କୋରାପୁଟ: ଓଡ଼ିଶା ଭିତରେ ଫୋର୍ସ ପୂରାଇ ସ୍ବାସ୍ଥ୍ୟ ସେବା ଯୋଗାଇବା ଖାଲି ଆନ୍ଧ୍ରର ଲକ୍ଷ୍ୟ ନୁହେଁ। କୋଟିଆରେ ରହୁଥିବା ତେଲୁଗୁ ସମ୍ପ୍ରଦାୟକୁ ନିଜ ଆଡ଼କୁ ଟାଣିବା ମୁଖ୍ୟ ଲକ୍ଷ୍ୟ। ଏ ଦିଗରେ ଓଡ଼ିଶା ସରକାରଙ୍କ କୋମଳ ମନୋଭାବର ସୁଯୋଗ ନେଉଛି ଆନ୍ଧ୍ର ସରକାର। ଜଗନ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ପିଡ଼ିକା ରାଜ୍ଜାନା ଦୋରା କୋଟିଆବାସୀଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଛନ୍ତି। ସେ ଏବେ ଆଦିବାସୀ ମନ୍ତ୍ରଣାଳୟ ଦାୟିତ୍ବରେ ରହିଥିବାରୁ ଏହି ବିଭାଗର ସବୁ କର୍ମଚାରୀଙ୍କୁ କୋଟିଆ ଉପରେ ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ପଠାଉଛନ୍ତି। ଗତକାଲି ଧୂଳିପଦରରେ ହୋଇଥିବା କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ଏସ୍‌ଟି କମିସନର ଡିଭିଜି ଶଙ୍କର ରାଓ, ଜିଲ୍ଲା ମୁଖ୍ୟ ଶାସନ ସଚିବ ଦାଣ୍ଡି ଶ୍ରୀନିବାସ ରାଓ, ଉପସାଂସଦ ରେଡ୍ଡୀ ସୁରେଶ କୁମାର, ଜିଲ୍ଲା ସେବାଦଳ ସଭାପତି ସୁଭଦା ରାମକୃଷ୍ଣ, ଡେପୁଟି ଡିଏମ୍‌ଏଚ୍‌ଓ ଶିବ କୁମାର, ମଣ୍ଡଳ ୱାଇଏସ୍‌ଆର୍‌ସିପି ପାର୍ଟି ସଭାପତି ସୁଭଦା ଭାରତ ସେନୁ, ସରପଞ୍ଚ, ଏମ୍‌ପିଡିଓ ଶ୍ରୀମତୀ ପାର୍ବତୀ, ସଚିବାଳୟ କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲେ। ଓଡ଼ିଶା ପକ୍ଷରୁ କୋଟିଆରେ ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ ରହିଛି। ଏଠାରେ କେବଳ ସାମାନ୍ୟ ରୋଗ ପାଇଁ ଔଷଧ ଦିଆଯିବା ସହିତ ଜଣେ ଡାକ୍ତର ରହିଛନ୍ତି। ଗୁରୁତର ରୋଗୀଙ୍କୁ ପଡୋଶୀ ଆନ୍ଧ୍ରର ଡାକ୍ତରଖାନା ଓ ଏଜେଣ୍ଟ ଭରସା। ଚିକିତ୍ସା ପାଇଁ କୋରାପୁଟ ଆସିବା ପାଇଁ କୌଣସି ରୋଗୀ ଇଚ୍ଛା ପ୍ରକାଶ କରୁନାହାନ୍ତି।

Advertisment

ଏଠାରେ ଆବଶ୍ୟକ ପରିମାଣରେ ବିଶେଷଜ୍ଞ, ପାରାମେଡିକାଲ ଷ୍ଟାଫ୍‌ ଆଦିର ଆବଶ୍ୟକ ରହିଥିବା ବେଳେ ଓଡ଼ିଶା ଏହା ଯୋଗାଇ ଦେବାକୁ ଅମକ୍ଷ। ଗତ ଦିନରେ ଆନ୍ଧ୍ର ପକ୍ଷରୁ ଫାଟୁସିନେରିରେ ସ୍ବାସ୍ଥ୍ୟ ଶିବିର କରାଯିବା ପରେ ଓଡ଼ିଶା ସରକାର ସଜାଗ ହୋଇଯିବା କଥା। ଏହାପରେ ଓଡ଼ିଶା ସରକାର ଭ୍ରାମ୍ୟମାଣ ଗାଡ଼ି ଦ୍ବାରା ଲୋକଙ୍କ ନିକଟରେ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କଥା। ଅନ୍ୟପଟେ ଗତକାଲି ଆନ୍ଧ୍ର ପକ୍ଷରୁ ଧୂଳିପଦରରେ ହୋଇଥିବା ସ୍ବାସ୍ଥ୍ୟ ଶିବିର ସଂପର୍କରେ କୋରାପୁଟ ଜିଲ୍ଲା ପ୍ରଶାସନ ପୂର୍ବରୁ ଜାଣିଥିଲେ ମଧ୍ୟ ଏହି ଶିବିରକୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ନେଇନଥିଲା। ପୁଲିସ, ଡାକ୍ତରୀ ଟିମ୍‌ କିମ୍ବା‌ କୌଣସି ସରକାରୀ କର୍ମଚାରୀ ଧୂଳିପଦରରେ ନ ପହଞ୍ଚିବା କୋଟିଆ ପାଇଁ ପ୍ରଶାସନର କୋମଳ ମନୋଭାବକୁ ଦର୍ଶାଉଛି। ଖାଲି ସେତିକି ନୁହେଁ ଶିବ ଶଙ୍କର ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେବା ପରେ ତାଙ୍କ ସ୍ଥାନରେ ନିରଞ୍ଜନ ସାହୁ, ଉମା ଶଙ୍କର ମିଶ୍ର ଓ ପ୍ରଭାତି ନାୟକ ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଦାୟିତ୍ବ ନେଇଛନ୍ତି। କିନ୍ତୁ ଏହି ମାମଲାରେ କୋରାପୁଟ ପ୍ରଶାସନିକସ୍ତରରେ ଯେଉଁ ତତ୍ପରତା ପ୍ରକାଶ ପାଇବା କଥା ପାଉନି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କୃଷି କାର୍ଯ୍ୟକ୍ରମ କରି ଲୋକଙ୍କୁ ରୋଜଗାର ଦେଉଥିବା ବେଳେ ଏହା ଠାରୁ ଅଧିକ ସୁବିଧା ଓ ସୁଯୋଗ ଦେଉଛି ଆନ୍ଧ୍ର।

ପୂର୍ବରୁ ଆନ୍ଧ୍ର ପକ୍ଷରୁ ଯେକୌଣସି କାର୍ଯ୍ୟକ୍ରମ ହେବା ପୂର୍ବରୁ କୋଟିଆ ପୁଲିସ, ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଏହାର ବିରୋଧ କରିବା ସହ ଲଢ଼ୁଥିଲେ। ଗତ ଦିନରେ ଆନ୍ଧ୍ର ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ ଶିବିର ସଂପର୍କରେ ମଧ୍ୟ ବହୁ ପୂର୍ବରୁ ଗୁଇନ୍ଦା ରିପୋର୍ଟ ପାଇଥିଲା ଓଡ଼ିଶା। କିନ୍ତୁ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଆନ୍ଧ୍ରର ମୁହଁ ବଢ଼ାଇଛି। ପୂର୍ବରୁ ଓଡ଼ିଶା କାର୍ଯ୍ୟକ୍ରମ କରିବା ପରେ ଆନ୍ଧ୍ର କରୁଥିଲା। ଏବେ ଆନ୍ଧ୍ର କାର୍ଯ୍ୟକ୍ରମ କରିବା ପରେ ଓଡ଼ିଶା ମନ ହେଲେ କାର୍ଯ୍ୟକ୍ରମ କରୁଛି ନ ହେଲେ ନାହିଁ। ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ନଭେମ୍ବର ୧ରେ ଫଗୁଣସିନେରୀ ଓ ୭ ତାରିଖରେ ନାରେଡ଼ିବାଲସାରେ ସ୍ବାସ୍ଥ୍ୟ ଶିବିର କରିବାକୁ ଯୋଜନା କରିଥିବା ସୂଚନା ମିଳିଛି।