ସୀମାନ୍ତ ଗାଁ ଉପରେ ଆନ୍ଧ୍ରର ନଜର

ମାଗଣାରେ ଦେଉଛନ୍ତି ସ୍ବାସ୍ଥ୍ୟ ସେବା, ଆକର୍ଷିତ ହେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି/ଚିତ୍ରକୋଣ୍ଡା: ସୀମାନ୍ତରେ ଥିବା ଓଡ଼ିଶାର ଅନୁନ୍ନତ ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ର ସରକାରଙ୍କ ନୂଆ ଷଡ଼ଯନ୍ତ୍ର। ବିବାଦ ଆଶଙ୍କାରେ ସିଧାସଳଖ କୌଣସି କାର୍ଯ୍ୟକ୍ରମ ନକରି ପରୋକ୍ଷରେ ଆରମ୍ଭ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ। ଏଥିପାଇଁ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଏବେ ଆନ୍ଧ୍ର ସରକାରଙ୍କ ଫୋକସରେ ରହିଛି। ନିଜ ଅଞ୍ଚଳରେ ସ୍ବାସ୍ଥ୍ୟ ଶିବିର କରି ଏଠାରୁ ଚିକିତ୍ସା ଆଳରେ ବୋହି ନେଉଛନ୍ତି ହଜାର ହଜାର ଲୋକଙ୍କୁ। ମାଗଣାରେ ଉନ୍ନତ ତଥା ଆଧୁନିକ ଚିକିତ୍ସା ପାଇ ବିଚ୍ଛିନ୍ନାଞ୍ଚଳର ଅବହେଳିତ ଗ୍ରାମବାସୀ ବି ଏଥିରେ ଆକର୍ଷିତ ହୋଇ ସ୍ବଇଚ୍ଛାରେ ଆନ୍ଧ୍ରକୁ ଯାଉଛନ୍ତି। ଯାହାଫଳରେ ପଡ଼ୋଶୀ ରାଜ୍ୟ ସରକାରଙ୍କ ପ୍ରତି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଆସ୍ଥା ବଢ଼ୁଥିବା ବେଳେ ଆଗକୁ ଅନ୍ୟ କାର୍ଯ୍ୟକ୍ରମ ଦ୍ବାରା ଜନମତକୁ ନିଜ ପକ୍ଷକୁ ନେଇ ସୀମାନ୍ତ ଗାଁକୁ ଆନ୍ଧ୍ରରେ ମିଶାଇବାକୁ ବଡ଼ ମସୁଧା ଚଳାଇଛନ୍ତି ଆନ୍ଧ୍ର ସରକାର। ନକ୍ସଲଙ୍କ ଉତ୍ପାତ ଯୋଗୁଁ ବିଚ୍ଛିନ୍ନାଞ୍ଚଳରେ ବିକାଶ ପହଞ୍ଚି ପାରିଲା ନାହିଁ। ଦୀର୍ଘ ବର୍ଷ ଧରି ଲୋକେ ଏଠାରେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ହୋଇ ରହିଥିଲେ। ଏମିତି ସ୍ଥିତିରେ ଜୀବନ, ଜୀବିକା ପାଇଁ ଏଠାକାର ଅଧିକାଂଶ ଲୋକ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିଲେ। ଆନ୍ଧ୍ର ସରକାର ଏନେଇ ଅବଗତ ହେବାପରେ ନୂଆ ରଣନୀତି ଅନୁଯାୟୀ ଅନୁନ୍ନତ ଗାଁକୁ ନିଜ ସୀମାରେ ମିଶାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାର ପ୍ରାଥମିକ ପର୍ଯ୍ୟାୟରେ ନିଜ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛନ୍ତି। ଯାହାର ପ୍ରଚାର ତଥା ପ୍ରସାର ଓଡ଼ିଶା ସୀମାରେ ରହିଥିବା ଗାଁ ଗୁଡ଼ିକରେ କରାଯାଉଛି। ତେଣୁ ଚିତ୍ରକୋଣ୍ଡା ବ୍ଲକର ରାଲଗେଡା, ପଣସପୁଟ, ଯନ୍ତ୍ରୀ, ଯଡାମ୍ବ, ପାପଲୁର, କୁରମାନୁର, ଅଣ୍ଡ୍ରାପାଲୀ ପଞ୍ଚାୟତର ଶହ ଶହ ଲୋକ ଏହି ଶିବିରକୁ ଯାଇ ଚିକିତ୍ସିତ ହେଉଛନ୍ତି। ଏପରିକି ଓଡ଼ିଶା ସୀମା ପର୍ଯ୍ୟନ୍ତ ଆନ୍ଧ୍ର ସରକାରଙ୍କ ଗୋଟିଏ ଗାଡି ଆସି ଓଡିଶାବାସୀଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଏମିତି ସେବା ଦ୍ବାରା ସୀମାନ୍ତ ଗାଁର ଲୋକେ ଉପକୃତ ହେଉଥିବାରୁ ଆନ୍ଧ୍ର ସରକାରଙ୍କ ପ୍ରତି ସମର୍ଥନ ବଢ଼ି ଚାଲିଛି।

ଆନ୍ଧ୍ର ସରକାରଙ୍କ ତରଫରୁ ଯେଉଁ ଗାଡି ଚିକିତ୍ସା କରିବାକୁ ଆସିଛି ସେଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଅସ୍ତ୍ରୋପଚାର କରିବା ପାଇଁ ସୁବିଧା ରହିଛି। ଏହି ଗାଡିରେ ଔଷଧ, ପାଥୋଲୋଜି ଲ୍ୟାବ୍, ରକ୍ତ ନମୁନା ପରୀକ୍ଷା, ଇସିଜି, ଓକ୍ସିଜେନ ଆଦି ସୁବିଧା ରହିଛି। ଜଣେ ଡାଟାଏଣ୍ଟ୍ରି ଓପରେଟର ଓଡ଼ିଶାରୁ ଯାଉଥିବା ରୋଗୀଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ଏହାପରେ ଜଣେ ଏମବିବିଏସ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ପରବର୍ତୀ ସମୟରେ ରୋଗୀଙ୍କୁ ଆବଶ୍ୟକ ସମସ୍ତ ଔଷଧ ସଂପୂର୍ଣ୍ଣ ମାଗଣାରେ ଦିଆଯାଉଛି। ସ୍ଥାନୀୟ ବୁଦ୍ଧିଜୀବୀ ଏହି ଘଟଣାକୁ ଅତି ଗମ୍ଭରତାର ସହ ନେଇଛନ୍ତି। ବିଚ୍ଛିନ୍ନାଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁ ନଥିବା ବେଳେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଇ ପାରିନି। ଯାହାର ସୁଯୋଗ ବର୍ତମାନ ପଡ଼ୋଶୀ ରାଜ୍ୟ ସରକାର ନେଉଛନ୍ତି। ଆଗକୁ ଏହାର ଫାଇଦା ନିଶ୍ଚିତ ରୂପେ ନେବେ ବୋଲି ମତ ପ୍ରକାଶ ପାଇଛି। ପଡୋଶୀ ରାଜ୍ୟ ଭଳି ଯଦି ଅଧୁନିକ ଚିକିତ୍ସା ବ୍ୟବସ୍ଥା ଯଦି ଏଠାରେ କରାଯାଇଥାନ୍ତା ତେବେ ଲୋକେ କେବେ ମଧ୍ୟ ଆନ୍ଧ୍ର ମୁହାଁ ହୋଇନଥାନ୍ତେ ବୋଲି କୁହାଯାଇଛି। ଏଠାରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ଘଟୁଥିବା କୁହାଯାଉଛି। ତେଣୁ ତୁରନ୍ତ କୌଣସି ବ୍ୟବସ୍ଥା କରାନଗଲେ ଭବିଷ୍ୟତରେ କୋରାପୁଟ ଜିଲ୍ଲାର କୋଟିଆ ଭଳି ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

ସମ୍ବନ୍ଧିତ ଖବର