କୋରାପୁଟ : ଓଡ଼ିଶାରେ ସଂଗଠନକୁ ବିସ୍ତାର କରିବାକୁ ଆନ୍ଧ୍ରର ଶାସକ ଦଳ ୱାଇଏସ୍ଆର କଂଗ୍ରେସ ପାଇଁ ପଥ ପରିଷ୍କାର ହୋଇଛି। ରବିବାର ଘୋଷଣା ହୋଇଥିବା ମଣ୍ଡଳ ପରିଷଦ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀ (ଏମ୍ପିଟିସି) ଏବଂ ଜିଲ୍ଲା ପରିଷଦ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀ (ଜେଡ୍ପିଟିସି) ନିର୍ବାଚନର ଫଳାଫଳରୁ ଏହି ସଂକେତ ମିଳିଛି। ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜରୁ ନିର୍ବାଚିତ ୫ ଏମ୍ପିଟିସି ସଦସ୍ୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ଭାଷୀ ହୋଇଥିବା ବେଳେ ସମସ୍ତେ ୱାଇଏସ୍ଆର କଂଗ୍ରେସ ପ୍ରାର୍ଥୀ ବୋଲି ଜଣାପଡ଼ିଛି। ଭୋଟ ହାର ଶାସକ ଦଳକୁ ଉତ୍ସାହିତ କରିଥିବା ବେଳେ ନବନିର୍ବାଚିତ ଲୋକପ୍ରତିନିଧିଙ୍କ ଦ୍ବାରା ହିଁ ଆଗକୁ ସଂଗଠନକୁ ସଂପ୍ରସାରଣ କରିବାକୁ ପୂରା ଜୋର ଲଗାଇବ ବୋଲି ସୂଚନା ମିଳିଛି। ଯାହାକି ଓଡ଼ିଶା ପାଇଁ ଆଗକୁ ବଡ଼ ଆହ୍ବାନ ହେବ।
ବହୁ ବିବାଦ, ବିରୋଧ ଓ ପ୍ରତିବାଦ ସତ୍ତ୍ବେ ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜରେ ଏମ୍ପିଟିସି ଏବଂ ଜେଡ୍ପିଟିସି ନିର୍ବାଚନ କରାଇଥିଲା ଆନ୍ଧ୍ର। ତେବେ ଶାସକ ଦଳର ପ୍ରାର୍ଥୀ ଜେଡ୍ପିଟିସି ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାରୁ ଏମ୍ପିଟିସି ନିର୍ବାଚନକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଗତ ଏପ୍ରିଲ୍ ମାସ ୮ତାରିଖ ଦିନ ମତଦାନ ପୂର୍ବରୁ କୋରାପୁଟ ପ୍ରଶାସନ ଏବଂ ବିଭିନ୍ନ ରାଜନୈତିକ ଦଳରେ ନେତା କୋଟିଆରେ ଡେରା ପକାଇଥିଲେ। ଲୋକଙ୍କୁ ବୁଝାସୁଝା କରି ମତଦାନ ପ୍ରକ୍ରିୟାରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ। ତେଣୁ ଓଡ଼ିଶାର ମତଦାତାଙ୍କ ହାର କମିଥିଲେ ବି ଆନ୍ଧ୍ରର ମତଦାତା ବହୁ ସଂଖ୍ୟାରେ ଭୋଟ ଦେଇଥିଲେ। ତେବେ ଆନ୍ଧ୍ର ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁଁ ମତଗଣନା ହୋଇପାରି ନଥିଲା। ଗତ ଗୁରୁବାର ଦିନ ହାଇକୋର୍ଟ ଭୋଟ ଗଣତି ପାଇଁ ଅନୁମତି ଦେବାରୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ପୂରା ପ୍ରକ୍ରିୟା ସଂପନ୍ନ ହୋଇଛି। ଏଥିପାଇଁ ଆଜି ଦିନ ତମାମ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଚଳଚଞ୍ଚଳ ରହିଥିଲା ଏବଂ କୋରାପୁଟ ପ୍ରଶାସନର ବି ଏହାରି ଉପରେ ନଜର ରହିଥିଲା।
କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ରର ସାଲୁର ନିର୍ବାଚନ ମଣ୍ଡଳୀ ପରିସରଭୁକ୍ତ କରିଥିବାରୁ ଆନ୍ଧ୍ର ନିର୍ବାଚନ କମିସନ ମତଗଣନା ସାଲୁର ସ୍ଥିତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ କରାଇଥିଲେ। ଏଠାରେ କୋଡ଼ମା, ଗଞ୍ଜେଇବାଦ୍ରା, ସାରିକା, ଥୋନମ୍ ଓ କୁରକୁଟି ଆଦି ଏମ୍ପିଟିସି ନିମନ୍ତେ ଭୋଟ ଗଣତି ହୋଇଥିଲା। ସମସ୍ତ ୫ଟି ଯାକ ଏମ୍ପିଟିସିରେ ୱାଇଏସ୍ଆର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଓଡ଼ିଶାର ଗଞ୍ଜେଇପଦର ଗାଁକୁ ପଞ୍ଚାୟତ ମାନ୍ୟତା ଦେଇ ଆନ୍ଧ୍ର ସରକାର ଗଞ୍ଜେଇବାଦ୍ରା ବୋଲି ନାମକରଣ କରିଥିବା ବେଳେ ଏହି ଏମ୍ପିଟିସିରେ ମୋଟ ୨୭୦ଜଣ ଭୋଟର ମତଦାନ କରିଥିଲେ। ୱାଇଏସ୍ଆର କଂଗ୍ରେସ ପ୍ରାର୍ଥୀ ୧୨୪ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି କୋଡ଼ମା ଏମ୍ପିଟିସିରେ କୋଟିଆ ପଞ୍ଚାୟତର ଫାଟୁସିନେରୀ ଓ ଫଗୁଣସିନେରୀ ଗାଁକୁ ଆନ୍ଧ୍ର ଅନ୍ତର୍ଭୁକ୍ତ କରିଛି। ଏହି ଆସନରେ ଓଡ଼ିଶା ଭାଷୀ ତଥା ଶାସକ ଦଳ ପ୍ରାର୍ଥୀ ଗିନ୍ଦେ ଗାମେ ୮୦ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସାରିକା ଏମ୍ପିଟିସିରେ ଓଡ଼ିଶାର ନାରେଡ଼ିବାଲସା ଏବଂ ତାଡ଼ିବାସଲସା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଠାରେ ୱାଇଏସ୍ଆର କଂଗ୍ରେସ ପ୍ରାର୍ଥୀ ବି. ଆମଲା ବିଜୟୀ ହୋଇଛନ୍ତି। ଥୋନମ ଏମ୍ପିଟିସିରେ ଫାଟୁସିନେରୀ ଏବଂ ଫଗୁଣସିନେରୀର କିଛି ଅଞ୍ଚଳ ରହିଥିବା ବେଳେ ଏମ୍. ପେଣ୍ଟାଗାଁ ନିର୍ବାଚିତ ହୋଇଛନ୍ତି। କୁରକୁଟିରେ ଜି. ସୁବା ରାଓ ବିଜୟୀ ହୋଇଛନ୍ତି।
ପୂର୍ବରୁ ସରକାରୀ ଅଧିକାରୀ ଏବଂ ବିଧାୟକ କୋଟିଆ ଅଞ୍ଚଳରେ ପଶୁଥିଲେ। ଆଗକୁ ପଞ୍ଚାୟତ ସ୍ତରର ନବନିର୍ବାଚିତ ଲୋକପ୍ରତିନିଧି ଏହି ଅଞ୍ଚଳକୁ ବାରମ୍ବାର ଆସିବା ଏକପ୍ରକାର ନିଶ୍ଚିତ। କାରଣ ନିର୍ବାଚିତ ହେବାପରେ ଏହି ଲୋକପ୍ରତିନିଧିମାନେ ଆଦୌ ଚୁପ୍ ବସିବେ ନାହିଁ। ନିଜ ପତିଆରା ଦେଖାଇବାକୁ ପୂରା ଉଦ୍ୟମ କରିବେ। ପାଣ୍ଠି ଖର୍ଚ୍ଚକୁ ବି ଗୁରୁତ୍ବ ଦେଇ ଉଚ୍ଚ ଅଭିଳାଷ ରଖି ଶାସକ ଦଳକୁ ସୁହାଇଲା ଭଳି କାମ କରିବେ। ଏହାଦ୍ବାରା କୋଟିଆ ଅଞ୍ଚଳରେ ଭିନ୍ନ ପରିବେଶ ଏବଂ ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ତେଣୁ ଏହାକୁ ପ୍ରତିହତ କରିବାକୁ ଓଡ଼ିଶା ପକ୍ଷରୁ ଏବେଠାରୁ ନକ୍ସା ପ୍ରସ୍ତୁତ ସହ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।