କିଭଳି ତୁରନ୍ତ ହେବ ସେଥିପ୍ରତି ଗୁରୁତ୍ବ ଦେବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ମୁକେଶ ମହାଲିଙ୍ଗ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ସନାତନ ମିଥୁଳି, ସୁମନ୍ତ ପ୍ରଧାନ, କାଳୀରାମ ମାଝି, ଗୌତମ ସାମନ୍ତରାୟ, ଗୋବିନ୍ଦ ମାଝି, ପୂର୍ଣ୍ଣିମା ନାୟକ, ସିଦ୍ଧେଶ୍ବର ଗେମେଲ, ଅଶୋକ ଗେମେଲ, ସିନ୍ଦୁରୁ ଗେମେଲ, ଡମ୍ବରୁ ଗେମେଲେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର