କୋଟିଆରେ ଚେକ୍‌ପୋଷ୍ଟ୍‌ କଲା ଆନ୍ଧ୍ର ପୁଲିସ

ଜାଣିଶୁଣି ଓଡ଼ିଶା ଗାଡ଼ିକୁ ଅଟକାଇଲା
ଓଡ଼ିଶାର ରାସ୍ତା କାମକୁ ବନ୍ଦ କରିଦେଲେ
ଘଡ଼ିସନ୍ଧି ସମୟରେ ଧୋକା ଦେଲା ନେଟୱର୍କ

କୋରାପୁଟ : ସମାଧାନ କଥା କହୁଛି। କିନ୍ତୁ ପରେ ନିଜେ ହିଁ ସ୍ଥିତି ବିଗାଡ଼ୁଛି। ବାରମ୍ବାର ଅଶାନ୍ତି ଓ ଅରାଜକତାର ଏମିତି ବାତାବରଣ ସୃଷ୍ଟି କରୁଛି। କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ଏଭଳି ଦୋମୁହାଁ ନୀତି ସାମ୍ନାକୁ ଆସିଛି। ଜାଣିଶୁଣି ଆଜି ଓଡ଼ିଶା ଲୋକଙ୍କୁ ହଇରାଣ କରିବାକୁ କୋଟିଆରେ ଚେକ୍‌ପୋଷ୍ଟ କରିଛି। ବର୍ଷ ଶେଷରେ ଆନ୍ଧ୍ରର ଏଭଳି କାର୍ଯ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଶା ଭିତରେ ପଶି ଆନ୍ଧ୍ର ନିଜ ଆଇନକୁ ଲାଗୁ କରିବା ସହନଶୀଳତାର ସବୁ ସୀମାକୁ ଟପି ଯାଇଛି ବୋଲି ମତ ପ୍ରକାଶ ପାଇଛି।

କିଛିଦିନ ତଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ କୋଟିଆ ପ୍ରସଙ୍ଗରେ ରାଜନୈତିକ ସମାଧାନ ବାହାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସ୍ଥିତିକୁ ଗୋଳିଆ କରି ଫାଇଦା ନେବାକୁ ପ୍ରୟାସ ଆରମ୍ଭ କରିଛି ଆନ୍ଧ୍ର। ଯାହାର ସଦ୍ୟତମ ଉଦାହରଣ ହେଉଛି, କୋଟିଆ ପଞ୍ଚାୟତର ନାରେଡ଼ିବାଲସାରେ ଚେକ୍‌ପୋଷ୍ଟ୍‌ ସ୍ଥାପନ। ପୂର୍ବରୁ ଓଡ଼ିଶା ପକ୍ଷରୁ ଏଭଳି ଚେକ୍‌ପୋଷ୍ଟ କରାଯାଇଥିଲା। ଅନୁରୂପ ଭାବେ ‌ଆନ୍ଧ୍ର ଦ୍ବାରା ଅବସ୍ଥାପିତ କୋଟିଆ ସର୍କଲ ଇନସ୍‌ପେକ୍ଟର ବ୍ୟାରିକେଟ୍‌ ଲଗାଇ ଓଡ଼ିଶା ରାସ୍ତାକୁ ସଂକୁଚିତ କରି ଦେଇଛନ୍ତି। ପୁଲିସ ଫୋର୍ସ ମୁତୟନ କରି ଗାଡ଼ି ଯାଞ୍ଚ କରାଯାଉଛି। ଆନ୍ଧ୍ର ନମ୍ବର ପ୍ଲେଟ୍‌ ରହିଥିଲେ ଗାଡ଼ିକୁ ବିନା ଯାଞ୍ଚରେ ଛାଡ଼ି ଦିଆଯାଉଛି। ଓଡ଼ିଶା ନମ୍ବର ପ୍ଲେଟ୍‌ ଥିବା ଗାଡ଼ିକୁ ଦେଖିଲେ ଆନ୍ଧ୍ର ପୁଲିସ ମନ୍ଦ ଉଦ୍ଦେଶ୍ୟ ରଖି ଅଟକାଉଛି। ଯାଞ୍ଚ ଆଳରେ ବହୁ ସମୟ ଧରି ପଚରାଉଚୁରା କରି ହଇରାଣ କରୁଛି। ସିଆଇ ଇରମ ନାଇଡ଼ୁଙ୍କ ସହ ୧୦ରୁ ୧୨ଜଣ ପୁଲିସ କର୍ମଚାରୀ ଏହି ଚେକ୍‌ପୋଷ୍ଟରେ ପହରା ଦେଉଛନ୍ତି। ଆନ୍ଧ୍ରର ଏଭଳି କାର୍ଯ୍ୟକୁ ଦେଖି କେଉଁ କାରଣରୁ ଏବଂ କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ ଉଠିଛି।

ଏତିକିରେ ଆଜି ଆନ୍ଧ୍ରର ମନମନି ସରିନାହିଁ। କୋଟିଆର ଧୂଳିପଦରରେ ବି ପଶିଥିଲେ ଆନ୍ଧ୍ର ପୁଲିସ। ଏଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରାସ୍ତା ସଂପ୍ରସାରଣ କାମ ଚାଲିଛି। ଯାହାକୁ ଆନ୍ଧ୍ର ପୁଲିସ ବିରୋଧ କରି ଅଟକାଇ ଦେଇଥିଲେ। କାମରେ ନିୟୋଜିତ ବୁଲ୍‌ଡୋଜର ଡ୍ରାଇଭରଙ୍କୁ ତୁରନ୍ତ ସ୍ଥାନ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଥିଲେ। ଗିରଫ ତଥା ମାଡ଼ ଭୟରେ ଡ୍ରାଇଭର ଜଣକ ସେଠାରୁ ଚାଲି ଆସିଥିଲେ। ଯାହାଫଳରେ କାମ ଅଟକି ଯାଇଛି।

ଅନ୍ୟପକ୍ଷରେ କୋଟିଆ ଫାଣ୍ଡିରେ ନିୟୋଜିତ ଓଡ଼ିଶା ପୁଲିସର ଦୁଇଟି ଟିମ୍‌ ନାରେଡିବାଲସା ଓ ଫଗୁଣସିନେରୀ ଅଞ୍ଚଳରେ ଆଜି ପଇଁତରା ମାରୁଥିଲା। ଆନ୍ଧ୍ର ପୁଲିସର ଅରାଜକତା ସଂପର୍କରେ ଜାଣିବା ପରେ କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଭଳି ଘଡ଼ିସନ୍ଧି ସମୟରେ ଧୋକା ଦେଇଥିଲା ମୋବାଇଲ୍‌ ନେଟୱର୍କ।

ସମ୍ବନ୍ଧିତ ଖବର