କୋଟିଆରେ ପୁଣି ପଶିଲା ଆନ୍ଧ୍ର, ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବିରୋଧ ପରେ ଆସିଲେନି ସାଲୁର ବିଧାୟକ

କୋରାପୁଟ/ପଟାଙ୍ଗି : ଓଡ଼ିଶା ନେତାଙ୍କ ରଣହୁଙ୍କାରୁ ଯୋଗୁ ଶେଷ ମୁହୂର୍ତ୍ତରେ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଥିଲା ଆନ୍ଧ୍ର ପ୍ରଶାସନ। କିନ୍ତୁ ନିଜ ଉଦ୍ଦେଶ୍ୟକୁ ପୂରଣ କରିବାକୁ ଦୁଇ ଦିନ ଧରି ଅପେକ୍ଷା କରି ରହିଥିଲା। ଗୁରୁବାର ସେହି ସୁଯୋଗ ମିଳିବାରୁ ଓଡ଼ିଶାରେ ଲୁଚିଛପି ପଶିଥିଲେ ପାର୍ବତୀପୂରଣ ପିଓ ଆଇଟିଡିଏ ଆର. କୁର୍ମାନାଥ, ପାର୍ବତୀପୁରମ ବିଡିଓ ଜି. ପାର୍ବତୀ ଏବଂ ଡିଏସ୍‌ପି ଜି. ସୁବାସ। ସଂପୂର୍ଣ୍ଣ ଗୋପନ ରଖି ଏହି ଗସ୍ତ କରିଥିବା ବେଳେ ଗଣମାଧ୍ୟମ ବି ଏହାର ଟେର୍‌ ପାଇ ନଥିଲେ। ଅନ୍ୟପକ୍ଷରେ ୧୬ତାରିଖର ବିରୋଧ ଯୋଗୁ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ ସାଲୁର ବିଧାୟକ।

ସୂଚନା ଅନୁସାରେ, ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ଫଗୁଣସିନେରୀ, ଫାଟୁସିନେରୀ, କୋଣାଦୋରା ଏବଂ ସିଲିପିଗୁଡ଼ାରେ ସରକାରୀ କାର୍ଯ୍ୟକ୍ରମ କରିଛି ଆନ୍ଧ୍ର। ଏହି ଅବସରରେ ଫାଟୁସିନେରୀରେ ପଞ୍ଚାୟତ କାର୍ଯ୍ୟାଳୟ, ସ୍ବାସ୍ଥ୍ୟ କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ସେହିପରି ଫଗୁଣସିନେରୀରେ କୃଷକ ନିଶ୍ଚିତତା କେନ୍ଦ୍ର, ଅଙ୍ଗନୱାଡି କୋଠା, ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କୋଣାଦରାରେ ଏବଂ ସଲିପିଗୁଡା ଠାରେ ଅଙ୍ଗନୱାଡି କୋଠା ପାଇଁ ମୂଳଦୁଆ ପକାଇଥିଲେ। ସକାଳ ପ୍ରାୟ ୧୦ଟାରେ ଓଡ଼ିଶା ସୀମାରେ ଆନ୍ଧ୍ରର ପ୍ରଶାସନିକ ଏବଂ ପୁଲିସ ଅଧିକାରୀ ପଶିଥିବା ବେଳେ ପ୍ରାୟ ୪ଘଣ୍ଟା ଧରି ବିବାଦୀୟ ଗାଁ ଗୁଡ଼ିକରେ ବିତାଇଥିଲେ। ଏହିସମୟ ମଧ୍ୟରେ କିଛି ସ୍ଥାନରେ ବୃକ୍ଷରୋପଣ କରିଥିବା ସୂଚନା ମିଳିଛି। ତେବେ ପୂର୍ବଭଳି ଆଦୌ ଦମ୍ଭ ଦେଖା ନଥିବା ବେଳେ ଚୁପ୍‌ଚାପ୍‌ କାମ ସାରି ଏଠାରୁ ପ୍ରଶାସନିକ ଅଧିକାରୀ ଚାଲି ଯାଇଥିବା ଜଣାପଡ଼ିଛି।

ଏ ନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ, ଶସ୍ତା ଲୋକପ୍ରିୟତା ପାଇଁ କିଛି ଗଛ ଲଗାଇବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ଓଡ଼ିଶାରେ ପଶି କେମିତି କାମ କରିବାକୁ ଆଦୌ ସୁଯୋଗ ଦିଆଯିବ ନାହିଁ। ଏହାର ଉଚିତ ଜବାବ ଦିଆଯିବ। ଗଣମାଧ୍ୟମ ସେମାନଙ୍କୁ ଅଧିକ ପ୍ରଶ୍ରୟ ଦେବା ଉଚିତ ନୁହେଁ ବୋଲି କହିଛନ୍ତି। ପୂର୍ବତନ ପ୍ରଶାସକ ଗଦାଧର ପରିଡା କହିଛନ୍ତି ଯେ, ଏହିପରି ଗୋଟିଏ ପରେ ଗୋଟିଏ କାମ କରି ସାହାସ ଜୁଟାଇବ। ପରବର୍ତ୍ତୀ ସମୟରେ ଓଡ଼ିଶାର ଅଞ୍ଚଳକୁ ମାଡି ବସିବ । ଆଜି ସେମାନେ ଲୁଚିଛପି ପ୍ରବେଶ କରିଥିବାରୁ ଯେଉଁ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ପକାଇଛି ତାହା କେତେବେଳେ କରିଦେବ ଜଣାପଡ଼ିବ ନାହିଁ। ନାରେଡିବାଲାରେ ଆଇଟିଡିଏ ଗୃହ ତାହାର ଗୋଟିଏ ଉଦାହରଣ। ତେଣୁ ଏଥର କଡ଼ା ଜବାବ ଦେବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର