ସୀମାନ୍ତ ୪୦ ଗାଁରେ ଆନ୍ଧ୍ର ଅନୁପ୍ରବେଶ ବିବାଦ : ଏପ୍ରିଲରେ ସୀମା ପଥର ଚିହ୍ନଟ କରିବ ପ୍ରଶାସନ

 

ବ୍ରହ୍ମପୁର/ପାତ୍ରପୁର : ସୀମାନ୍ତରେ ଓଡ଼ିଶାର ପାହାଡ଼, ଜଙ୍ଗଲ, ଜମି, ନଦୀ ପରେ ଏବେ କିଛି ବର୍ଷ ହେଲା ରାଜସ୍ବ ଗାଁ ଗୁଡ଼ିକରେ ଆନ୍ଧ୍ରର ଅନୁପ୍ରବେଶ ବିବାଦ ଉଗ୍ରରୂପ ଧାରଣ କରିଛି। କୋରାପୁଟ ଜିଲ୍ଲା କୋଟିଆ ଠାରୁ ଗଜପତି ଓ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ସୀମାନ୍ତ କିଛି ଗାଁରେ ଆନ୍ଧ୍ରର ଅନୁପ୍ରବେଶ ରହିଛି। ଗତ ଫେବ୍ରୁଆରି ୧୩ତାରିଖରେ ଅନୁଷ୍ଠିତ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଗଞ୍ଜାମର କିଛି ଗ୍ରାମର ବାସିନ୍ଦା ଆନ୍ଧ୍ରରେ ଭୋଟ ଦେବା, ପ୍ରାର୍ଥୀ ହେବା ନଜରକୁ ମଧ୍ୟ ଆସିଛି। ଆନ୍ଧ୍ରର ଅନୁପ୍ରବେଶ ଯୋଗୁଁ ବାରମ୍ବାର ସୀମା ବିବାଦ ମୁଣ୍ତ ଟେକୁଥିବାରୁ ଏଥିପ୍ରତି ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଗଞ୍ଜାମ-ଆନ୍ଧ୍ର ସୀମାନ୍ତରେ ଥିବା ପାତ୍ରପୁର ବ୍ଲକ୍‌ର ୪୦ ଗାଁର ଆର୍‌ଓଆର୍‌ ଓ ବନ୍ଦୋବସ୍ତ ରେକର୍ଡ଼ ଗଞ୍ଜାମ ନାମରେ ରହିଛି। ଏହି ଗ୍ରାମର ସୀମା ଗୁଡ଼ିକରେ ପୋତା ଯାଇଥିବା ପଥର ଗୁଡ଼ିକ ଚିହ୍ନଟ କରି ରଙ୍ଗ ଦେବା ସହ ନମ୍ବରିଂ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ପାତ୍ରପୁର ବ୍ଲକ୍‌କୁ ୧୦ଦିନ ଲାଗି ୧୦ଜଣ ଅମିନ ଦେବା ଲାଗି ପାତ୍ରପୁର ତହସିଲ ପକ୍ଷରୁ ଜିଲ୍ଲାପାଳ ଏବ˚ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଅନୁରୋଧ କରା ଯାଇଥିବା ଜଣାପଡ଼ିଛି। ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରୁ ସୀମା ପଥର ଚିହ୍ନଟ ଓ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ୯ଟି ପଞ୍ଚାୟତର ୪୦ଟି ଗାଁ ଆନ୍ଧ୍ର ସସୀମାନ୍ତରେ ରହିଛି। ଏହି ବ୍ଲକର ଆମ୍ବପୁର ଗ୍ରାମପଞ୍ଚାୟତର ବନମାଳୀ ପୁର , ବୁରାତାଲ୍‌ ଗ୍ରାମ ପଞ୍ଚାୟତର ଅବାଣ୍ତିଆ ଓ ଲେଡ଼ା, ତୁମ୍ବା ପଞ୍ଚାୟତ ଅଜୁବା, ବାବନା ସାହି, ବଡ଼ଝୋଳା, ବାଲି ଗାଁ, ଭୋଗୀବନ୍ଧ, ବୁରସାହି, ଗୌଡ଼ୁଣି, କହ୍ନେଇମାଳ, କୁଲାଡ଼ି, ଫଟକାସିଙ୍ଗି, ପୁରିଆ ସାହି, ରମ୍ପା, ସାରଦା, ଶାସନ, ସିଲେଇସିଙ୍ଗି, ସିନ୍ଦୁରାବାଡ଼, ତାବୁଡ଼ିଆ ଓ ତୁମ୍ବାଗଡ଼(ସ˚ରକ୍ଷିତ ଜଙ୍ଗଲ) ରହିଛି। ସେହିପରି ବି.ନୂଆଗାଁ ପଞ୍ଚାୟତର ବି.ନୂଆଗାଁ, ଶବରଦେଇ ପେଟା, ଶରଧାପୁର ଓ ଟି.ବ୍ରହ୍ମପୁର ଏବ˚ ଗୁଡ଼ିପଦର ପଞ୍ଚାୟତର ଜି.ବଳରାମପୁର ଓ ଗୁଡ଼ିପଦର ଗ୍ରାମ ରହିଛି। ସେହିପରି ଜୟନ୍ତୀପୁର ଗ୍ରାମ ପଞ୍ଚାୟତର ଜେ.ବଳରାମପୁର ଓ ଜୟନ୍ତୀପୁର କେଶରୀପଡ଼ା ପଞ୍ଚାୟତର କେଶରୀପଡ଼ା, ଖାଡେଙ୍ଗା ରାଜେନ୍ଦ୍ରପୁର ଓ ଟୁଟିପୁର, ବରଙ୍ଗ ପଞ୍ଚାୟତର ବରଙ୍ଗ, ଗୋପାଳପଲ୍ଲୀ, ପାର୍ବତୀପୁର, ପିତାମ୍ବରପୁର, ପଲଙ୍କ ଓ ସନ୍ତୋଷପୁର ଏବ˚ ସାମନ୍ତିଆପଲ୍ଲୀର ଭୀମପୁର ଓ ଚଣ୍ତିବାଡ଼ ରହିଛି। ଏହି ସବୁ ଗ୍ରାମ ଆର୍‌ଓଆର୍‌ ଓ ବନ୍ଦୋବସ୍ତ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ। କିନ୍ତୁ  ତୁମ୍ବା ପଞ୍ଚାୟତର କୁଲାଡ଼ି ଗାଁକୁ ନେଇ ସବୁ ସମୟରେ ବିବାଦ ଲାଗି ରହିଛି।
ଏହି ଗ୍ରାମରେ ଆନ୍ଧ୍ର ବିଦ୍ୟୁତ ଲାଇନ ଦେବା ସହ ଭୋଟ ପରିଚୟପତ୍ର ଦେଇଛି। ଏଥିସହ ରାସନ୍‌ ସାମଗ୍ରୀ ଠାରୁ ଆରମ୍ଭ କରି ଭତ୍ତା ଆଦି ଦେଉଛନ୍ତି। ଏହି ଗ୍ରାମବାସୀ ମାନେ ଗତ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିଲେ। ଏପରିକି ଜଣେ ମହିଳା ମଧ୍ୟ ଵାର୍ଡ଼ସଭ୍ୟା ପଦରେ ପ୍ରାର୍ଥୀ ହୋଇ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରିଥିଲେ। ସେହିପରି ବୁରାତାଲ ପଞ୍ଚାୟତର ଗୁଡ଼ିଖଳା ଗାଁ ସବୁଠାରୁ ଅଧିକ ବିବାଦୀୟ। ଏହି ଗ୍ରାମଟି ଗଞ୍ଜାମରେ ଥିଲେ ସୁଦ୍ଧା ଗଞ୍ଜାମ, ଗଜପତି ଓ ଆନ୍ଧ୍ର ସୀମାରେ ରହିଥିବାରୁ ସବୁ ସମୟରେ ବିବାଦ ଉପୁଜୁଛି। ଟି.ବ୍ରହ୍ମପୁର ଓ ଜୟପୁର ଗାଁ ଦ୍ବୟ ଆନ୍ଧ୍ର ସୀମାନ୍ତରେ ଥିବା ବେଳେ ଏହି ଗାଁର ଲୋକମାନେ ଗତ ନିର୍ବାଚନରେ ଆନ୍ଧ୍ରକୁ ଭୋଟ ଦେଇଥିବା ଆନ୍ଧ୍ରର ଜଣେ ସରପଞ୍ଚ ପ୍ରାର୍ଥୀ ମଧ୍ୟ ଅଭିଯୋଗ ଆଣିଥିଲେ। ଅନ୍ୟପକ୍ଷରେ ଆନ୍ଧ୍ର ସରକାର ବିଭିନ୍ନ ପ୍ରୋତ୍ସାହନ ଦେଇ ଓଡ଼ିଶା ପିଲାଙ୍କୁ ଆନ୍ଧ୍ର ସ୍କୁଲରେ ନାମ ଲେଖାଇବାକୁ ଆକର୍ଷିତ କରୁଛନ୍ତି। ପାତ୍ରପୁର ବ୍ଲକର ୪ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆନ୍ଧ୍ରର ବିଭିନ୍ନ ସ୍କୁଲରେ ନାମ ଲେଖାଇଛନ୍ତି।
ସମ୍ବନ୍ଧିତ ଖବର