ପଟ୍ଟାଙ୍ଗି/କୋରାପୁଟ: ବାରମ୍ବାର ପ୍ରତିବାଦ ସତ୍ତ୍ବେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୋଟିଆରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର। ଗତ କିଛିଦିନ ତଳେ କୋଟିଆର ସୀମାନ୍ତ ଗାଁରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିବା ବେଳେ ଏବେ ଆଉ ପାଦେ ଆଗେଇ ଓଡ଼ିଶା ସରକାରଙ୍କ ବିଜୁ ପକ୍କା ଘରେ ଶାଖା ପୋଷ୍ଟ ଅଫିସ ଖୋଲିଛି ଆନ୍ଧ୍ର ସରକାର। ଏପରିକି ବିଜୁ ପକ୍କା ଘର କାନ୍ଥରେ ଚୂନ ମାରି ପୋଷ୍ଟ ଅଫିସ କରିଥିଲା। ଖବର ପାଇ ଆଜି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ କୋଟିଆର ଉପର ସେମ୍ବି ଗାଁରେ ପହଞ୍ଚି ଉକ୍ତ ପୋଷ୍ଟ ଅଫିସ ଗୃହ କାନ୍ଥରେ ଲାଗିଥିବା ଲାଲ ରଙ୍ଗର ଚୂନ ଲିଭାଇଥିଲା।

Advertisment

ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ଗ୍ରାମପଞ୍ଚାୟତ ଉପରସେମ୍ବି ଗ୍ରାମର ରୁପା ଗେମେଲଙ୍କୁ ବିଜୁ ପକ୍କା ଘର ପ୍ରଦାନ କରାଯାଇଥିଲା। ଉକ୍ତ ବିଜୁ ପକ୍କା ଘରକୁ ଆନ୍ଧ୍ର ଦଖଲ କରି ଶାଖା ପୋଷ୍ଟ ଅଫିସ ଖୋଲିଛି। ବିଜୁ ପକ୍କା ଘରେ ଲାଲ ରଙ୍ଗର ଚୂନ ମାରିବା ସହ ପୋଷ୍ଟ ଅଫିସରେ ଉପଲବ୍ଧ ସେବା ସଂପର୍କରେ ତେଲୁଗୁ ଭାଷାରେ ଉଲ୍ଲେଖ କରିଥିଲା। ଖବର ପାଇ ଆଜି ପଟ୍ଟାଙ୍ଗି ବ୍ଲକ୍ ପ୍ରଶାସନର ଏକ ଟିମ୍ ତହସିଲଦାର, କୋଟିଆ ରାଜସ୍ବନିରୀକ୍ଷକ, ଥାନା ଅଧିକାରୀ ପ୍ରମୁଖ ସେଠାରେ ପହଞ୍ଚି ଏଭଳି ଦୃଶ୍ୟ ଦେଖି ଚକିତ ହୋଇଥିଲେ। ତୁରନ୍ତ ପୋଷ୍ଟ ଅଫିସ କାନ୍ଥରେ ଧଳା ରଙ୍ଗର ଚୂନ ଲଗାଇ ଲିଭାଇ ଦେଇଥିଲେ। ଅପରପକ୍ଷରେ ଆନ୍ଧ୍ର ବାରମ୍ବାର କୋଟିଆ ସୀମା ମଧ୍ୟରେ ଅନୁପ୍ରବେଶ କରି ଗୋଟିଏ ପରେ ଗୋଟିଏ ବିଶୃଙ୍ଖଳା କରି ଚାଲିଥିବା ଘଟଣା ଚିନ୍ତାର କାରଣ ହୋଇଛି। ବିଜୁ ପକ୍କା ଘର କାନ୍ଥରେ ବିଜୁବାବୁଙ୍କ ଫଟୋ ରହିଛି, ଏହାସତ୍ତ୍ବେ ଆନ୍ଧ୍ର ଉକ୍ତ ଘରକୁ ଦଖଲ କରି ଲାଲ ରଙ୍ଗର କଲର ଲଗାଇ ତେଲୁଗୁ ଭାଷାରେ ଲେଖି ଶାଖା ପୋଷ୍ଟ ଅଫିସ ଖୋଲିଛି।