ସୁରେଶ କୁମାର ନାଇଡ଼ୁ
କୋରାପୁଟ: କୋରାପୁଟ ମାଳଭୂମିରେ ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଛି ପନିପରିବା, ଅଦା, ଆଳୁ ଓ ହଳଦୀ। କଫି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନାଁ କମାଇଛି। ହେଲେ ଉତ୍ପାଦିତ ଦ୍ରବ୍ୟର ବଜାରୀକରଣ ପାଇଁ ନାହିଁ ଉପଯୁକ୍ତ ବ୍ୟବସ୍ଥା। ଯାହାର ଫାଇଦା ଉଠାଉଛି ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ କର୍ଣ୍ଣାଟକ। କଫିଠାରୁ ଆରମ୍ଭ କରି ପନିପରିବା ଓ ଅନ୍ୟ ସାମଗ୍ରୀ ଶାଗମାଛ ଦରରେ ପଡ଼ୋଶୀ ରାଜ୍ୟ ବ୍ୟବସାୟୀ କିଣି ନେଇ ମାଲାମାଲ୍ ହେଉଛନ୍ତି। ଫଳରେ ଏଠାକାର ଚାଷୀ, ଯୁବ ଉଦ୍ୟୋଗୀଙ୍କୁ ଉଚିତ ଦର ମିଳିପାରୁନି।
ଜିଲ୍ଲାରେ ପ୍ରାୟ ୧୨ହଜାର ୧୫୦ ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ସେହିପରି ୯୦୦ ହେକ୍ଟରରେ ଅଦା, ୩୦୦ ହେକ୍ଟରରେ କନ୍ଦମୂଳ, ୩୦୦୦ ହେକ୍ଟରରେ ହଳଦୀ ଓ ଆଳୁ ୬୫୦ ହେକ୍ଟରରେ ଏଭଳି ୧୭ହଜାର ହେକ୍ଟର ଜମିରେ ଚାଷ ହେଉଛି। କେବଳ ହଳଦୀ, ହଳଦୀରେ ତିଆରି ସାବୁନ୍ ଓ ଗୁଣ୍ଡ ବିକ୍ରିବଟା ପାଇଁ ଓରମାସ କିଛି ମାତ୍ରାରେ ସହଯୋଗ କରୁଛି। ୩ହଜାର ଚାଷୀଙ୍କ ମଧ୍ୟରୁ ମାତ୍ର ୨୦୦ଚାଷୀଙ୍କ ନିକଟରୁ ହଳଦୀ କିଣୁଛି ଓରମାସ। ବାକି ଚାଷୀ ପଡ଼ୋଶୀ ବ୍ୟବସାୟୀଙ୍କ ଉପରେ ନିର୍ଭରଶୀଳ। ସେହିପରି ଜିଲ୍ଲାରେ ୧୦୦ ମେଟ୍ରିକ୍ ଟନ୍ରୁ ଅଧିକ ତେନ୍ତୁଳି ଉତ୍ପାଦିତ ହେଉଛି। ଟିଡିସିସି, ଓରମାସ ପକ୍ଷରୁ ମାତ୍ର ୨୦ ମେଟ୍ରିକ୍ ଟନ ତେନ୍ତୁଳି କିଣାଯାଉଛି। ପନିପରିବା ୨ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଛି। ଏହି ସମସ୍ତ ସାମଗ୍ରୀକୁ ଦୀର୍ଘ ଦିନ ସାଇତି ରଖିବା ପାଇଁ ଜିଲ୍ଲାରେ ଗୋଟିଏ ବି ଶୀତଳ ଭଣ୍ଡାର ନାହିଁ। ଯେଉଁଥି ପାଇଁ ଚାଷୀମାନେ ସ୍ବଳ୍ପ ଦରରେ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାରୀକରଣ ଅଭାବରୁ କୋରାପୁଟ କଫି ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିପାରୁନି। ଜିଲ୍ଲାରେ ଉତ୍ପାଦିତ ‘ଆରବିକା’ କଫି ଫ୍ଲେଭର୍ ବିଶ୍ବର ସର୍ବ ପୁରାତନ କଫି। ଉତ୍କୃଷ୍ଟମାନର କଫିର ବେଶ୍ ଚାହିଦା ଥିଲେ ମଧ୍ୟ ବ୍ରାଣ୍ଡିଂ କରିବାରେ ଓଡ଼ିଶା ସରକାର ଉପଯୁକ୍ତ ପଦକ୍ଷେପ ନେଇନାହାନ୍ତି।
ସୂଚନା ମୁତାବକ, ଜିଲ୍ଲାର ସେମିଳିଗୁଡ଼ାରେ ୧୧୪ ହେକ୍ଟର, ଦଶମନ୍ତପୁର ବ୍ଲକରେ ୫୪୦ ହେକ୍ଟର, ଲକ୍ଷ୍ମୀପୁରରେ ୩୦୩ ହେକ୍ଟର, ନନ୍ଦପୁରରେ ୩୫୨ ହେକ୍ଟର, କୋରାପୁଟରେ ୨୭୧ ହେକ୍ଟର, ବୋରିଗୁମ୍ମାରେ ୩୧ ଓ ପଟାଙ୍ଗୀରେ ୪୦ ହେକ୍ଟର ଜମିରେ କଫି ଚାଷ କରାଯାଉଛି। ଜିଲ୍ଲାର ପ୍ରାୟ ୩୩୬୦ ହେକ୍ଟର ଜମିରେ କଫି ଚାଷ ହେଉଥିବାବେଳେ ୨୭୦୦ରୁ ଊର୍ଦ୍ଧ୍ବ ଚାଷୀ ରହିଛନ୍ତି। ୨୦ ଜଣ ବଡ ଚାଷୀ ୬୦୦ ଏକରରେ କଫି ଚାଷ କରୁଛନ୍ତି। ବଳକା ୨୭୦୦ଚାଷୀ ୨୭୬୦ଏକରରେ ଚାଷ କରୁଛନ୍ତି। ଟିଡିସିସି ୩୦୦ ଚାଷୀଙ୍କଠାରୁ କଫି ମଞ୍ଜି କିଣୁଛି। ମଞ୍ଜିକୁ କିଣି ପ୍ରକ୍ରିୟାକରଣ କରିବା ପରେ ‘କୋରାପୁଟ କଫି’ ନାଁରେ ବ୍ରାଣ୍ଡିଂ କରାଯାଉଛି। ବଡ଼ ଚାଷୀ ନିଜ ଚାଷ ସହ ଛୋଟ ଚାଷୀଙ୍କ କଫି ମଞ୍ଜିକୁ ପ୍ରକ୍ରିୟାକରଣ କରି କର୍ଣ୍ଣାଟକ, ବେଙ୍ଗାଲୁରୁ ବ୍ୟବସାୟୀଙ୍କୁ କିଲୋ ପ୍ରତି ୩୦୦ରୁ ୪୦୦ଟଙ୍କାରେ ବିକ୍ରି କରୁଛନ୍ତି। ଏହ ବାଦ୍ ବେଙ୍ଗାଲୁରର କିଛି କଫି କମ୍ପାନିର ମଧ୍ୟସ୍ଥି ଗାଁକୁ ଗାଁ ବୁଲି କଫି ଚାଷୀଙ୍କଠାରୁ ମଞ୍ଜି ସଂଗ୍ରହ କରୁଛନ୍ତି। ଯାହାକୁ ନିଜ ବ୍ରାଣ୍ଡିଂରେ ବିକ୍ରି କରି ମୁନାଫା ସହିତ ନାଁ କମାଉଛନ୍ତି।