କୋଟିଆରେ ପଶିଲେ, ପୋଷ୍ଟର ମାରିଲେ

ନବୀନଙ୍କ ସହ ଆଲୋଚନା ପୂର୍ବରୁ ଆନ୍ଧ୍ରର ଦାଦାଗିରି

କୋରାପୁଟ : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୯ ତାରିଖରେ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି। ଦ୍ବିପାକ୍ଷିକ ଆଲୋଚନାରେ ସୀମା ବିବାଦ ପ୍ରସଙ୍ଗ ଉଠିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହା ପୂର୍ବରୁ ହିଁ କୋଟିଆ ଗ୍ରାମପୁଞ୍ଜରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି ଆନ୍ଧ୍ର ପ୍ରଶାସନ। ସୀମାନ୍ତ ଗ୍ରାମବାସୀଙ୍କୁ ପ୍ରଲୋଭିତ ପାଇଁ ପ୍ରୟାସ କରି ମାରିଛି ନିଜ ମୁଖ୍ୟମନ୍ତ୍ରୀଙ୍କ ବିରାଟ ବିରାଟ ପୋଷ୍ଟର। ଏପରିକି ଫତୁଆ ଜାରି କରି ଓଡ଼ିଶାକୁ ସହଯୋଗ କଲେ ଫଳ ଭୋଗିବ ବୋଲି ଏଜେଣ୍ଟଙ୍କ ଜରିଆରେ ଚେତାବନୀ ଦିଆଯାଇଛି।

ପାର୍ବତୀପୁରମ ପିଓ ଆଇଟିଡିଏ ଆର. କୁର୍ମାନାଥ କିଛି ଅଧିକାରୀଙ୍କୁ ନେଇ ଆଜି କୋଟିଆ ଗ୍ରାମପୁଞ୍ଜରେ ପହଞ୍ଚିଥିଲେ। ଫଗୁଣସିନେରୀ, ଫାଟୁସିନେରୀ, ମାଡ଼କାର ଓ କୋନାଦରା ଆଦି ଗାଁକୁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଫଗୁଣସିନେରୀରେ ବିରାଟ ସରକାରୀ ପୋଷ୍ଟର ବି ମାରିଥିଲେ। ସେଥିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଥିବା ପୋଷ୍ଟରରେ ସରକାରଙ୍କ ସମସ୍ତ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ଦିଆଯାଇଛି।

ଅପରପକ୍ଷରେ ନାରେଡିବାଲସା ଏବଂ ଫାଟୁସିନେରିରେ ସୀମାକୁ ଜଗି ରହିଥିବା ଓଡ଼ିଶା ପୁଲିସର ନାକା ସେଠାରୁ ହଟି ଯାଇଛି। ସୀମା ପୂରା ମୁକୁଳା ପଡ଼ିଥିବା ବେଳେ ଏହାର ସୁଯୋଗ ନେଇ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ପଶିଥିବା ଜଣାପଡ଼ିଛି।

ସେହିପରି ଦୁଇ ଦିନ ହେଲା କୋଟିଆ ଗ୍ରାମପୁଞ୍ଜରେ ସକ୍ରିୟ ହୋଇଛନ୍ତି ଆନ୍ଧ୍ରର ଏଜେଣ୍ଟ। ଏହି ଏଜେଣ୍ଟମାନେ ଗାଁ ଗାଁ ବୁଲି ଲୋକଙ୍କୁ ଏକାଠି କରୁଛନ୍ତି। ଫଗୁଣସିନେରୀ ଏବଂ ଫାଟୁସିନେରୀ ଗ୍ରାମବାସୀଙ୍କୁ କଡ଼ା ଚେତାବନୀ ବି ଦେଇଥିବା ସୂଚନା ମିଳିଛି। ଯଦି କୌଣସି ଗାଁର ଲୋକ ଓଡ଼ିଶାକୁ ସହଯୋଗ କରିବେ ତେବେ ଗାଁରୁ ବାସନ୍ଦ କରାଯିବ। ଗାଁକୁ ରାସ୍ତା, ପାଣି ଯୋଗାଣ ସହ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ କରାଯିବ। ଆନ୍ଧ୍ରର କିଛି ସରକାରୀ କର୍ମଚାରୀ ଓ ସାଲୁର ବିଧାୟକ ଇସାରାରେ ଏଭଳି କାର୍ଯ୍ୟରେ ଏଜେଣ୍ଟମାନେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ଅନୁପ୍ରବେଶ ବଢ଼ିଥିବା ବେଳେ କୋଟିଆ ଗ୍ରାମପୁଞ୍ଜର ୨୨ ଗାଁ ମଧ୍ୟରୁ ଅଧାରୁ ଅଧିକ ଗାଁର ଲୋକଙ୍କୁ ପ୍ରଭାବିତ କରି ଆନ୍ଧ୍ର ସପକ୍ଷରେ ମତ ଦେବାକୁ ପ୍ରସ୍ତୁତି ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ତେଣୁ ନିୟମିତ ଭାବେ ଗାଁ ଗାଁରେ ବୈଠକ ହୋଇ ଲୋକଙ୍କୁ ପ୍ରଲୋଭିତ କରାଯାଉଛି। ଯଦି ଲୋକେ ପ୍ରଭାବିତ ହେଉ ନାହାନ୍ତି ତେବେ ଚେତାବନୀ ଦିଆଯାଉଛି। ଏହାସହ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଭୌଗଳିକ ସର୍ଭେ କରିବାକୁ ଗୋଟିଏ ଟିମ୍‌ ଗତକାଲି ଆସି ଫେରିଥିବା ଜଣାପଡିଛି। ଆଜି କୋଟିଆର କିଛି ଗାଁରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଆଧାରକାର୍ଡ ମଧ୍ୟ ବଣ୍ଟନ ହୋଇଥିବା ଜଣାପଡିଛି।

ସ୍ଥିତି ଜଟିଳ ହୋଇଥିବାରୁ ଓଡ଼ିଶା ପକ୍ଷରୁ ପ୍ରତିହତ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଲାଣି। ଆଜି ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ସାଥୀ କୋଟିଆ ଗସ୍ତରେ ଯାଇଥିଲେ। ସେଠାରେ ଆନ୍ଧ୍ରର କିଛି ଏଜେଣ୍ଟ ଓଡ଼ିଶା ବିରୋଧରେ ଚକ୍ରାନ୍ତ କରୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନଙ୍କୁ ପଚରାଉଚୁରା ମଧ୍ୟ କରିଥିଲେ। ଏବେ ଦେଖିବାକୁ ବାକି ରହିଲା କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କେଉଁ ଭଳି ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର