ଜୟପୁର: ସୀଓଡ଼ିଶା ମାନ୍ତ ଆନ୍ଧ୍ରର ଆରକୁରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ କୋରାପୁଟ-କୋତାୱାଲସା ରେଳ ଲାଇନ୍‌ ଧୋଇଯାଇଛି। ଚମିଟିପାଲୀ ନିକଟରେ ରେଳଧାରଣା ଉପରେ ପାଣି ପ୍ରବାହିତ ହେବାରୁ ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଛି। ଫଳରେ କୋରାପୁଟ-କୋତାୱାଲସା ରୁଟରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଓ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି। ମାଲବାହୀ ଟ୍ରେନ୍‌ଗୁଡ଼ିକ ମଧ୍ୟ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ରେଳ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାହାଡ଼ରୁ ପାଣି ମାଡ଼ି ଆସିଥିବାରୁ ରେଳ ଲାଇନର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନି।

Advertisment

ବର୍ଷା କମିବା ପରେ ରେଳ ଲାଇନ ମରାମତି କରାଯାଇ ରେଳ ଚଳାଚଳକୁ ସ୍ବାଭାବିକ କରାଯିବ। ସେହିପରି ଆରକୁ ଘାଟି ରାସ୍ତା ଜଳମଗ୍ନ ହୋଇଛି। ପାହାଡ଼ରୁ ପାଣି ମାଡ଼ି ଆସିବା ଫଳରେ ରାଜ୍ୟ ରାଜପଥର ଆରକୁ ଘାଟି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଲମତାପୁଟ-ଆରକୁ-ବିଶାଖାପାଟଣା ରୁଟକୁ ବନ୍ଦ କରି ଦିଆଯାଇଛି। ଏହି ରୁଟରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଯାତାୟାତ କରୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସୋମବାର ସନ୍ଧ୍ୟାରୁ ଆନ୍ଧ୍ରରେ ବର୍ଷା ଲାଗି ରହିଥିବାରୁ ଆରକୁ ଘାଟି ଉପରୁ ପାଣି ମାଡ଼ି ଆସି ରାଜପଥ ଉପର ଦେଇ ପ୍ରବାହିତ ହେଉଛି।