ଭୁବନେଶ୍ବର/ପାରଳାଖେମୁଣ୍ଡି: ମହାବଳ ବାଘକୁ ନେଇ ଗଜପତି ଜିଲ୍ଲାରେ ଆତଙ୍କ ଖେଳିଯାଇଛି। ଗତ ୫ ଦିନ ଧରି ମହେନ୍ଦ୍ରଗିରି ବନାଞ୍ଚଳର ରାୟଗଡ଼ ଓ ଗୋଷାଣୀ ବ୍ଲକ୍ରେ ଘୂରି ବୁଲୁଥିବା ମହାବଳ ଆଜି ଗୋଷାଣୀ ବ୍ଲକ୍ ଏସ୍.ଉରୁଡ଼ା ମୁହାଁ ହୋଇଛି। ପ୍ରତି ଘଣ୍ଟାରେ ବାଘ ଜାଗା ପରିବର୍ତ୍ତନ କରୁଥିବାରୁ ବନ ବିଭାଗ ପକ୍ଷରୁ ମହାବଳର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଗତକାଲି ଏସ୍. ରାଉତପୁର ଗ୍ରାମ ସନ୍ନିକଟ ଜଙ୍ଗଲରେ ରହିଥିବା ବାଘ ଆଜି ସନ୍ଧ୍ୟାରେ ସେଠାରୁ ୫ କିଲୋମିଟର ଦୂର ଏସ୍. ଉରୁଡ଼ା ଅଞ୍ଚଳରେ ଚଳପ୍ରଚଳ କରୁଥିବାର ପ୍ରମାଣ ମିଳିଛି। ତେଣୁ ସେଠାକାର ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିବା ନେଇ ଏସିଏଫ୍ ଅଶୋକ କୁମାର ବେହେରା ସୂଚନା ଦେଇଛନ୍ତି। ଏସିଏଫ୍ ଶ୍ରୀ ବେହେରା ଓ ଅରୁଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମହେନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ପ୍ରଦୀପ ଆଚାର୍ଯ୍ୟଙ୍କ ନେତୃତ୍ବରେ ଉଭୟ ରାୟଗଡ଼ ଓ ଗୋଷାଣୀ ବ୍ଲକ୍ ଅଞ୍ଚଳରେ ୪୦ରୁ ଅଧିକ ବନ କର୍ମଚାରୀ ବାଘର ଗତିବିଧି ଅନୁଧ୍ୟାନ କରିବା ଲାଗି ନିୟୋଜିତ ହୋଇଛନ୍ତି। କର୍ମଚାରୀମାନେ ଏସ୍.ଉରୁଡ଼ାରେ ପହଞ୍ଚି ସନ୍ଧ୍ୟାରେ ଗୃହପାଳିତ ପଶୁଙ୍କୁ ଘରେ ସୁରକ୍ଷିତ ଭାବେ ବାନ୍ଧିବା ଓ ସନ୍ଧ୍ୟାରେ ବାହାରକୁ ନ ବାହାରିକୁ କହିଛନ୍ତି।
ପିସିସିଏଫ୍(ବନ୍ୟପ୍ରାଣୀ) ଏସ୍ କେ ପୋପଲିଙ୍କ କହିବାନୁଯାୟୀ, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଛି। ଦୁଇ ଚାରି ମାସ ପୂର୍ବରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା। ଯେହେତୁ ବାଘ ସଂରକ୍ଷଣ ନେଇ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି, ସେଥିପାଇଁ ବାଘଗୁଡ଼ିକ ବାରମ୍ବାର ଓଡ଼ିଶା ମୁହାଁ ହେଉଛନ୍ତି। ଆନ୍ଧ୍ରରୁ ଆସିଥିବା ଏହି ମହାବଳ ଉପରେ ନଜର ରଖିବାକୁ କ୍ୟାମେରା ଟ୍ରାପ ସହ ସ୍ୱତନ୍ତ୍ର ଟ୍ରାକିଂ ୟୁନିଟ୍ ନିୟୋଜିତ ହୋଇଛନ୍ତି। କେବଳ ଆନ୍ଧ୍ର ନୁହେଁ, ଛତିଶଗଡ଼ ଜଙ୍ଗଲରୁ ମଧ୍ୟ ଓଡ଼ିଶାକୁ ପୂର୍ବରୁ ବାଘ ଆସିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଆମେ ପଦକ୍ଷେପ ନେଉଛୁ। ସ୍ଥାନୀୟ ଲୋକଙ୍କ ମନୋବଳ ବୃଦ୍ଧି କରାଯାଉଛି। ଗାଈଗୋରୁଙ୍କୁ ମାରୁଥିବା ଦୃଷ୍ଟିକୁ ଆସିବା କ୍ଷଣି ହିତାଧିକାରୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଉଛି। ଏହି ମହାବଳ ଉପରେ ନଜର ରଖିବାକୁ ୧୦ରୁ ୧୫ଟି କ୍ୟାମେରା ଲଗାଯାଇଛି।
ଗୋଟିଏ ପଟେ ସାରା ରାଜ୍ୟରେ ବାଘ ଗଣନା ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ଆନ୍ଧ୍ର ପ୍ରବେଶ ବାଘ ଓଡ଼ିଶାରେ ପ୍ରବେଶ କରିବା ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବାଘ ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ମହାବଳଙ୍କ ସଂଖ୍ୟା ୨୮ରୁ ୨୦କୁ ଖସି ଆସିଥିବା ଦର୍ଶାଯାଇଥିଲା। ତାହାକୁ ରାଜ୍ୟ ସରକାର ଗ୍ରହଣ ନ କରିବା ସହ ବନ ବିଭାଗ ପକ୍ଷରୁ ପୁଣିଥରେ ଗଣନା କରାଯାଉଛି। ରାଜ୍ୟରେ ୨୦ ନୁହେଁ, ବରଂ ଅଧିକ ମହାବଳ ରହିଥିବା ବିଭାଗ ଦର୍ଶାଇବା ସହ ବିଭିନ୍ନ ବନଖଣ୍ଡରେ ଗଣନା କରୁଛି। ନୂଆ ନୂଆ ସ୍ଥାନରେ ମହାବଳ ଚିହ୍ନଟ ହେଉଥିବାରୁ ମହାବଳଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ ରାୟଗଡ଼ ବ୍ଲକ୍ର ଗଣ୍ଡାହାତୀ ନିକଟ ସନ୍ତୋଷପୁର ଗ୍ରାମରେ ଦୁଇଦିନ ଧରି ଘୂରି ବୁଲିବା ସହ ଗାଈକୁ ମାରି ଖାଇଥିବା ମହାବଳ ଏବେ ଖାଦ୍ୟ ଅନ୍ବେଷଣରେ ସ୍ଥାନୀୟ ଅଞ୍ଚଳରେ ଏଣେତେଣେ ବୁଲୁଛି। ସନ୍ଧ୍ୟା ନଇଁବା ମାତ୍ରେ ଲୋକଙ୍କୁ ଗୃହପାଳିତ ପଶୁର ସୁରକ୍ଷା ଚିନ୍ତା ଘାରିଛି। ଗାଁରେ ତାଟିକବାଟ ପଡ଼ିଯାଉଛି। ଭୟରେ ରାତିରେ କେହି ବାହାରକୁ ବାହାରି ପାରୁନଥିବା ସ୍ଥାନୀୟ ଲୋକେ କହିଛନ୍ତି। ମାସେ ତଳେ ଗୋଷାଣୀ ବ୍ଲକ୍ ଦୁର୍ଗାମପେଟା ଜଙ୍ଗଲ ଅପରପାର୍ଶ୍ବରେ ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ବିଭିନ୍ନ ଗ୍ରାମରେ ବାଘ ଆତଙ୍କ ଦେଖାଦେଇଥିଲା। ତେଣୁ ସୀମାନ୍ତ ପାହାଡ଼ରୁ ମହାବଳଟି ଗଜପତିକୁ ପଳାଇ ଆସିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/gdaggadg.jpg)