କୋଟିଆରେ ଆନ୍ଧ୍ରର ସ୍ବାସ୍ଥ୍ୟ ପରୀକ୍ଷା

କୋରାପୁଟ/ପଟାଙ୍ଗି: କୋଟିଆ ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବା ବେଳେ ଦୁଇ ରାଜ୍ୟ ଛକାପଞ୍ଝା ସ୍ଥିତିରେ ରହିଛନ୍ତି। କିନ୍ତୁ, ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ବିବାଦକୁ ବଢ଼ାଇ ଚାଲିଛି। ଓଡ଼ିଶାର କଡ଼ା ବିରୋଧ ସତ୍ତ୍ବେ ଆଜି ପୁଣି କୋଟିଆ ପଞ୍ଚାୟତରେ ଅନାଧିକାର ପ୍ରବେଶ କରିଛି ଆନ୍ଧ୍ରର ସ୍ବାସ୍ଥ୍ୟ ବିଭାଗ ଟିମ୍‌।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନାରେଡିବାଲସାଠାରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଏହି ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଆଗାମୀ ୨୪ତାରିଖ ଯକ୍ଷ୍ମାଦିବସ ପାଇଁ ଲୋକଙ୍କୁ ସଚେତନ କରିବା ଆଳରେ ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ ଟିମ୍‌ କୋଟିଆରେ ପଶିଥିଲେ। ନାରେଡିବାଲସାରେ ବହୁସମୟ ଧରି ଡେରା ପକାଇ ଲୋକଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଥିଲା। ଏହି ଟିମ୍‌ରେ ବି.ନରେଶ, ବି.ମାଙ୍ଗା, ଏନ୍‌ଏନ୍‌ଏମ୍‌ ସି.ସୁଶୀଳା ଓ ଅଶାକର୍ମୀ ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ, କିଛିଦିନର ବ୍ୟବଧାନରେ ପୁଣି ଅନାଧିକାର ପ୍ରବେଶ ଯୋଗୁ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପାଇଛି।

ସୂଚନାଯୋଗ୍ୟ, କିଛିମାସ ତଳେ ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ ଟିମ୍‌ କୋଟିଆରେ ଅନୁପ୍ରବେଶ କରିବା ସମୟରେ ପଟାଙ୍ଗି ବ୍ଲକ୍‌ ପ୍ରଶାସନ ଅଟକାଇଥିଲା। ଯାହାକୁ ନେଇ ଦୁଇ ରାଜ୍ୟର ଅଧିକାରୀ ମୁହାଁମୁହିଁ ହୋଇଥିଲେ। କିନ୍ତୁ, ଓଡ଼ିଶାର କଡ଼ା ପ୍ରତିରୋଧ ଯୋଗୁ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଫେରି ଯାଇଥିଲା। ଏହାପରେ ପୁଲିସର ସହାୟତା ନେଇ ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ କୋଟିଆରେ ପଶି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା।

ସମ୍ବନ୍ଧିତ ଖବର