ଆନ୍ଧ୍ର-ଓଡ଼ିଶା ବୈଠକରେ ମୁହାଁମୁହିଁ

ଆନ୍ଧ୍ରର ଧମକ: ତମ ହାତୀ ତମେ ନିଅ, ଓଡ଼ିଶାର ଜବାବ ‘ହାତୀ ଜାତୀୟ ସମ୍ପତ୍ତି, ଯୁଆଡ଼େ ଇଚ୍ଛା ଯିବେ’

ବ୍ରହ୍ମପୁର : ଓଡ଼ିଶା ହାତୀ ସୀମା ଡେଇଁ ଆନ୍ଧ୍ରରେ ଉତ୍ପାତ ଚଳାଇଛନ୍ତି। ଏ ପ୍ରସଙ୍ଗରେ ଆଜି ଆନ୍ଧ୍ରର ବିଜୟନଗରମ୍‌ ଠାରେ ଅନ୍ତଃରାଜ୍ୟ ସମନ୍ବୟ ବୈଠକରେ ଆନ୍ଧ୍ର ଏବ˚ ଓଡ଼ିଶା ବନ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ହାତୀଙ୍କୁ ଓଡ଼ିଶାକୁ ଘଉଡ଼ାଇ ନେବାକୁ ଆନ୍ଧ୍ର ଅଧିକାରୀ ଦାବି କରିଥିଲେ। କୌଣସି ପରିସ୍ଥିତିରେ ହାତୀଙ୍କୁ ଘଉଡ଼ାଇ ଓଡ଼ିଶା ନେବା ସମ୍ଭବ ନୁ‌ହେଁ ବୋଲି ଓଡ଼ିଶା ଅଧିକାରୀ ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ମତ ଅନୁସାରେ ହାତୀ ଜାତୀୟ ସମ୍ପତ୍ତି, ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ବ। ହାତୀ ଛୋଟ ଜନ୍ତୁ ନୁହେଁ, ସେ ଯୁଆଡ଼େ ଇଚ୍ଛା ସିଆଡ଼େ ଯିବ। ସେମାନଙ୍କୁ ସୁରକ୍ଷିତ କରିଡର୍ ବ୍ୟବସ୍ଥା ଆମ ସମସ୍ତଙ୍କ ଦାୟିତ୍ବ ବୋଲି ଓଡ଼ିଶା ଅଧିକାରୀ ଚେତାଇ ଦେଇଥିଲେ। ଏଣିକି ଆନ୍ଧ୍ର-ଓଡିଶା ସୀମାରେ ହାତୀଙ୍କ ଗତିବିଧି ନେଇ ପ୍ରତି ୩ ମାସରେ ସମନ୍ବୟ ବୈଠକ ବସିବ ବୋଲି ସ୍ଥିର ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳର ୭ଟିକିଆ ହାତୀପଲ ଗତ ବର୍ଷ ଜୁଲାଇରେ ଗଜପତି ଜିଲ୍ଲା ଦେବଗିରି ଅଞ୍ଚଳକୁ ଚାଲି ଯାଇଥିଲେ। ସେଠାରେ ରହଣି କାଳରେ ଗୋଟିଏ ହାତୀ ଛୁଆ ଜନ୍ମ ଦେଇଥିଲା। ସ˚ଖ୍ୟା ୮ରେ ପହଞ୍ଚିଲା। ଗତ ସେପ୍ଟେମ୍ବରରେ ଏହି ହାତୀପଲ ମହେନ୍ଦ୍ରତନୟା ନଦୀ ପାର ହୋଇ ଆନ୍ଧ୍ର ଅଞ୍ଚଳକୁ ପଳାଇ ଯାଇଛନ୍ତି। ସେଠାରେ ସେମାନେ ଧାନ, ଆଖୁ ଆଦି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏହାକୁ ନେଇ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା ବନ ବିଭାଗର ନିଦ ହଜିଯାଇଛି। ଏ ପ୍ରସଙ୍ଗରେ ଆନ୍ଧ୍ର ସରକାର ଏକ ଅନ୍ତଃରାଜ୍ୟ ବୈଠକ ଡାକିଥିଲେ। ବିଜୟନଗରମର ଆୟାପା ମନ୍ଦିର ନିକଟ ପୁଲବାଗ ଫରେଷ୍ଟ କଂପ୍ଲେକ୍ସରେ ଆଜି ବୈଠକ ବସିଥିଲା। ବୈଠକରେ ଓଡ଼ିଶାରୁ ବ୍ରହ୍ମପୁର ଆଞ୍ଚଳିକ ବନ ସ˚ରକ୍ଷକ(ଆରସିସିଏଫ୍‌), ବ୍ରହ୍ମପୁର, ଗଜପତି, କୋରାପୁଟ ଓ ରାୟଗଡ଼ା ଡିଏଫଓ ଯୋଗ ଦେଇଥିଲେ। ଆନ୍ଧ୍ର ବନବିଭାଗ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଓଡ଼ିଶାରେ ୨ ହଜାରରୁ ଅଧିକ ହାତୀ ଅଛନ୍ତି। ତେଣୁ ଉକ୍ତ ୮ଟି ହାତୀଙ୍କୁ ଆନ୍ଧ୍ରରୁ ଓଡ଼ିଶାକୁ ଘଉଡ଼ାଇ ଆଣିଲେ ବି କିଛି ଫରକ ନାହିଁ। କିନ୍ତୁ ହାତୀ ହେଉଛି ଜାତୀୟ ସମ୍ପତ୍ତି।

ସୁପ୍ରିମକୋର୍ଟଙ୍କ ନିୟମାବଳୀ ଅନୁଯାୟୀ ଧନଜବୀନ କ୍ଷତି ନ କଲେ କୌଣସି ପରିସ୍ଥିତିରେ ହାତୀଙ୍କୁ ଅସ୍ତ୍ରଶସ୍ତ୍ର, ନିଆଁହୁଳା, ବାଣ ଆଦିର ଭୟ ଦେଖାଇ ଘଉଡ଼ା ଯାଇପାରିବ ନାହିଁ। ତେଣୁ ହାତୀଙ୍କୁ ଘଉଡ଼ାଇ ନେବା ଅସମ୍ଭବ ବୋଲି ଆମ ରାଜ୍ୟ ଅଧିକାରୀ ବୈଠକରେ ସ୍ପଷ୍ଟ କରିଥିଲେ। ହାତୀପଲ ଧାନ, କପା, ଗହମ ଓ ଆଖୁ ଆଦି ବ୍ୟାପକ ଫସଲ କ୍ଷତି କରୁଥିବାରୁ ପ୍ରତ୍ୟହ ସମସ୍ୟା ଉପୁଜିଥିବା ଆନ୍ଧ୍ର ଅଧିକାରୀମାନେ ପ୍ରକାଶ କରିଥିଲେ। ଆନ୍ଧ୍ର ଏବ˚ ଓଡ଼ିଶା ସୀମାରେ ହାତୀଙ୍କ ଗିତିବିଧି ନେଇ ଏଣିକି ପ୍ରତି ୩ ମାସରେ ସମନ୍ବୟ ବୈଠକ ହେବ। ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ତଥ୍ୟ ଓ ସୂଚନା ବିନିମୟ ହେବ। ଓଡ଼ିଶାରେ ହାତୀ ଆକ୍ରମଣରେ କୌଣସି ଲୋକଙ୍କ ମୃତ୍ୟୁ ଘଟିଲେ ୪ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା ରହିଛି। କିନ୍ତୁ ଆନ୍ଧ୍ରରେ ୫ ଲକ୍ଷ ଟଙ୍କା ବ୍ୟବସ୍ଥା ରହିଛି। ଓଡ଼ିଶାରେ ଫସଲ କ୍ଷତି ହେଲେ ଏକର ପିଛା ୧୦ ରୁ ୧୨ହଜାର ମିଳୁଥିବା ବେଳେ ଆନ୍ଧ୍ରରେ ୬ହଜାର ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ଅଛି। ଉଭୟ ରାଜ୍ୟର ଫସଲ କ୍ଷତିପୂରଣ ନିୟମାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର