ପୋଡ଼ମପେଟାରେ ଆନ୍ଧ୍ର ମାଫିଆଙ୍କ ରାଜ୍‌ : ଅଲିଭ ରିଡ୍‌ଲେଙ୍କ ଗଣ ଅଣ୍ତାଦାନକୁ ନେଇ ଆଶଙ୍କା

ବ୍ରହ୍ମପୁର : ଅଲିଭ ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ତାଦାନ ସ୍ଥଳ ହେଉଛି ଗଞ୍ଜାମ ଜିଲ୍ଲାର ପୋଡ୍‌ମପେଟା ବେଳାଭୂମି । ତେବେ ଏହି ବେଳାଭୂମିରେ ଏବେ ଚାଲିଛି ଆନ୍ଧ୍ର ଚିଙ୍ଗୁଡି ମାଫିଆଙ୍କ ରାଜ୍‌। ବେଳାଭୂମିରେ ପମ୍ପ୍‌ ହାଉସ ନିର୍ମାଣ କରି ଚିଙ୍ଗୁଡି ଘେରିକୁ ପାଣି ନିଆଯାଉଛି। ଆଉ ସିଆରଜେଡ୍ ଆଇନର ଖୁଲମଖୁଲା ଉଲ୍ଲଘଂନ ହେଉଥିଲେ ବି ଜିଲ୍ଲା ପ୍ରଶାସନ ଓ ବନବିଭାଗ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି। ବେଳାଭୂମି ହେଉଛି ସିଆରଜେଡ୍‌-୧ ଅନ୍ତର୍ଭୁକ୍ତ। ଏଠାରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ। ହେଲେ ସବୁ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ଏଠାରେ ଆନ୍ଧ୍ରମାଫିଆଙ୍କୁ ପ୍ରୋତ୍ସାହିତ କରାଯାଉଥିବା ଭଳି ମନେ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ପ୍ରୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ୫୪ କିମି ଉପକୂଳ ରହିଛି। ଋଷିକୂଲ୍ୟା ମୁହାଣ ଅନ୍ତର୍ଗତ ପୋଡମ୍‌ପେଟା ଠାରୁ କଲରାବାଡି ପର୍ଯ୍ୟନ୍ତ ପ୍ରାୟ ୭କିମି ବେଳାଭୂମି ହେଉଛି ଅଲିଭ ରିଡଲେଙ୍କ ଗଣଅଣ୍ତାଦାନ ସ୍ଥଳ। ଏବେ କଇଁଛଙ୍କ ମିଳନ ଋତୁ ଚାଲିଛି। ଦିନ କେଇଟା ପରେ ଲକ୍ଷ ଲକ୍ଷ ଅଲିଭ ରିଡ୍‌ଲେ ବେଳାଭୂମିରେ ଅଣ୍ତା ଦେବେ। ଏହାକୁ ଧ୍ୟାନରେ ରଖି ବେଳାଭୂମିକୁ ସଫାସୁତୁରା ରଖିବା ସହ ଅବରୋଧ ମୁକ୍ତ ରହିବା କଥା । ସେହିପରି ବେଳାଭୂମି ଏକ ସମ୍ବେଦନଶୀଳ ଅଞ୍ଚଳ ତଥା ସିଆରଜେଡ-୧ ଅର୍ନ୍ତଭୁକ୍ତ। ସିଆରଜେଡ ୧ ଅଞ୍ଚଳରେ କୌଣସି ସ୍ଥାୟୀ ନିର୍ମାଣ ହୋଇ ପାରିବ ନାହିଁ। ସମୁଦ୍ରରୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବି ଜଳ ଉତ୍ତୋଳନ କରି ନିଆଯାଇପାରିବ ନାହିଁ।

ହେଲେ ଏସମସ୍ତ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଆନ୍ଧ୍ରପ୍ରଦେଶର ଚିଙ୍ଗୁଡି ମାଫିଆ ପୋଡମ୍‌ପେଟା-ବଟେଶ୍ବର ମଧ୍ୟବର୍ତ୍ତୀ ବେଳାଭୂମିରେ ସିମେଣ୍ଟ କ˚କ୍ରିଟରେ ଏକ ପମ୍ପ ହାଉସ ନିର୍ମାଣ କରିଛନ୍ତି। ଖାଲି ଏତିକି ନୁହେଁ ବେଳାଭୂମିର ବାଲି ତଳେ ପାଇପ ଲାଇନକୁ ବିଛାଯାଇଛି। ବାଉଁଶ ବି ପୋତାଯାଇଛି। ଉକ୍ତ ଚିଙ୍ଗୁଡି ମାଫିଆ ଜଣକ ପ୍ରାୟ ଦେଢ ବର୍ଷ ହେଲା ଏଭଳି ବେନିୟମ କାର୍ଯ୍ୟ ଚଳାଇଥିବା ବେଳେ କେଉଁ ଆଧାରରେ ଓ କାହା ଚାପରେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନର ସଲାସୁତୁରାରେ ସିଆରଜେଡ୍‌ ବିଜ୍ଞପ୍ତିକୁ ଉଲ୍ଲଂଘନ କରି ପମ୍ପ ହାଉସ ନିର୍ମାଣ ହୋଇଥିବା କୁହାଯାଉଛି। ପାଇପଲାଇନ ବିଛା ଯିବା ସହ ମୋଟର ଚଳାଇବା ଯୋଗୁଁ କଇଁଛଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଜଣାପଡ଼ିଛି। ଏ ନେଇ ଡିଏଫଓ ଆଶିଷ କୁମାର ବେହେରାଙ୍କୁ ପଚାରିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର