ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ତେନ୍ତୁଳି ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବା ଯୋଗୁ ବେପାରୀମାନଙ୍କ ଜରିଆରେ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ତେନ୍ତୁଳିକୁ ନେଇ ଆନ୍ଧ୍ରପ୍ରଦେଶରେ ପ୍ରକ୍ରିୟାକରଣ କରି ବ୍ୟବସାୟୀମାନେ ମୋଟା ରକମର ମୁନାଫା କମାଉଥିବା ବେଳେ ତେନ୍ତୁଳି ସଂଗ୍ରହକାରୀ ଜଳକା ହୋଇ ରହିଛନ୍ତି। ବିଶେଷ କରି ଶୀତଳ ଭଣ୍ଡାର ସୁବିଧା ନଥିବା ଯୋଗୁଁ ତେନ୍ତୁଳି ବାହାର ରାଜ୍ୟକୁ ଚାଲିଯାଉଛି।

Advertisment

କଳାହାଣ୍ଡି ଜିଲ୍ଲାରେ ଟିଡିସିସି ମାଧ୍ୟମରେ ୨୦୨୦–୨୧ ମସିହାରେ ୨୨୨୨.୮୮ କ୍ବିଣ୍ଟାଲ ତେନ୍ତୁଳି ସଂଗ୍ରହ କରାଯାଇ ୮୦ ଲକ୍ଷ ୨ ହଜାର ୩୬୮ ଟଙ୍କାରେ ଟେଣ୍ଡର ଜରିଆରେ ବିକ୍ରି କରାଯାଇଥିଲା। ସେହିଭଳି ୨୦୨୧–୨୨ ମସିହାରେ ୧୮୭୭. ୭୩ କ୍ବିଣ୍ଟାଲ ତେନ୍ତୁଳି ସଂଗ୍ରହ କରାଯାଇ ୬୭ଲକ୍ଷ ୫୯ ହଜାର ୮୨୮ ଟଙ୍କାରେ ବିକ୍ରି କରାଯାଇଥିଲା। ୨୦୨୨–୨୩ ମସିହାରେ ୬୯୯୮.୮୦ କ୍ବିଣ୍ଟାଲ ତେନ୍ତୁଳି ସଂଗ୍ରହ କରାଯାଇ ୨କୋଟି ୫୧ ଲକ୍ଷ ୯୫ ହଜାର ୬୮୦ ଟଙ୍କାରେ ବିକ୍ରି କରାଯାଇଛି। ୨୦୨୩–୨୪ ମସିହାରେ ୬୮୭୦.୮୪ କ୍ବିଣ୍ଟାଲ ତେନ୍ତୁଳି ସଂଗ୍ରହ କରାଯାଇ ୨କୋଟି ୪୭ ଲକ୍ଷ ୩୫ ହଜାର ୨୪ ଟଙ୍କା ଟେଣ୍ଡର ମାଧ୍ୟମରେ ବିକ୍ରି କରାଯାଇଛି। ଅନ୍ୟପକ୍ଷରେ ବେସରକାରୀ ଭାବେ ଘରୋଇ ବ୍ୟବସାୟୀମାନେ ହଜାର ହଜାର କ୍ବିଣ୍ଟାଲ ତେନ୍ତୁଳି ସଂଗ୍ରହ କରି ଆନ୍ଧ୍ରପ୍ରଦେଶକୁ ଚାଲାଣ କରିଥାନ୍ତି।

ବର୍ତ୍ତମାନ ତେନ୍ତୁଳିର ସହାୟକ ମୂଲ୍ୟ କେଜି ପିଛା ୩୬ ଟଙ୍କା ରହିଛି। କିନ୍ତୁ ଦଲାଲମାନେ କମ୍‌ ମୂଲ୍ୟରେ କିଣି ରାଜ୍ୟ ବାହାରକୁ ପଠାଉଛନ୍ତି। କଳାହାଣ୍ଡି ଜିଲ୍ଲାରେ ଶୀତଳଭଣ୍ଡାର ନଥିବା ଯୋଗୁଁ ସଂଗ୍ରହକାରୀମାନଙ୍କ ପାଇଁ ଅଡ଼ୁଆ ହୋଇଛି। ଜିଲ୍ଲାରେ ପ୍ରକ୍ରିୟାକରଣ ପାଇଁ କୌଣସି ଭିତ୍ତିଭୂମି ନଥିବା ଯୋଗୁଁ କଳାହାଣ୍ଡିର କଞ୍ଚାମାଳ ରାଜ୍ୟ ବାହାରକୁ ଚାଲି ଯାଉଛି। ଦକ୍ଷିଣ ଭାରତରେ ତେନ୍ତୁଳିର ଚାହିଦା ଅଧିକ ଥିବା ଯୋଗୁଁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ କଳାହାଣ୍ଡିର ତେନ୍ତୁଳି ଉପରେ ନଜର ରହିଛି। ରାଜ୍ୟ ସରକାର ଏନେଇ ପଦକ୍ଷେପ ନେଲେ କଳାହାଣ୍ଡି ଜିଲ୍ଲାରେ ଉତ୍ପାଦନ ହେଉଥିବା ତେନ୍ତୁଳିର ବ୍ୟବସାୟୀକରଣ ହୋଇପାରନ୍ତା। ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି।