ଚେଇଁ ଶୋଇଛି ଓଡ଼ିଶା, ମାଡ଼ି ଆସୁଛି ପଡ଼ିଶା

ସୀମା ଆରପଟେ ଆନ୍ଧ୍ର ସ୍କୁଲ୍‌‌ରେ ପଢ଼ୁଛନ୍ତି ଓଡ଼ିଶା ପିଲା
ମାସରେ ୨ ଥର ସ୍ବାସ୍ଥ୍ୟ ସେବା, ଘରେ ପହଞ୍ଚୁଛି ରାସନ୍ ସାମଗ୍ରୀ

ପାତ୍ରପୁର : ଘର ଓଡ଼ିଶାରେ। ହେଲେ ଭରସା ସାଜିଛି ପଡେ଼ାଶୀ ଆନ୍ଧ୍ରପ୍ରଦେଶ। ସ୍ବାସ୍ଥ୍ୟସେବାଠୁ ଆରମ୍ଭ କରି ଆନୁଷଙ୍ଗିକ କାମ ପାଇଁ ସେମାନେ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ। ଆଉ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ବି ସବୁ ଅନୁକମ୍ପା ଓ ସହାନୁଭୂତି ଅଜାଡ଼ି ଦେଇଛି। ହାତରେ ଭତ୍ତାଠୁ ଆରମ୍ଭ କରି ପାଟିରେ ଭାତ ସବୁ ଯୋଗାଉଛି। ଖାଲି ଏତିକି ନୁହେଁ, ମାସକୁ ୨ ଥର ସ୍ବାସ୍ଥ୍ୟସେବା ବି ମିଳୁଛି। ଅର୍ଦ୍ଧାଧିକଙ୍କୁ ଭୋଟର ପରିଚୟପତ୍ର ଦେଇଛି। ଆଉ ଧୀରେ ଧୀରେ ସୀମାନ୍ତ ଇଲାକାକୁ ନିଜର କରିବାକୁ ବସିଛି। ଏମିତି ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ହେଉଛି, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତ ଅଧୀନ କୁଲାଡ଼ି। ଯେଉଁଠି ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଆଜି ବି ଅପହଞ୍ଚ ପାଲଟିଛି। ଗ୍ରାମବାସୀଙ୍କୁ କୌଣସି ପ୍ରକାର ମୌଳିକ ସୁବିଧା ମିଳୁ ନଥିବା ବେଳ ସୀମାନ୍ତ ଆନ୍ଧ୍ର ପ୍ରଶାସନ ସବୁ ପ୍ରକାର ସାହାଯ୍ୟ ଓ ସହାୟତା ପାଇଁ ହାତ ବଢ଼ାଇବାରେ ଲାଗିଛି। ଯାହାର ଉଦ୍ଦେଶ୍ୟ ଏଥିରୁ ସ୍ପଷ୍ଟ ଅନୁମେୟ।

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଅବସ୍ଥିତ କୁଲାଡ଼ି ଗ୍ରାମରେ ୩୫ ପରିବାର ରହୁଥିବା ବେଳେ ଜନବସତି କହିଲେ ୧୦୦ରୁ ଊର୍ଦ୍ଧ୍ବ। ଭୋଟର ସଂଖ୍ୟା ହେଉଛନ୍ତି ୬୦। କିନ୍ତୁ ଦୁର୍ଗମ ଇଲାକା ହୋଇଥିବାରୁ ଏହି ଗାଁକୁ କେବେବି ଓଡ଼ିଶା ସରକାରଙ୍କ ପ୍ରାଶାସନିକ ଅଧିକାରୀଙ୍କ ପାଦ ପଡ଼ିନି। ଗମନାଗମନର ସୁବିଧା ନାହିଁ। ଫଳରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପ୍ରଶାସନ ଗାଁକୁ ଏକ ପକ୍କା ରାସ୍ତା ତିଆରି କରିଛି। ସୀମା ସେପଟେ ଥିବା ଆନ୍ଧ୍ର ସ୍କୁଲରେ ଏହି ଗାଁର ପିଲାମାନେ ପାଠ ପଢ଼ୁଛନ୍ତି। ସେହିଭଳି ସର୍ଭେ କରି ମାଗଣା ବିଦ୍ୟୁତ୍ ସେବା ଯୋଗାଇବା ସହ ଓଡ଼ିଶା ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଭତ୍ତାର ୪ ଗୁଣ ବିଭିନ୍ନ ହିତାଧିକାରୀଙ୍କୁ ଦେଉଛି। ମାସକୁ ଧୁଇ ଥର ଆନ୍ଧ୍ରର ଡାକ୍ତରୀ ଟିମ୍ ଆସି ଗ୍ରାମବାସୀଙ୍କ ସ୍ବାସ୍ଥ୍ୟସେବା କରୁଛନ୍ତି। ଆଉ ଘରକୁ ଘର ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଫଳରେ ସେମାନଙ୍କ ଅର୍ଦ୍ଧାଧିକ ସମସ୍ୟାର ସମାଧାନ ‌ହୋଇଥିବା ଗ୍ରାମବାସୀ କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗ୍ରାମବାସୀଙ୍କ ପାଖରେ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରଦତ୍ତ ଭୋଟର ପରିଚୟପତ୍ର ଅଛି। ହେଲେ ଏନେଇ ବାରମ୍ବାର ଅନେକ ଘଟଣା ସାମ୍ନାକୁ ଆସିଥିଲେ ଓଡ଼ିଶା ସରକାର ଚେଉଁ ନଥିବାରୁ କୁଲାଡ଼ିକୁ ଆନ୍ଧ୍ରପ୍ରଦେଶ କାଳେ ନେଇ ଯିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗ୍ରାମର ନମିନା ଶବର ଓ ଚିନ୍ତାମଣି ଶବର କହିଛନ୍ତି, ଓଡ଼ିଶା ସରକାର ଗାଁକୁ ରାସ୍ତା ତିଆରି କରିନାହାନ୍ତି। ବିଦ୍ୟୁତ୍ ଖୁଣ୍ଟ ପୋତାଯାଇଥିଲେ ବି ଏଥିରେ ବିଦ୍ୟୁତ୍ ସଂଯୋଗ ହୋଇନି। ଫଳରେ ଆନ୍ଧ୍ର ପ୍ରଶାସନ ଗାଁକୁ ବିଦ୍ୟୁତ ସେବା ଯୋଗାଇଛି। ରାସନ୍ ସାମଗ୍ରୀ ପାଇଁ ସୁଦୂର ତୁମ୍ବାକୁ ଯିବାକୁ ପଡ଼ୁଥିଲା। କିନ୍ତୁ ଆନ୍ଧ୍ରରୁ ଆମ ପାଇଁ ରାସନ୍ ସାମଗ୍ରୀ ଆସୁଥିବା ବେଳ‌େ ଓଡ଼ିଶା ତୁଳନାରେ ୪ ଗୁଣ ଅଧିକ ଭତ୍ତା ତଥା ମାସକୁ ୨ହଜାର ୨୫୦ ଟଙ୍କା ମିଳୁଛି। ହେଲେ ଓଡ଼ିଶା ସରକାର ଦେଉଥିବା ୫୦୦ ଟଙ୍କା ଭତ୍ତା ନିୟମିତ ଭାବେ ମିଳୁନି। ଫଳରେ ଆମେ କେଉଁ ଆଧାରରେ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ଭରସା କରିବୁ ବୋଲି କହିଛନ୍ତି। ଅନ୍ୟପକ୍ଷରେ କୁଲାଡ଼ି ଗ୍ରାମରେ ପ୍ରାଥମିକ ଶିକ୍ଷା ଓ ପୁଷ୍ଟିକର ଯୋଜନା ଅପହଞ୍ଚ। ପ୍ରଥମରୁ ଦଶମ ‌ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ପିଲା ମାନେ ଗାଁଠାରୁ ୩ କିଲୋମିଟର ଆନ୍ଧ୍ର ଅଧୀନରେ ଆସୁଥିବା ସାନକୁଷ୍ଟାକୁ ଯାଉଛନ୍ତି।

ସେହିପରି ଆନ୍ଧ୍ର ସରକାର ସର୍ଭେ କରିବା ସହ ମାପଚୁପ କରି ଜମି ପଟ୍ଟା ଦେଇଛନ୍ତି। ‘ଆମକୁ ଆନ୍ଧ୍ର ସବୁ ସୁବିଧା ଦେଉଛି। ଦରକାର ହେଲେ ଆନ୍ଧ୍ରରେ ମିଶିବୁ’ ବୋଲି ମାର୍କଣ୍ତ ଶବର କହିଛନ୍ତି। ତୁମ୍ବା ପଞ୍ଚାୟତ ପୂର୍ବତନ ସରପଞ୍ଚ ଧନୁ ଶବର କହିଛନ୍ତି, ‘ଯଦି ଓଡ଼ିଶା ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଯଦି କେବଳ ନିରବଦ୍ରଷ୍ଟା ସାଜିବେ, ତାହେଲେ କୁଲାଡ଼ି ଗାଁ ଆନ୍ଧ୍ରରେ କେତେବେଳେ ମିଶିଯାଇଥିବ ତାହା ବି ନଜରକୁ ଆସିବନି। ବେଳଥାଉଣୁ ସରକାର ବନ୍ଧ ବାନ୍ଧନ୍ତୁ’ ବୋଲି ସେ କହିଛନ୍ତି। ‌ତେବେ ସେ ଯାହା ହେଉନା କାହିଁକି, ସରକାରଙ୍କ ଆଦିବାସୀ ବିକାଶମୂଳକ ଯୋଜନା କିଭଳି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର