‌ଓଡ଼ିଶା ପକ୍ଷରୁ ଥାନା ନିର୍ମାଣ ଆରମ୍ଭ ହେବା ପରେ କୋଟିଆରେ ଥାନା ଖୋଲିବାକୁ ଆନ୍ଧ୍ରର ପ୍ରସ୍ତୁତି

ଓଡ଼ିଶା ପକ୍ଷରୁ ଥାନା ନିର୍ମାଣ ଆରମ୍ଭ

କୋରାପୁଟ : ବିବାଦୀୟ କୋଟିଆରେ ଓଡ଼ିଶା ପକ୍ଷରୁ ଥାନା ନିର୍ମାଣ କାମ ଆରମ୍ଭ ହେବା ପରେ ଏହାର ପାଲଟା ଜବାବ ଦେବାକୁ ପ୍ରସ୍ତୁତି ହେଉଛି ଆନ୍ଧ୍ର। ବିବାଦୀୟ ଅଂଚଳରେ ଏକ ଥାନା ନିର୍ମାଣ କରିବାକୁ ଆନ୍ଧ୍ର ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ଏକ ଉପଯୁକ୍ତ ସ୍ଥାନ ସନ୍ଧାନରେ ସେମାନେ ଥିଲା‌ବେଳେ ଓଡ଼ିଶା ଏହାକୁ ଅଧିକ ଗୁରୁତ୍ବ ଦେଇନି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୨ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ଭିତରେ ବିବାଦ ଲାଗି ରହିଛି। ଏହି ଅଂଚଳକୁ ନିଜର ବୋଲି ପ୍ରମାଣିତ କରିବା ପାଇଁ ଉଭୟ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି। ଦୁଇ ବର୍ଷ ତଳେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ପରେ ଏହି ମାମଲା ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି। କୋଟିଆର ବିକାଶକୁ ଓଡ଼ିଶା ଫୋକସ୍‌ରେ ରଖିଥିଲା ବେଳେ ସେଠାରେ ବିଭିନ୍ନ ନିର୍ମାଣ କାମ ଆରମ୍ଭ କରି ଦେଇଛନ୍ତି। ପାଖାପାଖି ସପ୍ତାହେ ତଳେ କୋଟିଆରେ ଥାନା ନିର୍ମାଣ ଆରମ୍ଭ ହୋଇଛି। କୋଟିଆରେ ଏବେ ଏକ ପୁଲିସ କ୍ୟାମ୍ପ ଖୋଲା ଯାଇଛି। ଏଠାରେ ଶତାଧିକ ଫୋର୍ସ ରହିବା ସହ ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏହା ମାଓ ପ୍ରଭାବିତ ଅଂଚଳ ହୋଇଥିବାରୁ ବିଭିନ୍ନ ଉନ୍ନୟନମୂଳକ କାମ ଉପରେ ନଜର ରଖିଛନ୍ତି ଯବାନ। ଥାନା କାମ ଶୀଘ୍ର ଶେଷ କରିବା ଉପରେ ସରକାର ଫୋକସ କରିଥିଲା‌ ବେ‌ଳେ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି।

କୋଟିଆ ପଞ୍ଚାୟତ ସଦର ମହକୁମାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଥାନା ନିର୍ମାଣ ପରେ ଚିନ୍ତାରେ ପଡ଼ି ଯାଇଛି ଆନ୍ଧ୍ର। ଓଡ଼ିଶାର ଥାନା ହେ‌ବା ଦ୍ବାରା ଏଠାରେ ଯବାନ ରହିବେ। ସମଗ୍ର ଅଂଚଳ ପୁଲିସ ରାଡାରରେ ରହିବ। ଫଳରେ ଆନ୍ଧ୍ରର ଅନୁପ୍ରବେଶ ସହଜ ‌ହୋଇ ପାରିବନି। ତେଣୁ ଏହାର ପାଲଟା ଜବାବ ଦେବାକୁ ଆନ୍ଧ୍ର ଆରମ୍ଭ କରିଛି ପ୍ରସ୍ତୁତି। ଆନ୍ଧ୍ର ପକ୍ଷରୁ ଏଠାରେ ଏକ ଥାନା ନିର୍ମାଣ କରିବାକୁ ଯୋଜନା କରାଯାଉଛି। କୋଟିଆରେ ଥାନା ନ କରି ସେମ୍ଭି ଗ୍ରାମ ପାଖରେ ଏହି ଥାନା ନିର୍ମାଣ କରାଯିବ। ଆନ୍ଧ୍ର ତରଫରୁ ଏଠାରେ ଆଗରୁ ସରପଞ୍ଚ ଥିବା ବିଶୁ ଗେମେଲ କହିଛନ୍ତି ଯେ, ଆଗରୁ ଏଠାରେ ଓଡ଼ିଶା‌ର ଏକ ଫାଣ୍ଡି ଥିଲା। କିନ୍ତୁ ଏହା ବନ୍ଦ ହୋଇଯିବା ପରେ ଲୋକେ ଆଇନଶୃଙ୍ଖଳା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଥିଲେ। ଏବେ କିନ୍ତୁ ଓଡ଼ିଶା ସରକାର ଏଠାରେ ଥାନା ନିର୍ମାଣ କରିବା ପରେ ଆନ୍ଧ୍ର ଚୁପ ହୋଇ ବସିବନି। ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ଆନ୍ଧ୍ର ତରଫରୁ ଏକ ଥାନା କରାଯିବ। ଏଥିପାଇଁ ସ୍ଥାନ ଖୋଜା ଚାଲିଛି। ସେମ୍ଭି ଗ୍ରାମ ପାଖରେ ଏହି ଥାନା ନିର୍ମାଣ କରିବାକୁ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଖୁବଶୀଘ୍ର ଥାନା କାମ ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି।

ପୂର୍ବରୁ କୋଟିଆରେ ଓଡ଼ିଶା ସରକାରଙ୍କ ଏକ ଫାଣ୍ଡି ଥିବା ବେଳେ ମାଓ ଉପଦ୍ରବ ବଢ଼ିବା ପରେ ଏହାକୁ ବନ୍ଦ କରି ଦିଆଯାଇଛି। ସେହିପରି ଆନ୍ଧ୍ରର ଏକ ଅସ୍ଥାୟୀ ଫାଣ୍ଡି ମଧ୍ୟ ରହିଥିଲା। ଏବେ ଏହା ମଧ୍ୟ ଉଠାଇ ନିଆଯାଇଛି। ଫଳରେ କୋଟିଆ ଅଂଚଳର ଆଇନ ଶୃଙ୍ଖଳା ସ୍ଥିତି ବୁଝିବାକୁ କେହି ନାହାନ୍ତି। କିଛି ଲୋକେ ପଟାଙ୍ଗୀ ଥାନା‌ ଉପରେ ନିର୍ଭର କରୁଥିଲା ବେଳେ କିଛି ଲୋକ ଆନ୍ଧ୍ରର ସାଲୁର ଥାନାକୁ ଭରସା କରିଥାନ୍ତି। କିନ୍ତୁ ଓଡ଼ିଶାର ଥାନା କାମ ଆରମ୍ଭ ହୋଇ ଯାଇଥିବାରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି। ଏହା ସହିତ ସ୍ବାସ୍ଥ୍ୟକେନ୍ଦ୍ର, ଷ୍ଟାଫ କ୍ବାର୍ଟର୍ସ ଓ ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣ ଚାଲିଛି। ନିର୍ମାଣ କାମ ଶେଷ ହୋଇଗଲେ ଏଠାରେ ନିୟମିତ ଥାନା କାର୍ଯ୍ୟ କରିବା ସହ ମେଡିକାଲ ବି ଖୋଲିବ। ଫଳରେ କୋଟିଆବାସୀ ଓଡ଼ିଶା ଆଡ଼କୁ ଅଧିକ ଢଳିବାର ସମ୍ଭାବନା ରହିଛି। ଏହା ଆନ୍ଧ୍ର ସରକାରକୁ ଚିନ୍ତାରେ ପକାଇ ଦେଇଥିବାରୁ ସେମାନେ ଏହାର ମୁକାବିଲା କରିବା ପାଇଁ ବାଟ ଖୋଜୁଛନ୍ତି।

ସମ୍ବନ୍ଧିତ ଖବର